ପାଣି ପାଉଚ୍‌ ପାଇଁ:୯ ଛାତ୍ରଙ୍କୁ ଅମାନବୀୟ ମାଡ଼

- ୪ ଛାତ୍ର ଲହୁଲୁହାଣ:- ଘଟଣାକୁ ଚପାଇ ଦେବାକୁ ଉଦ୍ୟମ

ରାଉରକେଲା: ସାମାନ୍ୟ ପାଣି ପାଉଚ୍‌ ପାଇଁ ୯ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ ହୋଇଛି। ତାହା ପୁଣି ସ୍କୁଲ୍‌ ଭିତରେ। ମାଡ଼ ମାରିଛନ୍ତି ସ୍କୁଲ୍‌ର ଶିକ୍ଷକ ଓ ଶିକ୍ଷୟିତ୍ରୀ। ଫଳରେ ୪ ଜଣ ଛାତ୍ର ଲହୁଲୁହାଣ ହୋଇ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମାଡ଼ ସହି ନ ପାରି ଜଣେ ଛାତ୍ର ବେହୋସ ହୋଇ ଯାଇଥିଲେ। ସ୍କୁଲ୍‌ ବାହାରର ଏକ ଘଟଣାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏଭଳି ଅମାନବୀୟ କାଣ୍ଡ ଅଭିଭାବକଙ୍କ ସମେତ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏହି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ମଧ୍ୟ ହେଉଛି।
ବିଦ୍ୟାଳୟ ପରିସର ହେଉଛି ଦଣ୍ଡମୁକ୍ତ ଅଞ୍ଚଳ। କିନ୍ତୁ ଗତ ମଙ୍ଗଳବାର ଦିନ ଏକ ସାଧାରଣ ଘଟଣା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ କକ୍ଷକୁ ଭିତର ପଟୁ ବନ୍ଦ କରି ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୯ ଜଣ ଛାତ୍ରଙ୍କୁ ନିସ୍ତୁକ ପିଟିଥିଲେ। ଛାତ୍ରମାନଙ୍କୁ ଏଭଳି ମାଡ଼ ଦିଆଯାଇଥିଲା ଯେ ୨ଟି ବାଡ଼ି ଭାଙ୍ଗି ଯାଇଥିଲା। ମାଡ଼ରେ ୫ମ ଶ୍ରେଣୀର ଜଣେ ଏବଂ ୬ଷ୍ଠ ଶ୍ରେଣୀର ୮ ଜଣ ଛାତ୍ର ଆହତ ହୋଇଥିଲେ। ୪ ଜଣଙ୍କ ଗୋଡ଼ ଫାଟି ଯାଇ ରକ୍ତ ବାହାରିଥିଲା। ଜଣେ ଛାତ୍ର ବେହୋସ ହୋଇଯିବାରୁ ତାଙ୍କୁ ଲହୁଣିପଡ଼ା ହସ୍ପିଟାଲକୁ ନିଆଯାଇଥିଲା। ମାଡ଼ ଖାଇଥିବା ଛାତ୍ରମାନଙ୍କ ଦୋଷ ହେଲା ସେମାନେ ପାଣି ପାଉଚ୍‌ ପାଇଁ ଠେଲାପେଲା କରିଥିଲେ, ତାହା ପୁଣି ସ୍କୁଲ୍ ପରିସର ବାହାରେ। ସେଦିନ ନିକଟସ୍ଥ ଗମ୍ଭାରଡିହି ଠାରେ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିଲା। ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପ୍ରସା‌ଦ ସେବନ କରିବାକୁ ନେଇଥିଲେ। ଖାଇ ସାରିବା ପରେ ପାଣି ପାଉଚ୍‌ ପାଇଁ ଠେଲାପେଲା ହୋଇଥିଲା। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ରାଗରେ ସ୍କୁଲ୍‌କୁ ଫେରିବା ପରେ ଶ୍ରେଣୀ କକ୍ଷ ଭିତରେ ଛାତ୍ରମାନଙ୍କୁ ବନ୍ଦକରି ଆଖିବୁଜା ମାଡ଼ ମାରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲ୍‌ରେ ମାଗଣା ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ଛାତ୍ରମାନଙ୍କୁ ଖାଇବା ପାଇଁ ବାହାରକୁ କାହା ଅନୁମତିରେ ପଠାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପରେ ନିଜ ଦୋଷ ସ୍ବୀକାର କରିବା ପରିବର୍ତ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସୂଚନା ମିଳିଛି। ଏହାର ଏକ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର