ସୁବର୍ଣ୍ଣପୁର ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ନେଇ ପ୍ରଶ୍ନବାଚୀ:ଘରୋଇ ସ୍କୁଲ୍‌ ପ୍ରତି ମୋହ ବଢ଼ୁଛି

ସୋନପୁର: ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ବିଶେଷ କରି ସରକାରୀ ହାଇସ୍କୁଲଗୁଡ଼ିକରେ ମୋଟା ଅଙ୍କର ଦରମା ଦେଇ ଶିକ୍ଷକ ନିଯୁକ୍ତି କରୁଛନ୍ତି। ଏପରିକି ସରକାରୀ ଏବଂ ବ୍ଲକ ଗ୍ରାଣ୍ଟ ହାଇସ୍କୁଲମାନଙ୍କର ଭିତ୍ତିଭୂମି ସୁଦୃଢ଼ କରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରାଯାଉଛି। ଏତେ ସବୁ ସତ୍ତ୍ବେ ସରକାରୀ ହାଇସ୍କୁଲ ତଥା ସରାକରୀ ଅନୁଦାନପ୍ରାପ୍ତ ହାଇସ୍କୁଲମାନଙ୍କରୁ ମୁହଁ ଫେରାଉଛନ୍ତି ଅଭିଭାବକମାନେ ଯାହାକି ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି। ଏହାର ମୂଳରେ ଅଛି ମାଟ୍ରିକ୍‌ ପରୀକ୍ଷାରେ ସରାକରୀ ହାଇସ୍କୁଲ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ତୁଳନାରେ ଘରୋଇ ହାଇସ୍କୁଲମାନଙ୍କୁ ଫଳାଫଳ ଭଲ ରହୁଛି। ବିଗତ ୩ ବର୍ଷ ମଧ୍ୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ହାର କମିଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ସତ୍ତ୍ବେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ଏହାର ସଫଳ ରୂପାୟନ ହେଉନାହିଁ। ଏଥର ମାଟ୍ରିକ୍‌ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ପାସ ହାର ରହିଥିଲା ୬୯.୯୬ ପ୍ରତିଶତ ଏବଂ ଫେଲ ହାର ୩୦ ପ୍ରତିଶତରୁ ଅଧିକ। ଜିଲ୍ଲାରେ ୧୨ ଜଣ ଏ୧, ୯୬ ଜଣ ଏ୨, ୨୫୦ ଜଣ ବି୧, ୪୯୧ ଜଣ ବି୨, ୯୫୫ ଜଣ ସି, ୧୭୯୮ ଜଣ ଡି, ୨୧୩୫ ଜଣ ଇ ଗ୍ରେଡରେ ପାସ କରିଥିବା ସୂଚନା ଦିଆଯାଇଛି। ଜିଲ୍ଲାରେ ୧୨ ଜଣ ଏ୧ଙ୍କ ମଧ୍ୟରୁ କେବଳ ରାମପୁର ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ରିକି ଭଇନା ଏ୧ ପାଇଥିବାବେଳେ ସରକାରୀ ହାଇସ୍କୁଲ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରୁ ଅନ୍ୟ କେହି ପାଇନାହାନ୍ତି। ଅନ୍ୟ ୧୧ ଜଣ ଏ୧ଙ୍କ ମଧ୍ୟରୁ ସୋନପୁର ସାହରା ଟ୍ରଷ୍ଟ ହାଇସ୍କୁଲର ୫ ଜଣ ଛାତ୍ରଛାତ୍ରୀ, ସୋନପୁର ଶିଶୁ ବିଦ୍ୟାମନ୍ଦିରର ୪ ଜଣ ଛାତ୍ରଛାତ୍ରୀ ଏବଂ ତରଭା ଶିଶୁ ମନ୍ଦିରର ୨ ଜଣ ଛାତ୍ରଛାତ୍ରୀ ଏ୧ ପାଇଥିଲେ। ସେହିପରି ଏ୨, ବି୧ ଏବଂ ବି୨ରେ ମଧ୍ୟ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ତୁଳନାରେ ଘରୋଇ ଆବାସିକ ହାଇସ୍କୁଲର ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ସରକାରୀ ହାଇସ୍କୁଲମାନଙ୍କର ଭିତ୍ତିଭୂମି ଅଧିକ ଥିବାବେଳେ ଏବଂ ସରକାରଙ୍କଠାରୁ ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରତି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନେ ଯତ୍ନବାନ ହେଉନଥିବାରୁ ଗୁଣାତ୍ମକ ଶିକ୍ଷା ହ୍ରାସ ପାଉଥିବା ଅଭିଯୋଗ ହେଉଛି। ସରକାରୀ ବିଦ୍ୟାଳୟଗୁଡିକର ଶିକ୍ଷାଦାନ ପ୍ରଣାଳୀ ଏବଂ ନିୟମିତ ଶିକ୍ଷାଦାନ ଠିକ ଭାବରେ ହେଉଛି କି ନାହିଁ ସେଥିପାଇଁ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ନିଯୁକ୍ତି ପାଇଛନ୍ତି। ତେବେ ଆବଶ୍ୟକ ତଦାରଖ ଅଭାବରୁ ସରକାରୀ ହାଇସ୍କୁଲ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲମାନଙ୍କରେ ନିୟୋଜିତ ହୋଇଥିବା ଶିକ୍ଷକମାନେ ଠିକ ଭାବରେ ଶିକ୍ଷାଦାନ କରୁନଥିବା ଅଭିଯୋଗ ହେଉଛି। ଏବେ ଜିଲ୍ଲାରେ ଏମିତି ପରିସ୍ଥିତି ସୃଷ୍ଟି ହେଲାଣି ଆବାସିକ ଏବଂ ଘରୋଇ ହାଇସ୍କୁଲମାନଙ୍କୁ ନାମ ଲେଖାଇବା ପାଇଁ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଲାଇନ ଲମ୍ବୁଛି। ବିଶେଷ କରି ଜିଲ୍ଲାରେ ଥିବା କିଛି ଆବାସିକ ବିଦ୍ୟାଳୟମାନଙ୍କୁ ଅଭିଭାବକମାନେ ନିଜର ପୁଅଝିଅଙ୍କୁ ପାଠ ପଢ଼ାଇବା ପାଇଁ ସରକାରୀ ବିଦ୍ୟାଳୟ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି। ଜିଲ୍ଲାରେ କେବଳ ହାଇସ୍କୁଲସ୍ତରରେ ଏପରି ହୋଇନାହିଁ। ପ୍ରାଥମିକ ଶିକ୍ଷାଦାନ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ପ୍ରାଥମିକ ଶିକ୍ଷା ପାଇଁ ସରକାର ସ୍ବତନ୍ତ୍ର ସ୍କୁଲ ଗୃହଠାରୁ ଆରମ୍ଭ କରି ଶିକ୍ଷକ ନିଯୁକ୍ତି ଏବଂ ଆବଶ୍ୟକ ଭିତ୍ତିଭୂମି ଯୋ‌ଗ‌ାଇ ଦେଉଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ହ୍ର‌ାସ ପାଉଥିବାରୁ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମଧ୍ୟ ଇଂରାଜୀ ବିଦ୍ୟାଳୟମାନଙ୍କୁ ମଧ୍ୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସରକାରୀ ବିଦ୍ୟାଳୟ ଅପେକ୍ଷା ପବ୍ଲିକ ସ୍କୁଲରେ ଅଧିକ ଖର୍ଚ୍ଚାନ୍ତ ହୋଇ ଅଭିଭାବକମାନେ ନିଜର ପିଲାଛୁଆଙ୍କୁ ପାଠ ପଢ଼ାଇବା ପାଇଁ ଇଛା ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଅନେକ ପବ୍ଲିକ ସ୍କୁଲ ଖୋଲିଲାଣି। ଜିଲ୍ଲାରେ ବର୍ତ୍ତମାନ ୧୦୦ରୁ ଅଧିକ ଘରୋଇ ବିଦ୍ୟାଳୟ ଖୋଲିଲାଣି। ଏହି ବିଦ୍ୟାଳୟଗୁଡ଼ିକ ପ୍ରତି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଜିଲ୍ଲାରେ ଥିବା ସରାକରୀ ବିଦ୍ୟାଳୟମାନଙ୍କୁ ଗୁଣାତ୍ମକ ଶିକ୍ଷା ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର