ସୁବର୍ଣ୍ଣପୁର: ମୁହାଁମୁହିଁ ଟ୍ରକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ସୋନପୁର: ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ୫୭ରେ ଶୁକ୍ରବାର ସନ୍ଧ୍ୟାରେ ମୁହାଁମୁହିଁ ଟ୍ରକ୍‌ ଧକ୍କା ହେବାରୁ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁଣାମାଳ ଗାଁର ରଣଜିତ ମଲ୍ଲିକ ଏବଂ ପରମେଶ୍ୱର ବଘାର ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ବଲାଙ୍ଗୀରରୁ ସୋନପୁର ଅଭିମୁଖେ ଫେରୁଥିଲେ। ସୋନପୁର ସହର ଉପକଣ୍ଠ ବଡ଼ଝିଙ୍କି ନିକଟ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଲୁହା ବେଝେଇ ଟ୍ରକ ଶକ୍ତ ଧକ୍କା ଦେଇଥିଲା। ଫଳରେ ରଣଜିତ ଏବଂ ପରମେଶ୍ୱରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଟ୍ରକ୍‌ (ଓଆର୍‌ ୧୪ଡବ୍ଲ୍ୟ ୭୨୯୩) ଦ୍ରୁତ ଗତିରେ ଯାଉଥିଲା ଓ ବାଇକ୍‌ (ଓଆର ୩୧ଡି ୮୯୧୪)କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରିଛି। ଟ୍ରକ୍‌ ଚାଳକ ଫେରାର ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ ପ୍ରଭାବି ହୋଇଛି।

ସମ୍ବନ୍ଧିତ ଖବର