ସଂସାର ଉଜୁଡ଼ିଯିବା ପରେ ଆଖି ଖୋଲିଗଲା: ସେଦିନର ବା‌ଣ ବେପ‌ାରି ଏବେ ସଫଳ ଚାଷୀ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ବାଣବାରୁଦର ଗନ୍ଧ ପରିବର୍ତ୍ତେ ଫୁଲଫଳ ମହକରେ ଝଟକୁଛି ବାଡ଼ିବଗିଚା, ଭଜନକୀର୍ତ୍ତନର ଆଧ୍ୟାତ୍ମିକ ପରିବେଶରେ ବିତୁଛି ବାକି ଜୀବନ

ବାଲେଶ୍ୱର (ମନୋଜ କୁମାର ରାଉଳ): ବେଳେ ବେଳେ କିଛି ଘଟଣା ମଣିଷ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାବଳପୁରର ଗ୍ରାମର ଗୋଲକ ବିହାରୀ ପ୍ରଧାନ, ଯିଏ ଦିନେ ବାଣବାରୁଦ ବେପାରରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ବାଣ ବେପାରର ସାମ୍ରାଜ୍ୟ ବଢାଇ ଆଖପାଖ ଅଞ୍ଚଳରେ ପ୍ରଖ୍ୟାତ ବାଣ ବେପାରି ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ହେଲେ ଘଟଣାଚକ୍ରରେ ତାଙ୍କ ଜୀବନରେ ଆସିଥିବା ଏକ ବଡ଼ ବିପତ୍ତି ସବୁ କିଛି ପରିବର୍ତ୍ତନ କରି ଦେଇଥିଲା। ବାଣ ବେପାରରୁ ଆଜି ସେ ଜଣେ ସଫଳ ଚାଷୀ ଏବଂ ହରିନାମ ସଂକୀର୍ତ୍ତକ। ଚାଷ କରି ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

୨୦୧୭ ଅକ୍ଟୋବର ୧୮ ତାରିଖ। ସମୟ ଅପରାହ୍ନ ପ୍ରାୟ ସାଢ଼େ ୩ଟା। ଆଲୋକର ପର୍ବ ଦୀପାବଳିକୁ ମାତ୍ର ଦୁଇ ଦିନ ବାକି ରହିଥାଏ। ଗୋଲକଙ୍କଠାରୁ ବାଣ କିଣିବା ପାଇଁ ବାହାବଳପୁର ଗାଁକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେପାରିଙ୍କ ଆତଯାତ ଲାଗିଥାଏ। ହଠାତ୍‌ ନିଆଁ ଓ ବିସ୍ଫୋରଣରେ ଦୋହଲିଗଲା ସମଗ୍ର ଅଞ୍ଚଳ। ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ଦୌଡ଼ି ପଳାଇଲେ। ନିଆଁ ଥମିବା ପରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ଗୋଲକଙ୍କ ୩ ପୁଅ, ୨ ନାତିନାତୁଣୀ, ବାଣ ତିଆରି କରୁଥିବା ସେହି ଗାଁର ୩ ଜଣ ଶ୍ରମିକ ଓ ବାଣ କିଣିବାକୁ ଆସିଥିବା ୩ ଜଣ ବାହାର ଲୋକ ଜିଅନ୍ତା ଜଳି ଯାଇଥିଲେ।

ବାଣବାରୁଦର ଏହି ବିପଦଜନକ କାରବାରରେ ୧୧ଟି ଜୀବନଦୀପ ଲିଭିଯିବା ପରେ ହତବାକ୍‌ ହୋଇ ଯାଇଥିଲେ ଗାଁ ଲୋକେ। ଭାଗ୍ୟ ଜୋର୍‌ ଥିଲା ବୋଲି ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୋଲକ, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟ‌ା ଓ ଦୁଇ ବୋହୂ। ଦୀପାବଳିର ଏହି ଲୋମଟାଙ୍କୁରା ଘଟଣା ସେତେବେଳେ ଖାଲି ବାଲେଶ୍ୱର ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା।

ଦୁଇ ବର୍ଷ ତଳର ଏହି କଥା ଏବେ ଉପସ୍ଥାପନ କରିବାର ପ୍ରାସଙ୍ଗିକତା ହେଉଛି ବାଣ ବେପାରର ଭୟାବହ ଦିଗ। ଆଉ ଦିନ କେଇଟା ପରେ ପାଳନ ହେବ ଦୀପାବଳି। ସେଥିପାଇଁ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ବାଣ ପ୍ରସ୍ତୁତି। ତେବେ ବେଆଇନ୍‌ ବାଣ କାରବାରକୁ ବନ୍ଦ କରିବାରେ ପୁଲିସ ଓ ପ୍ରାଶାସନିକ ସ୍ତରରେ ଆନ୍ତରିକତା ଅଭାବ ଯୋଗୁଁ ନିକଟରେ ବାଲେଶ୍ୱର ରେମୁଣା ଅଞ୍ଚଳରେ ବାଣ ବିସ୍ଫୋରଣରେ ଏକ ତିନି ମହଲା ଘରର ଉପର ମହଲା ଉଡ଼ିଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବ୍ଲକ ବାଛୁରିପଡ଼ା ଅଞ୍ଚଳରେ ଚାଲିଥିବା ଅବାଧ ବାଣ ବେପାର ମଧ୍ୟ ଏହାର ଅନ୍ୟ ଏକ ଦୃଷ୍ଟାନ୍ତ।

ଏଭଳି ପରିସ୍ଥିତିରେ ବାହାବଳପୁର ଗାଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଗ୍ରାମର ୧୦/୧୫ ପରିବାର ବାଣ ବେପାରକୁ ଜୀବିକା କରି ଆସିଥିବା ବେଳେ ଗୋଲକ ପ୍ରଧାନଙ୍କ ଘଟଣା ପରଠୁ ସମସ୍ତେ ତାହା ବନ୍ଦ କରି ଦେଇଛନ୍ତି। ଏବେ ସେମା‌େନ ନିକଟସ୍ଥ ସମୁଦ୍ରରୁ ମାଛ ଧରିବା ସହ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ବିସ୍ଫୋରଣ ଘଟଣାରେ ଗୁରୁତର ହୋଇ ଗୋଲକ କଟକ ଏସ୍‌ସିବି ବଡ଼ ମେଡିକାଲରୁ ଚିକିତ୍ସିତ ହୋଇ ଫେରିଛନ୍ତି। ଘଟଣାକୁ ଦୁଇ ବର୍ଷ ପୂରିଥିବା ବେଳେ ବାଣ କାରବାରରୁ ସେ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖି ନିଜ ଜମିରେ ପନିପରିବା ଓ ଫୁଲଫଳ ଚାଷ କରୁଛନ୍ତି। ସବୁଜ ବନାନି କ୍ଷେତ ଓ ଫୁଲଫଳର ଭରପୂର ମହକରେ ଝଟକୁଛି ତାଙ୍କ ଘର ଚାରିପାଖ। ଗୋଟିଏ ଜୀବିକା ସିନା ତାଙ୍କ ସଂସାର ଉଜାଡ଼ି ଦେ‌ଲା, ହେଲେ ଆଉ ଏକ ଜୀବିକା ତାଙ୍କ ବାଡ଼ିବଗିଚାରେ ହସିଉଠୁଥିବା ଫୁଲଫଳ ସମ୍ଭାରରେ ସେ ନିଜ ପୁଅବୋହୂ, ନାତିନାତୁଣୀଙ୍କ ହସହସ ମୁହଁ ଦେଖି ପାରୁଥିବା କହିଛନ୍ତି।

ଗୋଲକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା‌ ମଧ୍ୟ ଦିନରାତି ନିଜ ପିଲାମାନଙ୍କୁ ଝୁରୁଥିବା ବେଳେ ମନରେ ଥିବା ସବୁ ଦୁଃଖକଷ୍ଟକୁ ଭୁଲି ବାକି ଜୀବନ କିପରି ଭଲରେ କଟିବ ସେଥି ପାଇଁ ସ୍ବାମୀଙ୍କୁ କାମରେ ସହଯୋଗ କରୁଛନ୍ତି। ଗୋଲକ ଏବେ ଜଣେ ଭଲ ମୃଦଙ୍ଗ ବାଦକ ଓ ସଂକୀର୍ତ୍ତକ ଭାବେ ପରିଚୟ ଲାଭ କରିଛନ୍ତି। ଉକ୍ତ ଘଟଣା ପରଠାରୁ ସେ ଶ୍ରୀବିଶେଶ୍ବର ନାମ ସଂକୀର୍ତ୍ତନ ମଣ୍ଡଳୀ ନାମ‌େର ଏକ ସଂଗଠନ କରି ସେଥିରେ ସଭାପତି ଅଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଅନୁଷ୍ଠିତ ହେଉଥିବା ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି। ବଞ୍ଚିବାକୁ ହେଲେ ଦୁନିଆରେ ଅନେକ ବାଟ ଏବଂ ଅନେକ କାମ ରହିଛି। ମାତ୍ର ବାଣ ଓ ବିସ୍ଫୋରକ ଭଳି କାରବାରରୁ ଯଥାସମ୍ଭବ ସମସ୍ତେ ଦୂରେଇ ରହିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର