ରେଳ ଲାଇନ ଖାତରେ ପଡି ହାତୀ ଶାବକର ମୃତ୍ୟୁ

ସାଢ଼େ ୪ ଘଣ୍ଟା ବନ୍ଦ ରହିଲା ରେଳ ଚଳାଚଳ ହାତୀ କରିଡର ଭିତରେ ଖୋଳା ହୋଇଥିବା ଗାତକୁ ଘେରା ଯାଇ ନ ଥିଲା କାହିଁକି?

ରାଉରକେଲା: ଢ଼େଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କର ଶୋଚନୀୟ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ବନ୍ୟାପ୍ରାଣୀ, ମୁଖ୍ୟତଃ ହାତୀଙ୍କ ସୁରକ୍ଷା ଦିଗରେ ଆମେ ‌କେତେ ସଚେତନ ଓ ଯତ୍ନବାନ ତା’ର ଆଉ ଏକ ବିକଳ ପ୍ରମାଣ ସୁନ୍ଦରଗଡ଼ ଜିଲ୍ଲାରେ ମିଳିଛି। ରେଳବାଇ ତଥା ଲାଇନ ନିର୍ମାଣ କରୁଥିବା ଠିକା ସଂସ୍ଥାର ଖାମଖିଆଲି ମନୋଭାବ କାରଣରୁ ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ରାଉରକେଲା ନିକଟସ୍ଥ ବିଶ୍ରା ରେଞ୍ଜ ଅନ୍ତର୍ଗତ ମହିପାଣି ଲେଭଲ କ୍ରସିଂ ନିକଟସ୍ଥ ତୃତୀୟ ରେଳ ଲାଇନ ନିର୍ମାଣ ପାଇଁ ଖୋଳା ଯାଇଥିବା ଖାତରେ ପଡି ଏହି ତିନି ମାସ ବୟସର ଛୁଆହାତୀ ମୃତ୍ୟୁବରଣ କରିଛି। ଗତକାଲି ରାତି ପ୍ରାୟ ୧୨ଟାରେ ଦୁଇ ଛୁଆ ହାତୀ ସମେତ ୧୭ଟି ହାତୀଙ୍କର ଏକ ପଲ ମହିପାଣି ସଂରକ୍ଷିତ ଜଙ୍ଗଲରୁ ବାହାରି ମହିପାଣି ଗାଁ ଆଡକୁ ଯାଉଥିଲେ। ଲେଭଲ କ୍ରସିଂ ନିକଟରୁ ପ୍ରାୟ ୩୦୦ ମିଟର ଦୂର ରେଳ ଲାଇନ ପାରି ହେଉଥିଲାବେଳେ ଅଣ୍ଡିରା ଛୁଆହାତୀଟିଏ ରେଳ ଲାଇନ ତିଆରି ପାଇଁ ଖୋଳା ହୋଇଥିବା ଏକ ଖାତରେ ପଡିଯାଇଥିଲା। ଛୁଆହାତୀକୁ ଉଦ୍ଧାର କରିବାକୁ ମା’ ସମେତ ଅନ୍ୟ ହାତୀମାନେ ଶୁଣ୍ଢରେ ମାଟି ଓ ପଥର ଖାତ ଭିତରେ ପକାଇଥିଲେ। ଖାତ ପୋତି ଯିବାରୁ ଅଣନିଶ୍ବାସ ହୋଇ ଛୁଆ ହାତୀର ମୃତ୍ୟୁ ହୋଇଯାଇଥିଲା। ତା’ପରେ ହାତୀ ଦଳକ ଯାକ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ପାତ କରିଥିଲେ। ଖାତ ନିକଟରୁ ସେମାନେ ଯାଇ ନ ଥିଲେ କି ତା’ ପାଖକୁ କୌଣସି ଲୋକଙ୍କୁ ଛାଡି ନ ଥିଲେ। ଖବର ପାଇ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ବାଇଁ, ଅତିରିକ୍ତ ବନ୍ୟ ସଂରକ୍ଷକ ଦିଲୀପ ସାହୁ, ପାନପୋଷ ରେଞ୍ଜର ଦୁର୍ଯ୍ୟ ସାହୁ ଓ ବିଶ୍ରା ରେଞ୍ଜର ମନୋଜ କୁମାର ତିଗ୍‌ଗାଙ୍କ ସମେତ ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ନିଆଁ ହୁଳା ଦେଖାଇ, ବାଣ ଫୁଟାଇ ହାତୀପଲକୁ ସେଠାରୁ ମହିପାଣି ସଂରକ୍ଷିତ ଜଙ୍ଗଲକୁ ‌ଘଉଡାଇ ଦେଇଥିଲେ। ଛୁଆ ହାତୀକୁ ଛାଡି ହାତୀପଲ ଜଙ୍ଗଲକୁ ଚାଲିଯିବା