ଶାଶୂଙ୍କୁ ମାଡ଼ମାରି ଜେଲ୍‌ ଗଲା ବୋହୂ

ରାଉରକେଲା: ଯୌତୁକ ପାଇଁ ଶାଶୂଘର ଲୋକେ ବୋହୂମାନଙ୍କୁ ନିର୍ଯାତନା ଦେବା କଥା ଶୁଣାଯାଇଛି। ଏବେ ବୋହୂମାନେ ଶାଶୂଙ୍କୁ ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଲାଣି। ଏଭଳି ଏକ ଘଟଣା ଘଟିଯାଇଛି ରାଉରକେଲା ସହର ଝିରପାଣି ଥାନା ଅନ୍ତର୍ଗତ କୋଏଲନଗରରେ। ୭୫ ବର୍ଷର ବୃଦ୍ଧା ଶାଶୂ କୁସୁମ ଶର୍ମାଙ୍କୁ ବୋହୂ ଗୀତା ଶର୍ମା (୪୦)ଅକଥନୀୟ ନିର୍ଯାତନା ଦେବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଛି। ତେବେ ଅଭିଯୋଗ ପରେ ଆଜି ବୋହୂ ଗୀତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟ ଜାମିନ ନାମଞ୍ଜୁର କରି ତାଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି। ଆଜି ସକାଳ ସାଢ଼େ ୬ଟାରେ କୋଏଲନଗର ସି-୫୪୨ କ୍ୱାର୍ଟର୍ସରେ ରହୁଥିବା ବିଧବା ବୃଦ୍ଧା କୁସୁମଙ୍କୁ ତାଙ୍କୁ ବୋହୂ ଗୀତା ବିଧା ଗୋଇଠା ମାରିବା ସହ ତଳେ ପକାଇ ବେକରେ ଚଢ଼ି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ପ୍ରାଣ ବିକଳରେ କୁସୁମ ଚିତ୍କାର କରିବାରୁ ପାଖ ପଡ଼ୋଶୀ ମହିଳାମାନେ ଧାଇଁ ଯାଇ ତାଙ୍କୁ ଗୀତା କବଳରୁ ଛଡ଼ାଇ ଆଣିଥିଲେ। ଏହା ପରେ ବୃଦ୍ଧା ଶାଶୂ ଝିରପାଣି ଥାନାକୁ ଯାଇ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଗୀତାକୁ ଗିରଫ କରିଥିଲା।
ଅଭିଯୋଗ ଅନୁସାରେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରୁଥିବା ସ୍ୱାମୀ ସୁମନଚନ୍ଦ୍ରଙ୍କ ୧୫ ବର୍ଷ ତଳେ ଦେହାନ୍ତ ହୋଇଯିବା ପରେ କୁସୁମ ପୁଅବୋହୂଙ୍କ ଆଶ୍ରା କରି ରହିଲେ।

ତେବେ ସ୍ୱାମୀଙ୍କ ପିଏଫ୍‌, ଗ୍ରାଚ୍ୟୁଇଟି ଟଙ୍କା କୁସୁମଙ୍କୁ ମିଳିଥିଲା। ସେଥିରୁ କିଛି ଟଙ୍କା ଘର କାମରେ ଲଗାଇଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା କୁସୁମଙ୍କ ଆକାଉଣ୍ଟ୍‌ରେ ରହିଛି। ବୋହୂ ଗୀତା ସେ ସବୁ ଟଙ୍କା ଉଠାଇ ତାକୁ ଦେବାକୁ କିଛି ଦିନ ହେଲା ଶାଶୂ କୁସୁମଙ୍କୁ ଚାପ ପକାଇ ଆସୁଥିଲା। ହେଲେ ସେ ମଲା ପରେ ତ ସବୁ ଟଙ୍କା ପୁଅବୋହୂଙ୍କ ହେବ କହି କୁସୁମ ଟଙ୍କା ଦେବାକୁ ମନା କରି ଦେଇଥିଲେ। ବାସ ଏତିକିରେ ବୋହୂ ଗୀତା ଉଗ୍ର ମୂର୍ତ୍ତି ଧାରଣ କରି କୁସୁମଙ୍କୁ ନିର୍ଯାତନା ଦେଇ ଚାଲିଲା। ଅନେକ ସମୟରେ ମାଡ଼ ମାରିବା, ଘରୁ ତଡ଼ିଦେବା, ଖାଇବାକୁ ନଦେବା ଭଳି ଯନ୍ତ୍ରଣା ଦେଉଥିଲା ଗୀତା। ଏପରିକି ବୃଦ୍ଧାଙ୍କ ପୁଅ ଏହାର ପ୍ରତିବାଦ କଲେ ତାଙ୍କୁ ବି କୁଆଡ଼େ ଗୀତା ହାତରୁ ମାଡ଼ ଖାଇବାକୁ ପଡ଼ୁଥିଲା। ଅତି ନମ୍ର ସ୍ୱଭାବ ହେତୁ ପୁଅ ବିଶେଷ କିଛି ପ୍ରତିକ୍ରିୟା ପ୍ରକାଶ କରି ପାରୁ ନଥିଲେ। ପାଖ ପଡ଼ୋଶୀ ବେଳଅବେଳରେ କୁସୁମଙ୍କୁ ଖାଇବାକୁ ଦେଉଥିଲେ।

ଘଟଣାକ୍ରମରେ ଗତ କିଛି ଦିନ ତଳେ ଗୀତା ଝଗଡ଼ା କରି କୁସୁମଙ୍କୁ ଘରୁ ବାହାର କରି ଦେଇଥିଲା। ଏପରିକି କୁସୁମଙ୍କୁ ଆଧାର ଓ ଭତ୍ତା କାର୍ଡକୁ ବି ପୋଡ଼ି ଦେଇଥିଲା। କଥା ଯାଇ ଥାନାରେ ପହଞ୍ଚିଥିଲା। ଶାଶୂବୋହୂଙ୍କ ଝଗଡ଼ା ହୋଇ ଥିବାରୁ ପୁଲିସ ବୁଝାମଣା କରିବାକୁ ସମାଜସେବୀ ମିନତି ଦେବତାଙ୍କ ସହାୟତା ନେଇଥିଲା। ଶ୍ରୀମତୀ ଦେବତା ପଡ଼ୋଶୀଙ୍କ ସହ ବୋହୂ ଗୀତାଙ୍କୁ ବହୁ ବୁଝାସୁଝା କରିବା ପରେ ସେ ବୃଦ୍ଧା କୁସୁମଙ୍କୁ ଘରେ ରହିବାକୁ ଦେଇଥିଲା। ଗତକାଲି ପୁଣି କୁସୁମଙ୍କୁ ଘରୁ ବାହାର କରି ତାଲା ପକାଇ ଦେଇଥିଲା ଗୀତା। ଖବର ପାଇ ମିନତି ଦେବତା ସନ୍ଧ୍ୟାରେ ପୁଣି ତାଙ୍କ ଘରକୁ ଯାଇ ଗୀତାକୁ ତାଗିଦ କରିବା ପରେ ବୃଦ୍ଧା କୁସୁମଙ୍କୁ ଘରକୁ ନେଇଥିଲା। ହେଲେ ଆଜି ସକାଳେ ଶାଶୂ କୁସୁମଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲା।

ସମ୍ବନ୍ଧିତ ଖବର