ଲୁଟେରା ଠାବ: ୫ ଲକ୍ଷ ଟଙ୍କା, ୨ ବାଇକ୍‌ ଜବତ

ଏଟିଏମ୍‌ ଟଙ୍କା ଗାଡ଼ିରୁ ୨୫ ଲକ୍ଷ ଲୁଟ୍‌ ମାମଲା

ରାଉରକେଲା : ସୋରଡ଼ା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ସିଏମ୍‌ଏସ୍‌ କ୍ୟାସ୍‌ ଭ୍ୟାନ୍‌ରୁ ଶୁକ୍ରବାର ୨୫ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ ପୁଲିସ୍‌ ଲୁଟେରାମାନଙ୍କୁ ଠାବ କରିବାରେ ସକ୍ଷମ ହୋଇଛି। ପୁଲିସ୍‌ ପକ୍ଷରୁ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ସୂଚନା ଦିଆଯାଇ ନଥିଲେ ମଧ୍ୟ ଲୁଟ୍‌ ଅର୍ଥରୁ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୪ ଲୁଟେରା ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ବ୍ୟବହାର କରିଥିବା ବାଇକ୍‌ ଦୁଇଟିକୁ ମଧ୍ୟ ପୁଲିସ୍‌ ଜବତ କରିଛି। ତଦନ୍ତରେ ବାଧା ହେବା ଦୃଷ୍ଟିରୁ ପୁଲିସ ଲୁଟେରାମାନଙ୍କ ପରିଚୟ ଗୋପନ ରଖିଛି।

ନୂଆଗାଁ ବ୍ଲକ୍‌ର ସୋରଡ଼ା ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏଟିଏମ୍‌କୁ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଏସ୍‌ଏମ୍‌ଏସ୍‌ କ୍ୟାସ୍‌ ଭ୍ୟାନ୍‌ରୁ ଶୁକ୍ରବାର ରାତି ୮ଟା ବେଳେ ୨୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଦୁଇଟି ବାଇକ୍‌ରେ ୪ ଜଣ ସଶସ୍ତ୍ର ଦୁର୍ବୃତ୍ତ ନୂଆଗାଁ-ସୋରଡ଼ା ରାସ୍ତାରେ କ୍ୟାସ୍‌ ଭ୍ୟାନ୍‌କୁ ଅଟକାଇ ପିସ୍ତଲ ଓ ଭୁଜାଲି ଦେଖାଇ ଗାଡ଼ିରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିବା ପରେ ଟଙ୍କା ନେଇ ଚମ୍ପଟ୍‌ ମାରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଗାଡ଼ିରେ ଥିବା ୪ ଜଣ କର୍ମଚାରୀଙ୍କୁ ବିଶ୍ରା ଥାନାରେ ଅଟକ ରଖି ପୃଥକ ପୃଥକ ଜେରା କରିଥିଲା। ସେମାନଙ୍କ କଥାରେ ତାଳମେଳ ରହୁନଥିବାରୁ ପୁଲିସ୍‌ର ସନ୍ଦେହ ସେମାନଙ୍କ ଉପରେ ନିବଦ୍ଧ ହୋଇଥିଲା। ଶେଷରେ ଗାଡ଼ି ଚାଳକଙ୍କ ସୂଚନା ଆଧାରରେ ପୁଲିସ ଦଳ ଗତ ରାତିରେ ରାଉରକେଲା କୋଏଲନଗର ଅଞ୍ଚଳରେ ଚଢଉ କରିଥିଲା। ଗାଡ଼ିରେ ଥିବା ଜଣେ କର୍ମଚାରୀଙ୍କ ଘରୁ ଲୁଟ୍‌ ଅର୍ଥରୁ ୫ ଲକ୍ଷ ଟଙ୍କା ପୁଲିସ୍‌ ଜବତ କରିଥିଲା। ବିଶ୍ରା ଥାନାରେ ପୁଲିସ ଲୁଟେରାମାନଙ୍କୁ ଜେରା କରୁଛି।

ସମ୍ବନ୍ଧିତ ଖବର