୭ ବାଇକ୍‌ ଲୁଟେରା ଗିରଫ, ୨୧ ବାଇକ୍‌ ଜବତ

ରାଉରକେଲା : ସୁନ୍ଦରଗଡ ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ ଜିଲ୍ଲାରେ ନେଟ୍‌ଓ୍ଵାର୍କ ଚଳାଇଥିବା ବାଇକ୍‌ ଲୁଟେରା ଗ୍ୟାଙ୍କର ମାଷ୍ଟରମାଇଣ୍ଡ ସମେତ ୭ଜଣଙ୍କୁ ଆଜି ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସେକ୍ଟର-୧ କଲ୍ୟାଣୀ ବସ୍ତିର ଶତ୍ରୁଘ୍ନ ବୈଇଥା (୨୬), ବିଶ୍ରା ଥାନା ଅନ୍ତର୍ଗତ ବାଗଡେଗାର ବିପିନ ଓରାମ (୨୫), କୈରକେରା ରମେଶ ଓରାମ (୨୮), ସାରୁବାହାଲର ଅର୍ଜୁନ ତନ୍ତୀ (୩୦), ଜରେଇକେଲାର ବିଶ୍ୱନାଥ କଚ୍ଛପ (୩୫), ଝାରଖଣ୍ଡ ପଶ୍ଚିମସିଂହଭୂମ ମକରଣ୍ଡାର କମଲ ମହାତୋ (୨୮), ସିମ୍‌ଡେଗାର ବିଶ୍ୱନାଥ ବଡାଇକ (୨୫)। ଜବତ ବାଇକ ଗୁଡିକ ମଧ୍ୟରେ ରହିଛି ବୁଲେଟ୍‌, ଟିଭିଏସ୍‌ ଆପାଚି, ବଜାଜ ପଲ୍‌ସର, ହିରୋହୁଣ୍ଡା ପାସନପ୍ରୋ, ବକ୍ସର, ହୁଣ୍ଡା ଏକ୍ଟିଭା, ଗ୍ଲେମର, ହୁଣ୍ଡାଇ ସାଇନ୍‌ ଇତ୍ୟାଦି।

ଶତ୍ରୁଘ୍ନ, ବିପିନ ଗ୍ୟାଙ୍କର ନେତୃତ୍ୱ ନେଉଥିଲେ। ଅନ୍ୟ ୪ ଅଭିଯୁକ୍ତ ବାଇକଗୁଡିକ ବିକିବାରେ ଦୁହିଁଙ୍କୁ ସହାୟତା କରୁଥିଲେ। ରାଉରକେଲା ସହର ସମେତ, ବରଗଡ, ସମ୍ବଲପୁର, ଝାରସୁଗୁଡା ସହରର ପ୍ରମୁଖ ସ୍ଥାନରୁ ବାଇକଗୁଡିକ ଲୁଟ୍‌ କରୁଥିଲେ। ସମସ୍ତ ବାଇକ୍‌ଗୁଡିକରେ ରାଉରକେଲାର ନକଲି ନମ୍ବର ଲଗାଇ ଝାରଖଣ୍ଡର ମନୋହରପୁର, ଜରେଇକେଲା, ସିମ୍‌ଡେଗା, ସୁନ୍ଦରଗଡର ରାଇବୋଗା, କୁତ୍ରା, ବୀରମିତ୍ରପୁର ଆଦି ଉପାନ୍ତ ଅଞ୍ଚଳର ଲୋକଙ୍କୁ ବିକୁଥିଲେ। ୧ ହଜାର ଟଙ୍କାରୁ ନେଇ ୭ହଜାର ଟଙ୍କା ବିିକିବା ସହ ସେମାନଙ୍କ ନକଲି ଆର୍‌ସି ବୁକ୍‌ ଦେଉଥିଲେ। ଝାରଖଣ୍ଡର କମଲ ମହାତୋ ବାଇକ ଗୁଡିକର ନକଲି ଆର୍‌ସି ବୁକ୍‌ ପ୍ରସ୍ତୁତ କରୁଥିଲେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ତାଙ୍କ କହିବାନୁଯାୟୀ ମୁଖ୍ୟଅଭିଯୁକ୍ତ ଶତ୍ରୁଘ୍ନ ଗତ ୩/୪ ବର୍ଷ ଧରି ଚୋରି, ଡକାୟତି ଆଦି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସିଛି। ସହର ବିଭିନ୍ନ ଥାନା ପକ୍ଷରୁ ୪ରୁ ଅଧିକବାର ଜେଲ ମଧ୍ୟ ଯାଇଛି। ସହରର ହସ୍ପିଟାଲ, ମୁଖ୍ୟବଜାର, ବ୍ୟାଙ୍କ,କୋର୍ଟ, ମାର୍କେଟ କମ୍ପ୍ଲେକ୍ସ ଆଗରେ ରଖାଯାଇଥିବା ବାଇକଗୁଡିକୁ ଟାର୍ଗେଟ କରିଥାନ୍ତି। ବାଇକ ରଖୁଥିବା ଲୋକଙ୍କ ଗତିବିଧିକୁ ଲକ୍ଷ୍ୟ କରନ୍ତି। ବାଇକ ଚାଳକ ସେଠାରୁ ଚାଲିଗଲା ପରେ ଚତୁରତା ସହକାରେ ନକଲି ଚାବି ସହାୟତାରେ ବାଇକଗୁଡିକୁ ନେଇ ଫେରାର ହୋଇ ଯାଆନ୍ତି। ଶତ୍ରୁଘ୍ନର ଗ୍ୟାଙ୍କର ଅନ୍ୟ କେଉଁମାନେ ଅଛନ୍ତି। ସେମାନଙ୍କ ନେଟ୍‌ଓ୍ଵାର୍କ ୪ଟି ଜିଲ୍ଲା ନା ଅନ୍ୟ ଜିଲ୍ଲାରେ ଚାଲିଛି, ସେ ନେଇ ସେମାନଙ୍କୁ ପଚରାଉଚୁରା କରାଯାଉଛି।

ସମ୍ବନ୍ଧିତ ଖବର