ଜମ୍ମୁରେ ବନ୍ଧକ ଲାଠିକଟାର ୨୨ ଶ୍ରମିକ : ମୁକ୍ତି ପାଇଁ ସମାଜସେବୀଙ୍କ ସହାୟତା ଲୋଡିଲେ

ରାଉରକେଲା: ଅଧିକ ରୋଜଗାର ଆଶାରେ ପ୍ରଲୋଭିତ ହୋଇ ଦଲାଲଙ୍କ ଦ୍ୱାରା ଚାଲାଣ ହୋଇଥିବା ସୁନ୍ଦଗରଡ଼ ଜିଲ୍ଲା ଲାଠିକଟା ଅଞ୍ଚଳର ଆଉ ୨୨ ଶ୍ରମିକ ଜମ୍ମୁ- କାଶ୍ମୀରରେ ବନ୍ଧା ପଡ଼ିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଆଜି ସମାଜସେବୀ ଚାନ୍ଦମଣି ସାଣ୍ଡିଲଙ୍କୁ ଭେଟି ସମସ୍ତ କଥା କହିଛନ୍ତି। ରାଉରକେଲା ଏସ୍‌ପି ଡକ୍ଟର ଉମାଶଙ୍କର ଦାଶ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରି ବନ୍ଧା ପଡ଼ିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ପରିବାର ଲୋକ ସମାଜସେବୀ ସାଣ୍ଡିଲଙ୍କୁ ଅନୁରୋଧ କରିଛନ୍ତି। ପରିବାର ଲୋକଙ୍କ ଠାରୁ ବନ୍ଧକ ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ସେଠାରୁ ମୁକୁଳାଇ ଆଣିବାକୁ ସମାଜସେବୀ ସାଣ୍ଡିଲ ଏସ୍‌ପି ଡକ୍ଟର ଦାଶ ଓ ଜିଲ୍ଲା ଶ୍ରମ ଅଧିକାରୀ ପାତ୍ରଙ୍କୁ ଫୋନ୍‌ ଯୋଗେ ଅନୁରୋଧ କରିଛନ୍ତି। ପରିବାର ପକ୍ଷରୁ ଦିଆଯାଇଥିବା ଶ୍ରମିକଙ୍କ ନାମ ଓ ଠିକଣା ଦେଇଛନ୍ତି।

ତାଙ୍କ କହିବାନୁସାରେ, ଲାଠିକଟା ଥାନା ଅନ୍ତର୍ଗତ ମନକୋ ପଞ୍ଚାୟତ ସାଇକାଟୋଲାର ସମା ଓରାମ (୩୫), ବିସା ଓରାମ (୨୫),ଏତୁଆ ଓରାମ (୩୫)ଙ୍କ ସମେତ ୪ଜଣ ଓ ବିର୍ଡାର ସମ୍ଭୁଆ ଏକ୍କା (୨୧)ଙ୍କୁ ପ୍ରଲୋଭିତ କରି ଗତ ୨୦୧୭ ଅକ୍ଟୋବର ୧୦ରେ ଫର୍ଟିଲାଇଜର ଦେଓଗାଁର ଦଲାଲ ଗଙ୍ଗା ଲୋହାର ଜମ୍ମୁ ଚାଲାଣ କରିଥିଲା। କେବଳ ୫ ଶ୍ରମିକ ନୁହେଁ ସ୍ଥାନୀୟ ଅଞ୍ଚଳର ଆହୁରି ୧୭ଜଣଙ୍କୁ ଦଲାଲ ଗଙ୍ଗା ଜମ୍ମୁ-କାଶ୍ମୀରେ ଜଣ ପିଛା ୪୦ରୁ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଛି। ଏ ପର୍ଯ୍ୟନ୍ତ ସେମାନଙ୍କର ଖୋଜ୍‌ ଖବର ମିଳୁ ନାହିଁ। ସେମାନଙ୍କୁ ସେଠାରେ ମାଲିକଙ୍କ ଘରେ କ୍ରୀତଦାସ ପରି ଖଟିବାକୁ ବାଧ୍ୟ କରାଯାଉଛି। ସେମାନଙ୍କୁ ଦୁଇ ଓଳି ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନାହିଁ। ପ୍ରତିବାଦ କଲେ ମାଲିକଙ୍କ ଠାରୁ ସେମାନଙ୍କୁ ମାଡ଼ ଖାଇବାକୁ ପଡ଼ୁଛି। ନିରୀହ ତଥା ଦରିଦ୍ର ଆଦିବାସୀ ଶ୍ରମିକଙ୍କୁ ଅନୁରୂପ ଭାବେ ପ୍ରଲୋଭିତ କରି ଦଲାଲ ଗଙ୍ଗା ଶ୍ରମିକଙ୍କୁ କେବଳ ଜମ୍ମୁ-କାଶ୍ମୀର ନୁହେଁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଗୁଜୁରାଟ ଆଦି ଅଞ୍ଚଳକୁ ଚାଲାଣ କରୁଛି, ଯାହା ତଦନ୍ତ ସାପେକ୍ଷ। ସୂଚନାଯୋଗ୍ୟ, ଗତ ୫ ରେ ଜମ୍ମୁ- କାଶ୍ମୀରରେ ବନ୍ଧକ ୭ ଶ୍ରମିକଙ୍କ ପରିବାର ରାଉରକେଲା ଏସ୍‌ପିଙ୍କୁ ଭେଟି ଫେରାଇ ଆଣିବାକୁ ଗୁହାରି କରିଥିଲେ। ବନ୍ଧା ପଡ଼ିଥିବା ଅନ୍ୟ ଶ୍ରମିକମାନେ କିଭଳି ଅକଥନୀୟ ନିର୍ଯ୍ୟାତନା ଭୋଗୁଛନ୍ତି, ସେଠାରୁ ଲୁଚି ପଳାଇ ଆସିଥିବା ରାମ ଲୋହାର ବିସ୍ଫୋରକ ବୟାନ ଦେଇଥିଲେ। ସମାଜସେବୀ ଚାନ୍ଦମଣି କହିଥିଲେ, ଫର୍ଟିଲାଇଜର ଦେଓଗାଁର ଦଲାଲ୍‌ ଗଙ୍ଗା ଲୋହାର ଗତ ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁସୁମଟୋଲାର ରାମ ଲୋହାର (୨୩), ତାଙ୍କ ସାନ ଭାଇ ବିଶାଳ (୧୯) ଓ ପଡୋଶୀ ସହାୟ ବରୁଆ (୨୦)ଙ୍କୁ ଜମ୍ମୁ-କାଶ୍ମୀରର ଏକ କାରଖାନାରେ କାମ କଲେ ମାଗଣାରେ ଖାଇବା ଓ ରହିବା ସହିତ ପାରିଶ୍ରମିକ ବାବଦରେ ମାସକୁ ୧୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭିତ କରିଥିଲା। ଏମାନେ ବିଶ୍ୱାସ କରି ଗଙ୍ଗା ସହିତ ଜମ୍ମୁ-କାଶ୍ମୀର ଯାଇଥିଲେ। ତେବେ ସେଠାରେ ପହଞ୍ଚିବା ପରେ କାରଖାନାରେ କାମ ଦେବା ବଦଳରେ ଏହି ତିନିଜଣଙ୍କୁ ଭିନ୍ନ ଭିନ୍ନ ଲୋକଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦରରେ ବିକ୍ରି କରି ଗଙ୍ଗା ରାଉରକେଲା ଫେରିଆସିଥିଲା। ମାଲିକଙ୍କ ନିର୍ଯ୍ୟାତନା ସହ୍ୟ ନ କରି ପାରି ରାମ ଲୋହାର ଗତ ଏପ୍ରିଲ ୧୦ରେ ନିଜ ଦୁର୍ଦ୍ଦଶା ସମ୍ପର୍କରେ ପତ୍ନୀ ନିମତୀଙ୍କୁ ଜଣେ ପଡୋଶୀଙ୍କ ଫୋନରେ ଜଣାଇଥିଲେ। ଏହା ଜାଣିବା ପରେ ନିମତୀ ସ୍ୱାମୀଙ୍କ ସହ ଦିଅର ବିଶାଳ ଓ ପଡ଼ୋଶୀ ସହାୟଙ୍କୁ ଫେରାଇ ଆଣିବାକୁ ସମାଜସେବୀ ସାଣ୍ଡିଲଙ୍କୁ ନେହୁରା ହୋଇଥିଲେ। ନିମତୀଙ୍କୁ ନେଇ ସେ ଚାନ୍ଦିପୋଷ ଥାନାରେ ଲିଖିତ ଏତଲା ଦେଇଥିଲେ। ମାତ୍ର ଥାନା ଅଧିକାରୀ ଏତଲା ଗ୍ରହଣ ନକରି ସେମାନଙ୍କୁ ଫେରାଇ ଦେଇଥିଲେ। ତେବେ ଏହାର କିଛି ଦିନ ପରେ ରାମ ଲୋହାର କୌଶଳକ୍ରମେ ସେଠାରୁ ଖସି ଘରକୁ ପଳାଇ ଆସିଥିଲେ।

ସମ୍ବନ୍ଧିତ ଖବର