ଜିଲ୍ଲାପାଳଙ୍କ ଅଭିନବ ବୈଠକ: ଦରି ପାରି ତଳେ ବସିଲେ, ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହେଲେ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ରବିବାର ଏକ ଅଭିନବ ବୈଠକ କରିଛନ୍ତି। ଜଣେ ସାଧାରଣ ଲୋକ ଭଳି ସେ ଗାଁ ଲୋକଙ୍କ ସହିତ ଦରି ପାରି ତଳେ ବସିଛନ୍ତି। ଲୋକଙ୍କର ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି। ଆଜି ରବିବାର ହୋଇଥିବା ସତ୍ତ୍ୱେ ସେ କୁତ୍ରା ବ୍ଲକ ଅନ୍ତର୍ଗତ ଜ୍ଞାନପାଲି ପଞ୍ଚାୟତକୁ ଆସିଥିଲେ। ଛୁଟିଦିନକୁ ପଛରେ ପକାଇ ଲୋକଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ଚେୟାର ଟେବୁଲ ବ୍ୟବସ୍ଥା କରିଥିଲେ ହେଁ ଜିଲ୍ଲାପାଳ ଚେୟାର ବଦଳରେ ଦରି ଉପରେ ତଳେ ବସିଥିଲେ। ଜିଲ୍ଲାପାଳଙ୍କ ଏହି କାମକୁ ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ପ୍ରଶଂସା କରିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ଜିଲ୍ଲାପାଳ ଦିନ ୧୧.୩୦ରେ ଜ୍ଞାନପାଲି ଆସି ଲୋକଙ୍କ ସହ ଦୀର୍ଘ ଦିନ ଧରି ପେସା ସମର୍ଥକଙ୍କ ବିରୋଧ ଦ୍ୱାରା ଭେଲୁଆଁଡିହିରେ ବନ୍ଦ ପଡିଥିବା ୪୫ କୋଟିର ମେଗା ଜଳସେଚନ ପ୍ରକଳ୍ପ, ଜ୍ଞାନପାଲିରେ ୫ କୋଟିର ବ୍ୟୟ ଅଟକଳରେ ପ୍ରସ୍ତାବିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫ ଲକ୍ଷର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଦୋକାନ ଗୃହ ନିର୍ମାଣ ସମ୍ବଦ୍ଧରେ ସିଧାସଳଖ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ।

ଜିଲ୍ଲାପାଳ ଉପରୋକ୍ତ ୩ଟି ପ୍ରକଳ୍ପ ପାଇଁ ଲୋକଙ୍କର କଣ ମତାମତ ରହିଛି, ତାହା ଶୁଣିଥିଲେ। ଏହି ଆଲୋଚନା ବେଳେ କିଛି ପେସା ସମର୍ଥକ ମେଗା ଜଳସେଚନ ପ୍ରକଳ୍ପ ପାଇଁ ନଦୀରୁ ପାଣି ଦେବାକୁ ମନା କରୁଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଦୋକାନ ଗୃହ ନିର୍ମାଣ ପାଇଁ ଆପତ୍ତି ନଥିବା ଦର୍ଶାଇଥିଲେ। ଲୋକେ ନଦୀ ଜଳ ନେଇ ସରକାର କାଳେ କମ୍ପାନିକୁ ଦେଇଦେବ ଆଶଙ୍କା କରୁଥିବା ଆଲୋଚନା ବେଳେ ଜଣାପଡିଥିଲା। ପେସା ସମର୍ଥକ ଡିପ୍‌ ବୋରୱେଲ ଖୋଳି ଘରକୁ ଘର ପାଣି ଯୋଗାଇବାକୁ ଦାବି କରୁଥିବା ଦେଖାଯାଇଥିଲା ଏଥି ସହିତ ଗାଁର ଅବହେଳିତ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦାବି କରୁଥିବା ଦେଖାଯାଇଥିଲା

ସମ୍ବନ୍ଧିତ ଖବର