ସୁବର୍ଣ୍ଣପୁର: ୧୫୧ ସେଫ୍ଟି ଗଛ ଜବତ, ଜଣେ ଗିରଫ

ବିନିକା: ସୁବର୍ଣ୍ଣପୁର ଡିଏଫ୍‌ଓ ସୁଶାନ୍ତ କୁମାର ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ବିନିକା ରେଂଜର ପ୍ରେମଲାଲ ଧରୁଆ ଓ ତାଙ୍କ ଟିମ ଗୁରୁବାର ୧୫୧ ସେଫ୍ଟି ଗଛ ଜବତ କରି ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଜବତ ହୋଇଥିବା ଗଛ ମଧ୍ୟରେ ୮୮ଟି କେନ୍ଦୁ ଗଛ ଥିବା ବେଳେ ୭ଟି ହେଉଛି ସାବୁଆନ ଗଛ।

ବନ ବିଭାଗର ୧୫ ଜଣିଆ ଟିମ ଆଜି ପୂର୍ବାହ୍ନ ୧୦ଟାରେ ଅଭିଯୁକ୍ତ ଦୀପକ ଗୋଚ୍ଛାୟତଙ୍କ ଘରୁ ୧୫୧ ସେଫ୍ଟି ଗଛ ଜବତ କରିଛନ୍ତି। ଦୀପକ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସମଲେଇଚୁଆଁସ୍ଥିତ ଇନ୍ଦିରାଆବାସ ପଡ଼ା ଠାରେ ନିଜ ଘରେ ଏହି ଗଛଗୁଡ଼ିକୁ ରଖିଥିଲା। ବିଭିନ୍ନ ଅଂଚଳରୁ ଗଛ ଆଣି ସେ ବ୍ୟବସାୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା। ଚଢ଼ାଉ ବେଳେ ଏସିଏଫ ସୁଶୀଳ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ଅଭିଯୁକ୍ତ ଦୀପକୁ ରାମପୁର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଏବଂ କର୍ତ୍ତବ୍ୟରେ ଢ଼ିଲା ଯୋଗୁଁ ଜଙ୍ଗଲ ମାଫିଆଙ୍କ ରାଜୁତି ବଢୁଛି। ଫଳରେ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ ସଂଖ୍ୟା କମୁଛି।

ସମ୍ବନ୍ଧିତ ଖବର