ପରେ ରାତି ପ୍ରାୟ ୩ଟାରେ ବନ ବିଭାଗ କର୍ମଚାରୀମାନେ ଖାତ ଭିତରୁ ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ଆଜି ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତହାତୀ ଶାବକ ଉପରେ ଟଙ୍କା ଓ ଫୁଲ ପକାଇ ପୂଜା ଅର୍ଚ୍ଚନା କରିଥିଲେ। ଅପରାହ୍ନ ପ୍ରାୟ ୯ଟାରେ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପରେ ହାତୀଛୁଆକୁ ଗାତ ଖୋଳି ପୋତି ଦିଆଯାଇଛି। ସେପଟେ ରେଳ ଲାଇନ ନିକଟରେ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ଉଦ୍ଧାର କାର୍ଯ୍ୟ ପାଇଁ ବମ୍ବେ- ହାୱଡା ମୁଖ୍ୟ ଲାଇନରେ ରାତି ସାଢ଼େ ୧୨ଟାରୁ ସାଢ଼େ ୪ଟା, ଅର୍ଥାତ୍‌ ମୋଟ୍‌ ସାଢ଼େ ୪ ଘଣ୍ଟା ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାଉରକେଲା ଦେଇ ଯାତାୟତ କରୁଥିବା ଦୂରନ୍ତ ଏକ୍ସପ୍ରେସ୍‌, ଜ୍ଞାନେଶ୍ବରୀ ଏକ୍ସପ୍ରେସ, ବମ୍ବେ- ହାୱଡା ମେଲ୍‌ ସମେତ ୧୨ରୁ ଅଧିକ ଏକ୍ସପ୍ରେସ୍‌ ସମେତ ୧୦ରୁ ଅଧିକ ମାଲବାହୀ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଥିଲା। କେତେକ ରାସ୍ତାରେ ଅଟକି ରହିଥିବାବେଳେ କେତେକ‌ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଭୋର ସାଢ଼େ ୪ଟା ପରେ ଯାତାୟତ ସ୍ବାଭାବିକ ହୋଇଥିଲେ ହେଁ ଅନେକ ଏକ୍ସପ୍ରେସ, ସୁପରପାଷ୍ଟ ସମେତ ପାସେଞ୍ଜର ଟ୍ରେନ ସାଢ଼େ ୪ଘଣ୍ଟା ବିଳମ୍ବରେ ଚାଲିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା। ଇତିମଧ୍ୟରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି। ହାତୀ କରିଡର୍‌ ଇଲାକା ମଧ୍ୟରେ ଖୋଳା ଯାଇଥିବା ଖାତ ଚତୁଃପାର୍ଶ୍ବକୁ ତୃତୀୟ ଲାଇନ ନିର୍ମାଣ କାମ ଠିକା ନେଇଥିବା ସଂସ୍ଥା କାହିଁକି ଘେରାବନ୍ଦୀ କରିନାହିଁ ସେ ବିଷୟରେ ରେଳବାଇ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଦାୟିତ୍ବରେ ଥିବା ରେଳବାଇ ଅଧିକାରୀମାନେ ଠିକାସଂସ୍ଥାର କାମକୁ ପୂର୍ବରୁ କାହିଁକି ତଦାରଖ କରି ନ ଥିଲେ, ସାଧାରଣରେ ପ୍ରଶ୍ନ ଉଠୁଛି। ଢ଼େଙ୍କାନାଳ ଘଟଣା ପାଇଁ ଏକାଧିକ ଅଧିକାରୀଙ୍କୁ ଦଣ୍ଡ ବିଧାନ କରା ଯାଇଥିଲା, ଏ ଶିଶୁ ହାତୀର ମୃତ୍ୟୁ ପାଇଁ କି କାର୍ଯ୍ୟାନୁଷ୍ଠାନ ନିଆଯିବ, ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର