ନାଇଟ୍ ବସରୁ ବିପୁଳ କଫ୍‌ ସିରପ ଜବତ:ଡ୍ରାଇଭର, କଣ୍ଡକ୍ଟର, ହେଲପର ଅଟକ

ସୋନପୁର: ଗୁରୁବାର ଭୋର୍ ୪ଟାରେ ସୋନପୁର ପୁଲିସ ଜୟମାତାଦୀ ନାମକ ଏକ ଯାତ୍ରୀବାହୀ ନାଇଟ୍ ଏକ୍ସପ୍ରେସ ବସ (ନଂ ଓଡି-୨୬-ସି-୯୮୭୭)ରୁ ୧୦ ପେଟି କଫ୍ ସିରପ୍ ଜବତ କରିଛି। ତଦନ୍ତ ଚାଲିଥିବାରୁ ପୁଲିସ ସବିଶେଷ ସୂଚନା ଦେଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ନାଇଟ୍ ଏକ୍ସପ୍ରେସ ବସଟି ଭୁବନେଶ୍ବରରୁ ରାଜଖଡିଆଳ ଯାଉଥିଲା। ଏଥିରେ କଫ ସିରପ୍ ଚୋରା ଚାଲାଣ ହେଉଥିବା ଖବର ପାଇ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୁଲିସ ସୋନପୁର ବ୍ଲକ ଛକ ନିକଟରେ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ବସ ଡିକିରୁ ୧୦ ପେଟି କଫ୍ ସିରପ୍ ବାହାରିଥିଲା। ଜବତ୍ ପେଟି ମଧ୍ୟରୁ ୧୦୦୬ଟି ଏସକଫ ବାହାରି ଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ବସକୁ ଜବତ୍ କରିବା ସହିତ ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ତଦନ୍ତ ସରିବା ପରେ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯିବ ବୋଲି ଏସପି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର