ନିର୍ବାଚନ ପୂର୍ବରୁ ମାଓବାଦୀ ସକ୍ରିୟ :ତୋଡ଼ା ପାହାଡ଼ ନିକଟରେ ମାଟିତଳୁ ୩୦ କେଜି ବିସ୍ଫୋରକ ଉଦ୍ଧାର

ଚାନ୍ଦା ନ ଦେବାରୁ ରୋଲର୍‌ ଜାଳିଦେଲେ ମାଓବାଦୀ

ରାଉରକେଲା/ବଣାଇଁଗଡ଼/ବିଶ୍ରା, : ସାଧାରଣ ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ସୀମାବାର୍ତୀ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ମାଓବାଦୀମାନେ ସୁନ୍ଦରଗଡ଼ ଜିଲ୍ଲାସ୍ଥ ବଣାଇଁ ଉପଖଣ୍ଡର ଅନେକ ସ୍ଥାନରେ ଲ୍ୟାଣ୍ଡ ମାଇନ୍ ଖଞ୍ଜି ଥିବା ବେଳେ ବିଶ୍ରା ଅଞ୍ଚଳରେ ରାସ୍ତା କାମରେ ନିୟୋଜିତ ଏକ ରୋଲର୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏଥିପାଇଁ ପୁଲିସ ପକ୍ଷରୁ ସଂପୃକ୍ତ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ କମ୍ବିଂ ଅପରେସନ୍‌କୁ ଯୋରଦାର କରାଯାଇଛି।
ମିଳିଥିବା ସୂଚନା ଆଧାରରେ ଜଣା ପଡ଼ିଛି ଯେ ଗତ କିଛି ଦିନ ହେଲା ବଣାଇଁ ଉପଖଣ୍ଡର କୋଇଡ଼ା, କେ. ବଲାଙ୍ଗ ଓ କାଲଟା ଫାଣ୍ଡି ଅଞ୍ଚଳରେ ମାଓବାଦୀମାନେ ଗୁପ୍ତ ବୈଠକ କରୁଛନ୍ତି। ପୁଲିସ ଓ ସିଆର୍‌ପିଏଫ୍‌ ଯବାନମାନେ ଯାତାୟତ କରୁଥିବା ରାସ୍ତାରେ ଲ୍ୟାଣ୍ଡ୍‌ ମାଇନ୍ ଲଗାଉଛନ୍ତି। ନିକଟରେ ତୋଡ଼ା ପାହାଡ଼ ନିକଟରେ ରାସ୍ତାର ମାଟି ତଳୁ ବିସ୍ଫୋରକ ଓ ବିଦ୍ୟୁତ୍‌ ତାର ଉଦ୍ଧାର କରାଯାଇଛି। କୋଇଡ଼ା ଥାନା ଅଞ୍ଚଳ ତଥା ସରଣ୍ଡା ଜଙ୍ଗଲ ସଂଲଗ୍ନ ତୋଡ଼ା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ପୁଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ବିସ୍ଫୋରକ ମିଳିଥିଲା। ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବା ଅନୁମାନ କରି ଯବାନମାନେ ଏହି ଅଞ୍ଚଳକୁ ଘେରାଉ କରି ରଖିଥିଲେ। ସିଆର୍‌ପିଏଫ ୧୯ ବାଟାଲିଅନର କମାଣ୍ଡାଣ୍ଟ ରାଜେଶ କୁମାରଙ୍କ ନେତୃତ୍ବରେ ବୋମା ନିଷ୍କ୍ରିୟକାରୀ ଦଳ ମାଟି ତଳେ ପୋତା ଯାଇଥିବା ପ୍ରାୟ ୨୫ରୁ ୩୦ କେଜି ଆଇଇଡିକୁ ଅକାମୀ କରି ଦେଇଥିଲେ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ମାଓବାଦୀମାନେ ସୀମାନ୍ତରେ ପୁଲିସ ଓ ଯବାନଙ୍କୁ ଅଡୁଆରେ ପକାଇବା ପାଇଁ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କମ୍ବିଂ ଅପରେସନ ଜୋର୍‌ଦାର କରାଯାଉଛି।
ନିର୍ବାଚନର ଠିକ୍ ପୂର୍ବରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରାର ଜୟକରଣକୁଦର ନିକଟରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ନିର୍ମାଣଧୀନ ରାସ୍ତା କାମ ପାଇଁ ବ୍ୟବହୃତ ଏକ ରୋଲର୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ସେମାନେ ମାଓନେତା ଅମନର ନାଁରେ ଏକ ହାତ ଲେଖା ପୋଷ୍ଟର୍‌ ଛାଡି ଚାଲି ଯାଇଛନ୍ତି। ଚାନ୍ଦା ନ ମିଳିବାରୁ ସେମାନେ ଏଭଳି କାଣ୍ଡ ଘଟାଇଥିବା ଉକ୍ତ ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଘଟଣା ସହିତ କେଉଁ ସଂଗଠନ ସଂପୃକ୍ତ ତାହା ନିର୍ଦ୍ଦିଷ୍ଟ ଭାବେ ଜଣା ପଡ଼ିନାହିଁ। ଏଭଳି ଚାନ୍ଦା ଆଦାୟ ଘଟଣା ପଛରେ ସାଧାରଣତଃ ପିଏଲ୍‌ଏଫ୍‌ଆଇ ଥିବାର ଅନେକ ଉଦାହରଣ ରହିଥିଲେ ମଧ୍ୟ ଏଥିରେ ଏହାର ସଂପୃକ୍ତି ସଂପର୍କରେ ମଧ୍ୟ ଜଣା ପଡ଼ିନାହିଁ। ଆଜି ସକାଳ ବିଶ୍ରା ଥାନା ଅଧିକାରୀ ବନିତା ମାଝି ଘଟଣାସ୍ଥଳରେ ପହଞ୍ଚି ମାଓନେତା ଅମନ ନାଁରେ ଛାଡି ଯାଇଥିବା ମାଓପୋଷ୍ଟର୍‌କୁ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି। ଉଲ୍ଲେଖନୀୟ ଯେ କଲିକତାର ତମାଲ ସରକାର ବିଶ୍ରା ବ୍ଳକର ବାରସୁଆଁ ଆର୍‌ଡି ରୋଡରୁ ବଡରାମୁଲାଇ ୧୦ କିଲୋମିଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମ କରୁଛନ୍ତି। ଏଥିପାଇଁ ମୋଟ୍‌ ୪୭୯.୫୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗତ ୪ ଦିନ ପୂର୍ବେ ୮/୧୦ଜଣ ଅସାମାଜିକ ଯୁବକ ସେଠାରେ ପହଞ୍ଚି ଠିକାଦାରଙ୍କୁ ଧମକ ଚମକ ଦେବା ସହ ମୋଟା ଅଙ୍କର ଚାନ୍ଦା ମାଗିଥିଲେ। ଠିକାଦାର ଏତେ ଟଙ୍କା ଦେବାକୁ ମନା କରିବାରୁ ସେମାନେ ଘଟଣାସ୍ଥଳରେ ବଡଧରଣ ହିଂସା ଘଟାଇବାକୁ ଧମକ ଦେଇ ଚାଲିଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସିଆର୍‌ପିଏଫ୍ ସ୍ଥାନୀୟ ପୁଲିସ ସହାୟତାରେ କମ୍ବିଂ ଅପରେସନ୍‌କୁ ଜୋରଦାର କରିଛି। ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ବିଶ୍ରା ଥାନା ଅନ୍ତର୍ଗତ ଅକ୍ଷୟଶୀଳା ନାଳ ଉପରେ ବ୍ରିଜ ନିର୍ମାଣରେ ବ୍ୟବହାର ହେଉଥିବା କେତେକ ଗାଡିକୁ କିଛଇ ଲୋକ ଜାଳି ଦେଇଥିଲେ। ଏହି ଘଟଣାରେ ବିଶ୍ରା ପୁଲିସ କେତେଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର