ରାଉରକେଲା: ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଡିଓ

ରାଉରକେଲା: ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଧରାପଡ଼ି ଗିରଫ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରାଉତଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଆଜି ଗିରଫ କରିଛନ୍ତି। ସେ ୧୧ ଲକ୍ଷ ୫୦ ହଜାର ଟଙ୍କା ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରୀ ପାଇଁ ଝିରପାଣି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ଠାରୁ ଏହି ଅର୍ଥ ଦାବି କରୁଥିଲେ।

ପ୍ରଶାନ୍ତ କୁମାର ଜେନାଙ୍କୁ ବିଡିଓ ପ୍ରଶାନ୍ତ କୁମାର ରାଉତ ଲାଞ୍ଚ ପାଇଁ ବହୁ ଚାପ ପ୍ରୟୋଗ କରୁଥିଲେ। ଏଥିରେ ଇଞ୍ଜିନିୟର ପ୍ରଶାନ୍ତ ମାନସିକ ଚିନ୍ତାରେ ରହୁଥିଲେ। ଘଟଣା ସଂପର୍କରେ ସେ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଏହା ପରେ ପ୍ରଶାନ୍ତ କୁମାର ରାଉତଙ୍କୁ ପାନେ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଯୋଜନା ଅନୁସାରେ ବିଡିଓ ପ୍ରଶାନ୍ତ ଆଜି ଅପରାହ୍ନ ୨ଟା ୩୦ରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ପହଞ୍ଚି ଥିଲେ। ଲାଞ୍ଚ ଟଙ୍କାରେ ୩୫ଟି ୨୦୦୦ ଟଙ୍କିଆ ଏବଂ ୬୦ଟି ୫୦୦ ଟଙ୍କିଆ ନୋଟ୍‌ ଥିଲା। ପ୍ରଶାନ୍ତ ରାଉତଙ୍କୁ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ପଠାଯାଇଛି।

ସମ୍ବନ୍ଧିତ ଖବର