ଜଳିଗଲା ୪୦ ଏକର ଆଖୁ କିଆରି, ବଢ଼ିଲା ଚାଷୀଙ୍କ ଚିନ୍ତା, କେମିତି କରିବେ ଋଣ ପରିଶୋଧ

ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ ବାହିନୀ ଗାଡ଼ିରେ ଲାଗିଲା ନିଆଁ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ହାଟୁଆରୀ ଗାଁର ୧୦ରୁ ଅଧିକ ଚାଷୀଙ୍କର ପ୍ରାୟ ୪୦ ଏକର ଉପରେ ଚାଷ ହୋଇଥିବା ଆଖୁ କିଆରିରେ ନିଆଁ ଲାଗିଯାଇଛି। ଫଳରେ ଚାଷୀମାନଙ୍କୁ ବ୍ୟାପକ ଅର୍ଥହାନୀର ସମ୍ମୁଖୀନ ହେବାକୁ ପଡ଼ିଛି। କାରଣ ଆଖୁ ଚାଷୀମାନେ ଏକର ପ୍ରତି ୨୦ ହଜାର ଟଙ୍କା ହିସାବରେ ଜଣ ପ୍ରତି ପ୍ରାୟ ୧ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଯାଏ ଋଣ କରିଛନ୍ତି। ଏପରିସ୍ଥିତିରେ ଏବେ ବ୍ୟାଙ୍କକୁ କେମିତି ପରିଶୋଧ କରିବେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

ରିପୋର୍ଟ ଅନୁସାରେ ବଡ଼ସୁଆଁଳ ପଞ୍ଚାୟତ ଅନ୍ତର୍ଗତ ହାଟୁଆରୀ ଗାଁର ଆଖୁ କିଆରିରେ ଅଚାନକ ନିଆଁ ଲାଗିଥିଲା। ଘଟଣା ସଂପର୍କରେ ସୂଚନା ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ୧୦ ଏକର ଜମିରେ ହୋଇଥିବା ଆଖୁ ଚାଷ ସଂପୂର୍ଣ୍ଣ ଜଳି ସାରିଥିଲା। ଏହା ପରେ ନିଆଁ ଲାଗିଲାଗିି ଥିବା ଅନ୍ୟ ଆଖୁ କିଆରି ଆଡ଼କୁ ବଢ଼ିଥିଲା।

ପ୍ରଭାବିତ ଚାଷୀ

ଗ୍ରାମର ଚାଷୀ ସରୋଜ ପଣ୍ଡା, ଦୁଷ୍ମନ୍ତ ମହାନ୍ତି, ଶ୍ରୀକର ମଳିକ, ବସନ୍ତ ମଳିକ, ଗୋବିନ୍ଦ ମଳିକ, ଖଗେଶ୍ୱର ମଳିକ, ନାରାୟଣ ପଣ୍ଡା, ପ୍ରଭାକର ପଣ୍ଡା, ଫଗୁନାଥ ଖୁଣ୍ଟିଆ, କେଶବ ବିହାରୀ, କୈଳାଶ ପଣ୍ଡା, ରମେଶ ମଳିକ 

ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ ବାହିନୀ ଗାଡି (ଓଡି ୩୩ ସି-୨୩୪୬)ର ଚକାରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ନିଆଁ ଲିଭାଇବାରେ ଅନେକ ଅସୁବିଧା ହୋଇଥିଲା। ଆଜି ସକାଳୁ ରଂଗମାଟିଆ ଗାଁ ଆଡୁ ଥିବା ଜମିରୁ କୌଣସି କାରଣରୁ ନିଆଁ ଲାଗିଥିଲା। ଧୀରେ ଧୀରେ ଏହା ଭୟଙ୍କର ରୁପ ନେଇଥିଲା। ଆଉ ନିଆଁ ଆୟତ୍ତ କରିବାକୁ ଚାଷୀ ଆଉ ଅଗ୍ନିଶମ ବାହିନୀ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ।

ଅଗ୍ନିଶମ ବାହିନୀ କର୍ମଚାରୀ ଆଉ ଚାଷୀମାନେ ହାତରେ ଡାଳ ଧରି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଆଖୁ ଅମଳ ହୋଇଥିଲେ ଚାଷୀମାନେ ଏହାକୁ ଏକ ଘରୋଇ କମ୍ପାନିରେ ବିକ୍ରି କରିଥାନ୍ତେ। ସେମାନେ ଭଲ ଦି ପଇସା ରୋଜଗାର କରି ନିଜର ଋଣ ପରିଶୋଧ କରିଥାନ୍ତେ। ଏବେ କିଛି ଚାଷୀ ଆଖୁକୁ କାଟିକି ରଖିଛନ୍ତି। ଆଉ ବହୁତ ଆଖୁ ଗଛ ଜମିରେ ଅଛି।

ସମ୍ବନ୍ଧିତ ଖବର