ଠକିଦେଲା ବର, ମଙ୍ଗଳୁ କନ୍ୟା ବସିଛି

ରାଉରକେଲା: ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲା। ବନ୍ଧୁ ସମ୍ପର୍କୀୟମାନେ ପ୍ରୀତିଭୋଜନ ସାରି ଘରକୁ ଚାଲି ଯାଇଥିଲେ। ରାତିରେ ବର ପହଞ୍ଚିଥିଲେ ବାହାଘର ହୋଇଥାନ୍ତା। ବର ବେଦବ୍ୟାସରେ ପହଞ୍ଚିବା ଖବର ଶୁଣି ଝିଅର ମଙ୍ଗୁଳା ଯାଇଥିଲା। କିନ୍ତୁ ବର ଆସିଲାନି। ପ୍ରାୟ ମାସେ ହେଲା ଘରେ ବସି ରହିଛି ମଙ୍ଗୁଳା କନ୍ୟା। ସେକ୍ଟର ୧୬ ସ୍ଥିତ ଇସ୍ପାତ ଉତ୍କଳ ବସ୍ତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। କନ୍ୟା ପିତାଙ୍କ ଏତଲଶକ୍ରମେ ସେକ୍ଟର ୧୫ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ରାଉରକେଲା ପୁଲିସର ଏକ ଟିମ୍‌ ବିହାର ଗୟା ଜିଲ୍ଲାର ଟେକାରୀ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଛି। ଆସନ୍ତା ୧୬ ତାରିଖ ମଧ୍ୟରେ ବର ଓ ତାଙ୍କ ପରିବାର ଲୋକେ ଥାନାରେ ହାଜର ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।
ଟେକାରୀ ଗ୍ରାମର କୁନ୍ଦନ କୁମାର ମୌର୍ଯ୍ୟ ବୋକାରୋ ଇସ୍ପାତ କାରଖାନାରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ବିବାହ ଉତ୍କଳ ବସ୍ତିରେ ସ୍ଥିର ହୋଇଥିଲା। ଫେବ୍ରୁଆରୀ ୧୮ ତାରିଖ ଦିନ ବିବାହ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା।

ବରସହ ବରଯାତ୍ରୀ ସକାଳ ସାଢେ ୮ଟାରେ ନିଜ ଗ୍ରାମରୁ ରାଉରକେଲା ବାହାରିଥିବା କନ୍ୟା ପକ୍ଷକୁ ସୂଚନା ଦିଆଯାଇଥିଲା। କନ୍ୟା ପକ୍ଷ ସେକ୍ଟର ୧୮ ସୋସିଆଲ୍‌ ହୋମ୍‌ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ବିବାହ ଭୋଜିର ଆୟୋଜନ କରିଥିଲେ। ରାତି ପ୍ରାୟ ୮ଟା ବେଳକୁ ସେମାନେ ରାଉରକେଲା ପାଖରେ ପହଞ୍ଚି ଗଲେ ବୋଲି ଟେଲିଫୋନରେ କହିଥିଲେ। କନ୍ୟା ଘର ଲୋକେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବକୁ ଭୋଜିରେ ଆପ୍ୟାୟିତ କରିଥିଲେ। ଝିଆ ମଙ୍ଗୁଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ବରଯାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇ ରହିଥିଲା। ରାତି ପ୍ରାୟ ୨ଟା ବେଳକୁ କନ୍ୟା ପିତା ପାଖକୁ ଏକ ମୋବାଇଲ୍‌ ହ୍ଵାର୍ଟସ୍‌ ଅପ୍‌ ରେ ବରର ଦୁର୍ଘଟଣାରେ ଆହତ ଫଟୋ ଆସିଥିଲା। ବେଦବ୍ୟାସରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଇଥିଲା। କନ୍ୟା ପକ୍ଷରୁ ଦୁଇଟା ଗାଡ଼ିରେ ଲୋକେ ବେଦବ୍ୟାସ ଯାଇଥିଲେ। କିନ୍ତୁ କାହାକୁ ପାଇ ନଥିଲେ। ପରଦିନ ସକାଳେ କନ୍ୟା ପିତା ସତ୍ୟାସତ୍ୟ ଜାଣିବା ପାଇଁ ବର ଘରକୁ ଯାଇଥିଲେ। ସେଠାରେ ସେ ଆଉ ଜଣେ ଯୁବତୀକୁ ବିବାହ କରିଥିବା ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର