ସୁନ୍ଦରଗଡ଼ ଏସ୍‌ପିଙ୍କୁ ଦୁର୍ବ୍ୟବହାର: ୩ ଗିରଫ

ହେମଗିର : ହେମଗିର ଓ ଲେଫ୍ରିପଡ଼ା ସୀମାନ୍ତବର୍ତ୍ତୀ ବାଞ୍ଜିକଚ୍ଚାର ଜଙ୍ଗଲରେ ପୁଲିସ ଫୋର୍ସ ଉପସ୍ଥିତିରେ ୭୬୫ କେଭି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ଟଣା କାର୍ଯ୍ୟ ଆରମ୍ଭ ହେବା ଉତ୍ତେଜନା ଲାଗି ରହିଛି। ପେସା ଗ୍ରାମସଭାର ବିରୋଧ ଯୋଗୁଁ ୩ ଦିନ ପୂର୍ବେ ପୁଲିସ ଫୋର୍ସ ଉପସ୍ଥିତିରେ ତାର ଟଣା କାର୍ଯ୍ୟ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ଆଜି ବାଞ୍ଜିକଚ୍ଚାର ଆସି ଟାଓ୍ଵାର ନିର୍ମାଣ ଓ ତାର ଟଣା କାର୍ଯ୍ୟ ତଦାରଖ କରିଥିଲେ। ଏହିି ସମୟରେ ୩ ଜଣ ଯୁବକ ଗାଁ ମୁଣ୍ଡରେ ଏକ ପଥର ଫଳକରେ କିଛି ଲେଖୁଥିବା ବେଳେ ଏସ୍‌ପି ତାଙ୍କୁ ମନା କରିଥିଲେ। ଯୁବକମାନେ ଏସ୍‌ପିଙ୍କ ସହ ଯୁକ୍ତିତର୍କ କରିଥିଲେ। ଏସ୍‌ପିଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ସେମାନଙ୍କୁ ବାରଣ କରିବାରୁ ଯୁବକମାନେ କୁଆଡ଼େ ତାଙ୍କୁ ମାଡ଼ ମାରିଥିଲେ। ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଡ୍ୟୁଟିରେ ବାଧା ଦେଇଥିବାରୁ ହେମଗିର ଥାନାରେ ଏକ ମାମଲା ରୁଜୁ ହୋଇ ୩ ଯୁବକଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ବଢିଛି। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ଦମନଲୀଳା ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର