ମହାନଦୀରେ କମିଛି ଜଳ ପ୍ରବାହ, ଭୁଷୁଡିବ ଭାତହାଣ୍ଡି, ସଙ୍କଟରେ ମତ୍ସ୍ୟଜୀବୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ। ପ୍ରାୟ ୧୦୦ କିଲୋମିଟର ଦେଇ ଜିଲ୍ଲାରେ ପ୍ରବାହିତ ହୋଇଛି ଏହି ନଦୀ। ଏହି ନଦୀ ଉପରେ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ଜୀବିକା ନିର୍ଭର କରେ। ତେ‌ବେ ଗ୍ରୀଷ୍ମ ଋତୁରେ ଆଗରୁ ଯେତିକି ଜଳ ପ୍ରବାହ କମୁଥିଲା ଗତ କିଛି ବର୍ଷ ହେଲା ଜଳ ପ୍ରବାହ କମିବା ଆହରୁ ବଢ଼ିଛି। ମହନଦୀରୁ ଉଠାଜଳସେଚନ ଏବଂ ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ହୀରାକୁଦ କମାଣ୍ଡ ଅଞ୍ଚଳରେ କେନାଲ ପାଣି ଯୋଗେ ଚାଷ କାର୍ଯ୍ୟ ହୋଇଥାଏ। ତେବେ ଗ୍ରୀଷ୍ମ ଋୁତୁରେ ଗତ କିଛି ବର୍ଷ ହେଲା ମହାନଦୀରେ ଜଳ ପ୍ରବାହ କମିଥିବାରୁ ଏହାର ପ୍ରଭାବ ହୀରାକୁଦ କମାଣ୍ଡ ଅଞ୍ଚଳରେ ମଧ୍ୟ ପଡ଼ିଛି। ବିନିକା ଟେଲ ଅଞ୍ଚଳରେ ରବି ଋତୁରେ ଯେତିକି ଚାଷ କାର୍ଯ୍ୟ ହେବା କଥା ହେଉନାହିଁ। ସେହିପରି ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳ‌ରେ ମଧ୍ୟ କେତେକ ଚାଷ ଜମିକୁ ରବି ଋତୁ ପାଇଁ ଜଳସେଚନ ହେଉନଥିବାର ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଏବଂ ଡୁଙ୍ଗୁରିପାଲି ହେଉଛି ଓଡ଼ିଶାର ଭାତହାଣ୍ଡି। ତେବେ ମହାନଦୀରେ ଜଳ ପ୍ରବାହ କମିଥିବାରୁ ଏହାର ପ୍ରଭାବ ଏହି ଭାତହାଣ୍ଡିରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ପାଇଁ ଗତ କିଛି ବର୍ଷ ହେଲା ମହାନଦୀରେ ଜଳ ପ୍ରବାହ କମିଥିବାରୁ ରବି ଚାଷ ପ୍ରଭାବିତ ହେଉଛି। ଗ୍ରୀଷ୍ମ ଋତୁରେ ମହାନଦୀରେ ଜଳ ପ୍ରବାହ କମୁଥିବାରୁ ଜିଲ୍ଲାର ଭାତହାଣ୍ଡି ଭୁଷୁଡ଼ିବାର ଆଶଙ୍କାରେ ଚାଷୀ ରହିଛନ୍ତି। ସେହିପରି ଉଠାଜଳସେଚନ ମାଧ୍ୟମରେ ଯେତିକି ଜମିକୁ ରବି ଚାଷ ପାଇଁ ଜଳସେଚନର ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରହିଛି ମହାନଦୀରେ ଜଳ ପ୍ରବାହ କମୁଥିବାରୁ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରୁନାହିଁ। କେବଳ ମହାନଦୀ କମାଣ୍ଡ ଅଞ୍ଚଳର ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକରେ ରବି ଚାଷ ଅଧିକ ପରିମାଣରେ ହେଉଥିବାବେଳେ ଅନ୍ୟ ୪ଟି ବ୍ଲକ ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର ବ୍ଲକ ଅଞ୍ଚଳରେ ଯାହା କିଛି ଉଠା ଜଳସେଚନ ମାଧ୍ୟମରେ ରବି ଚାଷ ହେଉଛି କିନ୍ତୁ ଚାଷୀଙ୍କ ଆଶା ପୂରଣ ହୋଇପାରିନାହିଁ। ଜିଲ୍ଲାରେ ୧୦୦ କିଲୋମିଟରର ମହାନଦୀ ତଥା ତେଲନଦୀ, ଅଙ୍ଗନଦୀ, ସୁକତେଲ ଆଦି ନଦୀ ଥାଇବି କୃଷି କ୍ଷେତ୍ର ପାଇଁ ଯେତିକି ଜଳସେଚନର ବ୍ୟବସ୍ଥା କରାଯିବା କଥା କରାଯାଇ ପାରିନାହିଁ। ଫଳରେ ରବି ଋତୁରେ ଚାଷୀମାନେ ଆବଶ୍ୟକ ଚାଷ କାର୍ଯ୍ୟ କରିପାରୁନାହାନ୍ତି। ଚିରସ୍ରୋତା ମହାନଦୀ ସହିତ ଅନ୍ୟ ନଦୀ ଥାଇବି ଆବଶ୍ୟକ ଜଳସେଚନର ବ୍ୟବସ୍ଥା ହୋଇପାରିନାହିଁ। ସେପଟେ ମହାନଦୀରେ ଜଳ ପ୍ରବାହ କମିବା ଚାଷୀମାନଙ୍କୁ ହତାଶ କରିଛି। କେବଳ ଚାଷୀ ନୁହେଁ ମହାନଦୀରେ ଜଳ ପ୍ରବାହ କମିଥିବାରୁ ମତ୍ସ୍ୟଜୀବୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ମହାନଦୀରେ ଜଳ ପ୍ରବହା କମିଥିବାରୁ ଆଗ ଭଳି ଆଉ ମାଛ ଦେଖିବାକୁ ମିଳୁନାହିଁ। ବିଶେଷକରି ଗ୍ରୀଷ୍ମ ଋତୁରେ ମାଛମାନଙ୍କର ଅଭାବ ଦେଖାଦେଇଛି। ମହାନଦୀରେ ଜଳ ପ୍ରବାହ କମିଥିବାରୁ ମତ୍ସ୍ୟଜୀବୀମାନଙ୍କ ଜୀବୀକା ମଧ୍ୟ ସଙ୍କଟରେ ଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ମହାନଦୀରେ ବ୍ୟାରେଜ ନିର୍ମାଣ କରାଯାଇ ଜଳସଙ୍କଟକୁ ଦୂର କରାଯାଇପାରନ୍ତା ଏଥିପାଇଁ ଖଇରମାଲଠାରେ ବ୍ୟାରେଜ ନିର୍ମାଣ ପାଇଁ ବୈଷୟିକ ଟିମ ମଧ୍ୟ ପ୍ରକଳ୍ପ ପ୍ରସ୍ତାବ ବିଭାଗୀୟ ଅଧିକାରୀମାନଙ୍କୁ ଦେଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଏହି ବ୍ୟାରେଜ ନିର୍ମାଣ ପାଇଁ କୌଣସି ଆର୍ଥିକ ମଞ୍ଜୁରି ଲାଭ କରିନଥିବାରୁ ଏହି ବ୍ୟାରେଜ ନିର୍ମାଣ ହେବ କି ନହେବ ସେନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି। ତେବେ ପ୍ରସ୍ତାବିତ ଖଇରମାଲ ବ୍ୟାରେଜ ନିର୍ମାଣ ହେଲେ ସୋନପୁରରେ ଜଳ ସଙ୍କଟ ଦୂର ହେବା ସହିତ ଚାଷ କାର୍ଯ୍ୟ ବୃଦ୍ଧି ପାଇବ କିନ୍ତୁ ଏଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର