ବାରିପଦା: ତୀରବିଦ୍ଧ ଯୁବକଙ୍କ ସଫଳ ଅସ୍ତ୍ରୋପଚାର, ୧୨ସେମିରୁ ଅଧିକ ପେଟ ଭିତରକୁ ପଶିଥିଲା ତୀର

ବାରିପଦା: ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ସର୍ଜରୀ ବିଭାଗ ପକ୍ଷରୁ ତୀରବିଦ୍ଧ ଜଣେ ଯୁବକଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି। ପ୍ରାୟ ୧୨ସେଣ୍ଟିମିଟରରୁ ଅଧିକ ପେଟ ଭିତରକୁ ପଶିଥିଲା ଏହି ତୀର। ଶରତ ଥାନା ଅନ୍ତର୍ଗତ କଟୁରୀଆ ୱାର୍ଡ ନଂ-୧୧ ହୁଡିସାହିର ଦିବ୍ୟାଙ୍ଗ ଶିବାନ୍ ମାଝି(୨୫)ଙ୍କ ପେଟରୁ ଏହି ତୀରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇ କଢ଼ାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଆହତ ଯୁବକଙ୍କୁ ତାଙ୍କ ବଡ଼ଭାଇ କୌଣସି କାରଣରୁ ତୀର ମାରିଥିଲେ। ଏହା ଶିବାନ’ଙ୍କ ବାମପଟ ପେଟର ପ୍ରାୟ ୧୨ସେମିରୁ ଅଧିକ ଗଭୀରକୁ ଯାଇ ଅନ୍ତଃନଳୀ କଣା କରିଦେଇଥିଲା। ତୀରର ଅଗ୍ରଭାଗରେ ଥିବା ଲୁହାଟି ସମ୍ପୂର୍ଣ୍ଣ ଭିତରକୁ ପଶିଯାଇଥିଲା। ଆବଶ୍ୟକ ଅନୁସାରେ ଆହତଙ୍କ ପେଟକୁ ସର୍ଜରୀ ସହାୟତାରେ ତୀରକୁ ବାହାର କରାଯାଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ଗୋଟିଏରେ ଆହତଙ୍କୁ ପିଆରଏମ୍ ଅଣାଯାଇଥିଲା।

ହସ୍ପିଟାଲ ଆସିବା ସମୟରେ ଆହତ ଯୁବକ ଜଣଙ୍କ ଗୁରୁତର ଥିଲେ। ଅନ୍ତଃନଳୀ ଗଭୀର ଭାବେ କ୍ଷତି ହୋଇଥିବାରୁ ସେଥିରେ ଥିବା ମଳ ଓ ଶରୀରର ବର୍ଯ୍ୟବସ୍ତୁ ପେଟ ଭିତରେ ଜମା ହୋଇ ପେଟ ଭିତରେ ଥିବା ରକ୍ତ ସହିତ ମିଶିଯାଇଥିଲା। ପେଟ ଭିତରେ ମଧ୍ୟ ୧ଲିଟରରୁ ଅଧିକ ରକ୍ତ  ଜମା ହୋଇଯାଇଥିଲା। ରକ୍ତସ୍ରାବ ହୋଇଥିବା ଓ ରକ୍ତଚାପ କମିଯାଇଥିବାରୁ ଅବସ୍ଥା ସଙ୍ଗୀନ ଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଆହତଙ୍କୁ ରକ୍ତ ଏବଂ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇ ଅପରେସନ୍ ପାଇଁ ପ୍ରସ୍ତୁତ କରାଯାଇଥିଲା।

ଆଜି ଦିନ ୧ଟାରେ ଆରମ୍ଭ ହୋଇଥିବା ଏହି ଅପରେସନ୍ ପ୍ରାୟ ୪ ଘଣ୍ଟା କାଳ ଧରି ଚାଲିଥିଲା। ଅପରେସନ୍ କରାଯାଇ ନଷ୍ଟ ହୋଇଯାଇଥିବା ଅନ୍ତଃନଳୀକୁ ବାହାର କରାଯାଇ ଭଲ ଅଂଶ ସହିତ ପୁନଃସଂଯୋଗ କରାଯାଇଥିଲା। ସର୍ଜରୀ ବିଭାଗ ସହକାରୀ ପ୍ରଫେସର୍ ଡ. ଦେବାଶିଷ ରାୟଙ୍କ ନେତୃତ୍ବରେ ଏକ ୫ଜଣିଆ ସର୍ଜରୀ ଡାକ୍ତରୀ ଦଳ ଆହତଙ୍କ ଅପରେସନ୍ କରିଥିଲେ। ଏହି ଟିମରେ ସର୍ଜରୀ ବିଭାଗର ଡ. ତପନ କୁମାର ବେହେରା, ଡ. ଆଶିଷ କୁମାର ପୃଷ୍ଟି, ନିଶ୍ଚେତକ ବିଶେଷଜ୍ଞ ଡ. ଜଗନ୍ନାଥ ମିଶ୍ରଙ୍କ ଟିମ୍ ପ୍ରମୁଖ ସାମିଲ ଥିଲେ। ଏପରି ସର୍ଜରୀ ପିଆରଏମରେ ପ୍ରାୟତଃ ହୋଇନଥିବା କହିଲେ ଚଳେ। ବର୍ତ୍ତମାନ ଆହତ ଜଣଙ୍କ ସୁସ୍ଥ ଥିବା ଡ. ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର