ପତ୍ନୀକୁ ହତ୍ୟା କରି ପତିର ଆତ୍ମହତ୍ୟା_- ୩ ଶିଶୁ ସନ୍ତାନ ଅନାଥ

କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତର ଗଣୁଆ ଗ୍ରାମରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଏହି ଦମ୍ପତ୍ତିଙ୍କ ମୃତ୍ୟୁ ପରେ ୫ ବର୍ଷ ବୟସ ମଧ୍ୟରେ ଥିବା ତାଙ୍କର ୩ ଶିଶୁ ସନ୍ତାନ ଅନାଥ ହୋଇଛନ୍ତି। କୋଇଡ଼ା ପୁଲିସ ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ଗତ ରାତିରେ ଗଣୁଆ ଗ୍ରାମର ପ୍ରଦୀପ ପେଣ୍ଠେଇ ଓ ତାଙ୍କ ପତ୍ନୀ ପାର୍ବତୀ ପେଣ୍ଠେ (୨୫)ଙ୍କ ମଧ୍ୟରେ ଘରୋଇ ସମସ୍ୟାକୁ ନେଇ ବଚସା ହୋଇଥିଲା। ଏହି ଝଗଡ଼ା କ୍ରମେ ଉଗ୍ର ରୂପ ନେଇଥିଲା। ପ୍ରଦୀପ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ପତ୍ନୀ ପାର୍ବତୀକୁ ନିସ୍ତୁକ ମାଡ଼ ମାରିଥିଲା। ଫଳରେ ଶରୀରର ବିଭିନ୍ନ ସ୍ଥାନରୁ ପ୍ରଚୁର ରକ୍ତସ୍ରାବ ହୋଇ ଘର ଭିତରେ ହିଁ ପାର୍ବତୀର ମୃତ୍ୟୁ ଘଟିଥିଲା। ପରଦିନ ସକାଳେ ପ୍ରଦୀପ ନିଜ ଭୁଲ ବୁଝି ପାରି ସ୍ଥାନୀୟ ସରପଞ୍ଚ ଦିବାକର ନାଏକଙ୍କ ଘରକୁ ଯାଇ ପତ୍ନୀକୁ ମାରି ଦେଇଥିବା କହିଥିଲା। ସରପଞ୍ଚ ଶ୍ରୀ ନାଏକ ଏ ସମ୍ପର୍କରେ କୋଇଡ଼ା ଥାନାକୁ ଜଣାଇଥିଲା। ପୁଲିସ ଘରେ ପହଞ୍ଚିବା ପୂର୍ବରୁ ପ୍ରଦୀପ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା। ପୁଲିସ ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ କରୁଛି। ମୃତ ଦମ୍ପତ୍ତିର ୩ଟି ଶିଶୁ ସନ୍ତାନ ଅନାଥ ହୋଇଯାଇଥିବାରୁ ତାଙ୍କ ଉପଯୁକ୍ତ ଥଇଥାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର