ସୋନପୁର: ଗତ କିଛି ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ତାତି ବଢିବା ଯୋଗୁଁ ତତଲାପୁର ପାଲଟିଛି ସୁବର୍ଣ୍ଣପୁର। ଏପରିକି ଦିନେ ଦିନେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଜିଲ୍ଲାରେ ଜନସଂଖ୍ୟା ବୃଦ୍ଧି ଘଟିବା ସହିତ ପକ୍କା ଗୃହ, ପିଚୁ ରାସ୍ତା, କଂକ୍ରିଟ ରାସ୍ତା ନିର୍ମାଣ ସହିତ ଜଙ୍ଗଲ ପଦା ହେବା ଉତାପ ବୃଦ୍ଧିର କାରଣ ପାଲଟିଛି। ମିଳିଥିବା ସୂଚନା ଅନୁଯାଇ ଗତ ୩ ତାରିଖରେ ସର୍ବାଧିକ ତାପମାତ୍ରା ୩୮.୪ ଡିଗ୍ରି ଏବଂ ସର୍ବନିମ୍ନ ୨୨.୬ ଡିଗ୍ରି, ୪ ତାରିଖରେ ସର୍ବାଧିକ ୪୦.୨ ଡିଗ୍ରି ସର୍ବନିମ୍ନ ୨୪.୮ ଡିଗ୍ରି, ୫ ତାରିଖରେ ସର୍ବାଧିକ ୪୨.୪ ଡିଗ୍ରି ଏବଂ ସର୍ବନିମ୍ନ ୨୭.୦ଡିଗ୍ରି, ୬ ତାରିଖରେ ସର୍ବାଧିକ ୪୩.୮ ଡିଗ୍ରି ଏବଂ ସର୍ବନିମ୍ନ ୨୮.୮ଡିଗ୍ରି, ୭ ତାରିଖରେ ସର୍ବାଧିକ ୪୪.୦୦ ଡିଗ୍ରି ଏବଂ ସର୍ବନିମ୍ନ ୩୦.୦୦ ଡିଗ୍ରି, ୮ ତାରିଖରେ ସର୍ବାଧିକ ୪୧.୩ ଡିଗ୍ରି ଏବଂ ସର୍ବନିମ୍ନ ୨୯.୫ ଡିଗ୍ରି, ୯ ତାରିଖରେ ସର୍ବାଧିକ ୪୪.୦୦ ଡିଗ୍ରି ଏବଂ ସର୍ବନିମ୍ନ ୨୯.୦୦ ଡିଗ୍ରି, ୧୦ ତାରିଖରେ ସର୍ବାଧିକ ୪୩.୨ ଡିଗ୍ରି ଏବଂ ସର୍ବନିମ୍ନ ୨୭.୨ ଡିଗ୍ରି ଓ ୧୧ ତାରିଖରେ ସର୍ବାଧିକ ୪୩.୨ଡିଗ୍ରି ଏବଂ ସର୍ବନିମ୍ନ ୨୯.୪ ଡିଗ୍ରି ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜିଲ୍ଲା ଜଳ ସଙ୍କଟ ଏବଂ ପାନୀୟ ଜଳ ସମସ୍ୟା ବୃଦ୍ଧି ପାଇଛି। ସୋନପୁର ସହରରେ ପାନୀୟ ଜଳ ସଙ୍କଟ ଗୁରୁତର ରହିଛି। ସେପଟେ ୫ ବର୍ଷ ହେଲା ଆରମ୍ଭ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ। ଜିଲ୍ଲା ସଦର ମହକୁମାରେ ବିଭିନ୍ନ ସ୍ଥାନରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ପ୍ରକଳ୍ପରୁ ଥଣ୍ଡା ପାଣି ବାହାରୁ ନାହିଁ। ଫଳରେ ବାହାରୁ ଜିଲ୍ଲା ସଦର ମହକୁମାକୁ ଆସୁଥିବା ଜନସାଧାରଣ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳ ଗୁଡିକରେ ବନ୍ଧ ପୋଖରୀ ଶୁଖିଯାଇଥିବାରୁ ପ୍ରାଣୀଜଗତ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।