ମଣ୍ଡି ଖୋଲିଲାନି, ପୁଣି କ୍ଷତି ସହିଲେ କପା ଚାଷୀ

ସୋନପୁର: ଅନ୍ୟ ବର୍ଷ ଭଳି ପୁଣି ଚଳିତ ବର୍ଷ ଜିଲ୍ଲାର କପାଚାଷୀଙ୍କୁ ପୁଣି କ୍ଷତି ସହିବାକୁ ପଡ଼ିଛି। ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ଦୁଇ ବର୍ଷ ତଳର ନିଷ୍ପତି ଠିକ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ଗତବର୍ଷ ଭଳି ଜିଲ୍ଲାରେ ପୁଣି କପା ଚାଷୀ ଦଲାଲଙ୍କ ହାତରେ ଉତ୍ପାଦିତ କପା ଟେକି ଦେଇ ଆର୍ଥିକ କ୍ଷତି ସହିଛନ୍ତି।
ଚଳିତ ବର୍ଷ ୨୯୦୫ ହେକ୍ଟର ଚାଷ ଜମିରେ କପା ଚାଷ କରାଯାଇଛି। ଏଥି ମଧ୍ୟରେ ବୀରମହାରାଜପୁର ବ୍ଲକରେ ୨ ହଜାର ୬୫୦ ହେକ୍ଟର, ଉଲୁଣ୍ଡା ବ୍ଲକରେ ୧୯୫ ହେକ୍ଟର ଏବଂ ତରଭା ବ୍ଲକରେ ୬୦ ହେକ୍ଟର ଜମିରେ କପା ଚାଷ କରାଯାଇଥିଲା। କିନ୍ତୁ ଗତ ବର୍ଷ ଜିଲ୍ଲାରେ ଗତ ବର୍ଷ ୩୨୧୦ ହେକ୍ଟର ଜମିରେ କପା ଚାଷ କରାଯାଇଥିଲା। ଏଥର ୩୦୫ ହେକ୍ଟର କମିଛି। ବିକ୍ରିବଟାର ସୁବିଧା ନଥିବାରୁ ଚାଷୀ କପା ଚାଷରୁ ମୁହଁ ଫେରାଉଥିବା ଜଣାଯାଇଛି। ସୁବର୍ଣ୍ଣପରୁ ଜିଲ୍ଲାରେ କପା ଚାଷର ପ୍ରସାର ଓ ବିକ୍ରିବଟାର ନୀତି ନିର୍ଦ୍ଧାରଣ କରାଯିବା ପାଇଁ ୧୩ ଅକ୍ଟୋବର ୨୦୧୫ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କପା ସଂଗ୍ରହ କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦାଶରଥି ଶତପଥୀ ବୀରମହାରାଜପୁର ଉପଖଣ୍ଡରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏକ କପା ମଣ୍ଡି ବଡଖମାରଠାରେ ସ୍ଥାପନ ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏପରିକି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଅସ୍ଥାୟୀ ମଣ୍ଡିରେ କପା କିଣା ଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦିଆଯାଇଥିଲା। ତାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ।
ତତ୍‌କାଳୀନ ଜିଲ୍ଲାପାଳ ଭବାନୀଶଙ୍କର ପଣ୍ଡାଙ୍କ କାର୍ଯ୍ୟକାଳ ସମୟରେ ସୋନପୁର ସ୍ପିନିଂ ମିଲ କପା ଚାଷୀଙ୍କଠାରୁ କପା କ୍ରୟ କରିବା ନେଇ ପଦକ୍ଷେପ ନିଆଯାଇଥିଲା। ଚାଷୀମାନେ ସ୍ପିନିଂ ମିଲକୁ କପା ବିକ୍ରି କରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସେମାନଙ୍କର କପା ବିକ୍ରି ଟଙ୍କା ପାଇ ପାରୁଥିଲେ। ଏହା ୩ ବର୍ଷ ପର୍ଯ୍ୟନ୍ତ ଚାଲିଲା। ଶ୍ରୀ ପଣ୍ଡାଙ୍କ ପରେ ଏହା ଠପ୍‌ ହୋଇଗଲା। ସୋନପୁରରେ ସ୍ପିନିଂ ମିଲ୍‌ ଥାଇ ବି କପା ଚାଷୀ ସୁଫଳ ପାଉ ନାହାନ୍ତି। ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷ ମଧ୍ୟ ଦଲାଲଙ୍କ ଜରିଆରେ ନିର୍ଦ୍ଧରିତ ସରକାରୀ ମୂଲ୍ୟରୁ କମ୍‌ ଦରରେ କପା କିଣୁଥିବା ଜଣାଯାଉଛି। ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧରେ ଜିଲ୍ଲାରେ ଚାଷ ହେଉଥିବା ପ୍ରାୟ ୫୦ କୋଟି ଟଙ୍କା କପା ସ୍ୱଳ୍ପ ଦରରେ ଦଲାଲଙ୍କ ହାତକୁ ଚାଲି ଯାଉଛି।

ସମ୍ବନ୍ଧିତ ଖବର