ଆନ୍ଦୋଳନରେ ଆଇଟିଆଇ ପାର୍ଟ ଟାଇମ ଅଧ୍ୟାପକ:ପାଠ ପଢ଼ା ଠପ୍‌, ପ୍ରତିବାଦରେ ଏବିଭିପିର ଧାରଣା

ସୋନପୁର: ଗତ ୨୭ ତାରିଖରୁ ଚାକିରି ନିୟମିତ ଦାବିରେ ସୋନପୁର ଆଟିଆଇର ୨୫ ଜଣ ପାର୍ଟଟାଇମ ଅଧ୍ୟାପକ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ଏହି ଅନୁଷ୍ଠାନରେ ଅଧ୍ୟୟନରତ ପ୍ରାୟ ୫ ଶହ ଛାତ୍ରଛାତ୍ରୀ ଏବେ ପାଠ ପଢ଼ା ହେଉ ନଥିବାରୁ ଚିନ୍ତାରେ ପଡିଛନ୍ତି। ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ଏହାର ପ୍ରତିବାଦରେ ଏବିଭିପି ପକ୍ଷରୁ ଗୁରୁବାର ଆନ୍ଦୋଳନ ଡାକରା ଦିଆଯାଇଥିଲା। ଆଟିଆଇ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ଧାରଣା ଦେବା ସହିତ ପାଠପଢା ସ୍ୱଭାବିକ କରିବାକୁ ପଦକ୍ଷେପ ନେବାକୁ ଦାବି କରିଥିଲେ।

ଆଟିଆଇରେ ପାର୍ଟଟାଇମ ଅଧ୍ୟାପକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଥିବାରୁ କେବଳ ୩ ଜଣ ନିୟମିତ ଅଧ୍ୟାପକଙ୍କ ଦ୍ୱାରା ପାଠପଢା ସମ୍ଭବ ହେଉନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଥିସହିତ ଆବଶ୍ୟକ ଲାଇବ୍ରେରି ସୁବିଧା ଯୋଗାଇବା, ମରୁଡ଼ି ଯୋଗୁଁ ସମ୍ପୂର୍ଣ୍ଣ ଫି’ ଛାଡ଼ କରିବା ତଥା ପ୍ରାକ୍ଟିକାଲ ପାଇଁ ଆବଶ୍ୟକ ଯନ୍ତ୍ରପାତି ସାମଗ୍ରୀ ଯୋଗାଇବା ଆଦି ଦାବି ରହିଛି। ଏହି ଆନ୍ଦୋଳନରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୀରେନ୍ଦ୍ର ଚୌହାନ, ନନ୍ଦଲାଲ ଘିବେଲା, ପଦ୍ମଲୋଚନ ନେପାକ, ଦେବାଶିଷ ଶତପଥୀ, ନିବେଶ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର