ସାଗଜୁରୀ ଗ୍ରାମବାସୀଙ୍କ ଚେତାବନୀ:‘ଏଥର ପାଣି ନାହିଁ, ତ ଭୋଟ ନାହିଁ’

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତଏଲା ପଞ୍ଚାୟତ ଅନ୍ତର୍ଗତ ସାଗଜୁରୀ ଗ୍ରାମରେ ୫ ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ ତିଆରି ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ନାହିଁ। ଗ୍ରାମର ପୋଖରୀ ଗୁଡିକରେ ଆଉ ପାଣି ନ ଥିବା ବେଳେ କୌଣସି ନଳକୂଅରୁ ପିଇବା ଉପଯୋଗୀ ପାଣି ବାହାରୁ ନାହିଁ। ୩ ଓ୍ଵାର୍ଡରେ ମୋଟ୍‌ ୨୦୦୦ ଲୋକ ବସବାସ କରୁଥିବା ଏହି ଗ୍ରାମବାସୀଙ୍କ ପାଇଁ ନିକଟସ୍ଥ ଠେଙ୍ଗୋ ଡ୍ୟାମର ପାଣି ହିଁ ଭରସା। ଏହି ପାଣି ବ୍ୟବହାର କରି ଲୋକେ ରୋଗରେ ପଡ଼ିବାର ଆଶଙ୍କା ରହିଛି। ଗତ ୨୦୧୦-୧୧ ବର୍ଷରେ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପ ତିଆରି ହୋଇଥିଲା। ଏଥିପାଇଁ ଓଭର ହେଡ୍‌ ଟ୍ୟାଙ୍କ ନିର୍ମାଣ ସହ ପାଇପ୍‌ ବିଛା, ଷ୍ଟାଣ୍ଡପୋଷ୍ଟ ଓ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ବି ସମ୍ପନ୍ନ ହୋଇଥିଲା। ତେବେ ପ୍ରକଳ୍ପ ପାଇଁ ଖୋଲା ଯାଇଥିବା ବୋର୍‌େଓ୍ଵଲରେ ପର୍ଯ୍ୟାପ୍ତ ପରିମାଣରେ ପାଣି ହେଉ ନ ଥିବାରୁ ପ୍ରକଳ୍ପଟି ଆରମ୍ଭରୁ କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଥିବା ଜଣାଯାଇଛି। ପରେ ଏହି ପ୍ରକଳ୍ପ ପାଇଁ ନିକଟସ୍ଥ ହରିହର ଡ୍ୟାମ ପରିସରରେ ଅନ୍ୟ ଏକ କୂଅ ଖୋଲାଯାଇ ପାଇପ୍‌ ସଂଯୋଗ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଏଯାଏ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରି ନ ଥିବା ଜଣାଯାଇଛି। ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସମସ୍ୟା କାରଣରୁ ଏହା ଚାଲିପାରୁ ନ କୁହାଯାଉଥିବା ବେଳେ ଗ୍ରାମବାସୀ ଏଥିପାଇଁ କିନ୍ତୁ ବିଭାଗୀୟ ଓ ରାଜନୈତିକ ଅବହେଳାକୁ ଦାୟୀ କରିଛନ୍ତି। ସ୍ଥାନୀୟ ବିଧାୟକଙ୍କଠୁ ଆରମ୍ଭ କରି ଅନ୍ୟ ନେତାମାନେ ନିର୍ବାଚନ ସମୟରେ ଗାଁକୁ ଆସି ଏହା ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ନିର୍ବାଚନରେ ଜିତିବା ପରେ ଆଉ ଗାଁର ପାଖ ବି ମାଡୁ ନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ତେବେ ପାଣି ସମସ୍ୟା ସମାଧାନ ନ ହେଲେ ଗ୍ରାମବାସୀ ଆଗାମୀ ନିର୍ବାଚନରେ ଠିକଣା ଜବାବ୍‌ ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର