କଠୋର ଆଇନ ପ୍ରଣୟନ ହେଲେ ଦୁଷ୍କର୍ମ କମିବ

ପ୍ରଫୁଲ୍ଲ ସାହୁ, ଆଇନଜୀବୀ

ସୋନପୁର: ଦେଶରେ ଦୁଷ୍କର୍ମ ଘଟଣା ବଢ଼ିବା ଚିନ୍ତାର କାରଣ। ଏହାକୁ ହ୍ରାସ କରିବା ପାଇଁ କଠୋର ଆଇନ ପ୍ରଣୟନ ସାହିତ ଲୋକଙ୍କ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି।
ଦୟାନିଧି ଦାଶ, ସୋନପୁର: ଏହାର ପ୍ରତିକାର ପାଇଁ ଜନସାଧାରଣଙ୍କର ମାନସିକତାରେ ପରିବର୍ତ୍ତନ ଦରକାର। ଏଥିପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ସରକାର ହାତକୁ ନେବା ଜରୁରି।
ପ୍ରଦୀପ ମହାନ୍ତି, ବାବୁପାଲି, ସୋନପୁର: ବଢ଼ୁଥିବା ଦୁଷ୍କର୍ମ ଘଟଣା ଆମ ସମାଜର ସୁସ୍ଥ ବାତାବରଣକୁ ନଷ୍ଟ କରୁଛି। ଏହାର ପ୍ରତିକାର ପାଇଁ ସରକାର କଠୋର ଆଇନ ପ୍ରଣୟନ କରିବା ଆବଶ୍ୟକ।
ଅରୁଣ ନନ୍ଦ, ବାଙ୍କବିଜା, ସୋନପୁର: ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବାରୁ ଦେଶରେ ମହିଳା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ ସରକାର କଠୋର ଆଇନ ପ୍ରଣୟନ କରିବା ସହିତ ଲୋକଙ୍କ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି।
ଶଶିଭୂଷଣ ମଲ୍ଲିକ, ସୋନପୁର: ଦେଶରେ ଦୁଷ୍କର୍ମ ଘଟଣା ବର୍ତ୍ତମାନ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହାର ପ୍ରତିକାର ପାଇଁ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଆବଶ୍ୟକ।
ରାଜେଶ ମିଶ୍ର, ସୋନପୁର: ଦେଶରେ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବା ସରକାରଙ୍କ ବିଭିନ୍ନ ଆଇନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ସରକାର ଆବଶ୍ୟକ ଆଇନ ପ୍ରଣୟନ କରି ମହିଳାମାନଙ୍କୁ ସୁରକ୍ଷା ଦେବା ଉଚିତ।
ସାଧୁପ୍ରସାଦ ଷଡ଼ଙ୍ଗୀ, ଖାରୀ, ସୋନପୁର: ଏଥିପାଇଁ ସରକାର ଦୃଢ଼ ଆଇନ ପ୍ରଣୟନ କରିବା ଆବଶ୍ୟକ।
ସୁଦାମ ସାହୁ, କନ୍ଦାଗାଡ଼, ଡୁଙ୍ଗୁରିପାଲି: ଦୁଷ୍କର୍ମ ପାଇଁ ଫାଶୀ ଏବଂ ଅର୍ଥ ଦଣ୍ଡର ବ୍ୟବସ୍ଥା ହେଲେ ଦୁଷ୍କର୍ମ ଘଟଣା କମିବ।
ରାଜେନ୍ଦ୍ର ପ୍ରସାଦ ଭୋଇ, ଡୁଙ୍ଗୁରିପାଲି: ଦୁଷ୍କର୍ମ ହେଉଛି ଏକ ବିକୃତ ମାନସିକତାର ପରିଚୟ। ସୁପ୍ରିମକୋର୍ଟ ବର୍ତ୍ତମାନ ଦେଇଥିବା ରାୟ ଏହାକୁ ରୋକ ଲଗାଇବାରେ ସମର୍ଥ ହେବ। ଏପରିକି ସଚେତନତା ମାଧ୍ୟମରେ ମାନସିକତା ଦୂର କରାଯାଇ ପାରିଲେ ଆଶୁ ପ୍ରତିକାର ହୋଇ ପାରିବ।
ଶୁଶ୍ରୁତ ଓତା, ବିଶିମୁଣ୍ଡା, ସୋନପୁର: ଭାରତୀୟ ସଂସ୍କୃତିକୁ ନେଇ ଚଳିବା ଉଚିତ ତଥା ଆଇନ କଡ଼ାକଡ଼ି କରିବା ଆବଶ୍ୟକ।
ସୁଦାମ ଗାଇଗରିଆ, ବଡ଼ବରଡ଼ାକଟା, ବୀରମହାରାଜପୁର: ବର୍ତ୍ତମାନ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏଥିପାଇଁ ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ତଥା ସରକାର ବର୍ତ୍ତମାନ ଯେଉଁ ନିୟମ ପ୍ରଣୟନ କରିଛନ୍ତି ତାହା ଆଗରୁ କରିଥିଲେ ଏଥିରୁ ମୁକ୍ତି ମିଳିଥାନ୍ତା।
ଟିକୁ ପ୍ରଧାନ, ଜଟେସିଂହା, ବୀରମହାରାଜପୁର: ନିଶାମୁକ୍ତ ଦେଶ ଗଠନ ହୋଇ ପାରିଲେ ଦୁଷ୍କର୍ମ ଘଟଣା ଘଟିବ ନାହିଁ।
ଲକ୍ଷ୍ମୀନାରାୟଣ ବାଘ, ସିଣ୍ଡୋଲ, ତରଭା: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡର ବ୍ୟବସ୍ଥା କରାଗଲେ ଏହି ଘଟଣା କମିବ।
ସୁରେନ୍ଦ୍ର ପଶାୟତ, ଗଜବନ୍ଧ, ଡୁଙ୍ଗୁରିପାଲି: ନିଶାମୁକ୍ତ ସମାଜ ଗଠନ ତଥା କଡ଼ାକଡ଼ି ନିୟମ ଓ ଜନସାଧାରଣଙ୍କ ପାଖରେ ଆବଶ୍ୟକ ସଚେତନତା ବାର୍ତ୍ତା ପହଞ୍ଚିଲେ ଦୁଷ୍କର୍ମ ହଟିବ।
ମନୋଜ ମେହେର, ଓକିଲ, ବୀରମହାରାଜପୁର: ସଚେତନତା ମାଧ୍ୟମରେ ପ୍ରତିକାର କରାଯାଇ ପାରିବ। ଲୋକେ ବର୍ତ୍ତମାନ ଆଇନ କାନୁନକୁ ଭୃକ୍ଷେପ କରୁ ନାହାନ୍ତି। ତେଣୁ ଏଥିରେ ସଂଶୋଧନ ଦରକାର। କଡ଼ା ଦଣ୍ଡବିଧାନ ହେଲେ ଏହାର ସମାଧାନ କରାଯାଇ ପାରିବ।
ମନୋରଂଜନ ମିଶ୍ର, ବୌଦ୍ଧ: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ। ଏବେ ଦୁଷ୍କର୍ମକାରୀମାନେ ନିଜର ଯୌନ ପିପାସା ମେଂଟାଇବା ପାଇଁ ଭିନ୍ନ ଉପାୟ ଧରିଛନ୍ତି। ପ୍ରାପ୍ତ ବୟସ୍କାଙ୍କ ଅପେକ୍ଷା ନାବାଳିକାଙ୍କୁ ସହଜ ଟାର୍ଗେଟ କରିଛନ୍ତି। ତେଣୁ ଦୁଷ୍କର୍ମକାରୀଙ୍କୁ କୋଠର ଦଣ୍ଡ ମିଳିଲେ ଏପରି ଅପରାଧ କମି ଯାଆନ୍ତା। ମାତ୍ର ଅପରାଧୀକୁ ଦଣ୍ଡ ମିଳିବାରେ ବିଳମ୍ବ ହେଉଥିବା ଯୋଗୁ ସେମାନଙ୍କ ସାହସ ବଢ଼ୁଛି।
ରଂଜନ ପାତ୍ର, ଖଟଖଟିଆ, ବୌଦ୍ଧ: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ମିଳିବା ସହିତ ନ୍ୟାୟ ବିଚାର ତ୍ୱରିତ ହେବା ଆବାଶ୍ୟକ। ଏହା ଦ୍ୱାରା ଏପରି ଅପରାଧ କମି ଯାଇ ପାରିବ।
ରଘୁନାଥ ପଣ୍ଡା, ଉଲୁଣ୍ଡା: ମହିଳା ଓ ପୁରୁଷ ଉଭୟେ ମାନସିକ ବିକାରଗ୍ରସ୍ତ ହେବା ଦ୍ୱାରା ଏପରି ଅପରାଧ ଘଟୁଛି। ପୋଷାକ ପରିଛନ୍ନରେ ସଂଯମତା, ଇନ୍ଦ୍ରିୟ ସଂଜମତା ଓ ଖାଦ୍ୟ ପେୟରେ ସଂଜମତା ଅବଲମ୍ବନ କଲେ ଏ ପ୍ରକାର ଦୁଷ୍କର୍ମ ଦୂର ହୋଇ ପାରିବ।

ସମ୍ବନ୍ଧିତ ଖବର