ଦୁଷ୍କର୍ମ ପରେ ବୋହୂକୁ ପୋଡ଼ିଦେଲେ ବିଲ୍‌ଡର୍‌ !

ଅଭିଯୁକ୍ତ ଥାନାରେ ଅଟକ

ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ, ଟିଏମ୍‌ଏଚ୍‌ରେ ଚାଲିଛି ଚିକିତ୍ସା

ରାଇରଙ୍ଗପୁର : ଶେଷରେ ବଡ଼ଘରର ଗୁମର ପଦାକୁ ଆସିଛି। ରାଇରଙ୍ଗପୁରର ବିଶିଷ୍ଟ ବ୍ୟବସାୟୀ ତଥା ବିଲ୍‌ଡର ରାମଗୋପାଲ ଖେମକା ନିଜ ବୋହୂକୁ ଦୁଷ୍କର୍ମ କରିବା ପରେ କିରାସିନି ଢ଼ାଳି ନିଆଁ ଲଗାଇ ମାରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ନିଆଁରେ ପୋଡ଼ିହୋଇ ସଂକଟାପନ୍ନ ଅବସ୍ଥାରେ ବୋହୂ ଯାମିନୀ(ଛଦ୍ମନାମ) (୨୬) ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଯାମିନୀଙ୍କ ଶରୀରର ୯୫ ଭାଗ ପୋଡ଼ିଯାଇଛି। ଜାମସେଦପୁର ଟାଟା ମେମୋରିଆଲ୍‌ ହସପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛିି।

ଯାମିନୀଙ୍କ ବାପା ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଗୋପାଲ (ଛଦ୍ମନାମ) ଅଗ୍ରୱାଲଙ୍କ ଅଭିଯୋଗ; ତାଙ୍କ ଝିଅକୁ ଶ୍ୱଶୁର ରାମଗୋପାଲ ପାଶବିକ ଅତ୍ୟାଚାର କରି ଆସୁଥିଲେ। ଯାମିନୀ ପ୍ରତିରୋଧ କରିବାକୁ ଚେଷ୍ଟା କରିବାକୁ ତାଙ୍କୁ ହତ୍ୟା କରିବାକୁ ସେ ରୀତିମତ ଷଡ଼ଯନ୍ତ୍ର କରିଥିଲେ। ଶ୍ରୀ ଅଗ୍ରୱାଲଙ୍କ ଅଭିଯୋଗକୁ ଭିତ୍ତିକରି ରାଇରଙ୍ଗପୁର ଟାଉନ ଥାନା କେସ୍‌ ନମ୍ବର ୬/୨୦୧୮ରେ ଏକ ମାମଲା ରୁଜୁ ହୋଇଛି। ତେଣେ ପୁଲିସ ଅଭିଯୁକ୍ତ ରାମଗୋପାଲ ଖେମକାଙ୍କୁ ଧରିନେଇ ଜାମସେଦପୁରର ବିଷ୍ଣୁପୁର ଥାନାରେ ଅଟକ ରଖିଛି। ଟାଉନ ଥାନା ଆଇଆଇସି ପ୍ରଦୀପ କୁମାର ମାଝୀ ତାଙ୍କୁ ପଚରା ଉଚରା କରୁଛନ୍ତି। ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ଖେମକାଙ୍କ ଏଭଳି କୁକର୍ମର ପର୍ଦ୍ଦାଫାସ୍‌ ହେବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି।

ରାଇରଙ୍ଗପୁର ସହରର ଧରମଗଳି (ୱାର୍ଡ ନଂ.୬)ରେ ବିଶିଷ୍ଟ ବ୍ୟବସାୟୀ ତଥା ବିଲଡର୍‌ ରାମଗୋପାଲ ଖେମକାଙ୍କ ଘର। ସାରା ସହରରେ ତାଙ୍କର ବେଶ୍‌ ପ୍ରତିପତ୍ତି ରହିଛି। ତାଙ୍କ ପୁଅ ଅବିନାଶ ମଧ୍ୟ ବ୍ୟବସାୟରେ ବାପାଙ୍କୁ ସହଯୋଗ କରୁଥିଲେ। ଅବିନାଶ ଖେମକାଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଗୋପାଲ ଅଗ୍ରୱାଲଙ୍କ ଝିଅ ଯାମିନୀଙ୍କ ଗତ ୨୮ ଏପ୍ରିଲ ୨୦୧୪ରେ ବିବାହ ହୋଇଥିଲା। ପ୍ରଥମେ ଯାମିନୀ ଶାଶୂଘରେ ବେଶ ଖୁସିରେଥିଲେ। ଏବେ ତାଙ୍କର ୫ମାସର ପୁଅ ମଧ୍ୟ ରହିଛି। କିନ୍ତୁ ଶ୍ୱଶୁର ରାମଗୋପାଲଙ୍କ ଖରାପ ନଜର ତାଙ୍କ ଉପରେ ପଡ଼ିଥିଲା। ପୂର୍ବରୁ ଯାମିନୀ ଏନେଇ ନିଜ ପରିବାର ଲୋକଙ୍କୁ କହିବାକୁ ଚାହିଁ ମଧ୍ୟ ଲୋକଲଜ୍ଜାକୁ ଡରି ଚୁପ୍‌ ରହିଯାଉଥିଲେ। ଶେଷରେ ରାମଗୋପାଲ ଯୋଜନା କରି ପରିବାର ଲୋକଙ୍କୁ ହାଇଦ୍ରାବାଦ ପଠାଇ ଦେଇଥିଲେ। ଏହାର ସୁଯୋଗ ନେଇ ସେ ଲଗାତର ତିନି ଦିନଧରି ବୋହୂ ସହ ଦୁଷ୍କର୍ମ କରିଥିଲେ। ଏନେଇ ଯାମିନୀ ତାଙ୍କ ଘର ଲୋକଙ୍କୁ ଖବର ଦେବାକୁ ଚେଷ୍ଟା କରିବାରୁ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା।

ଗତକାଲି ସକାଳେ ରାମଗୋପାଲ ଦୁଷ୍କର୍ମ କରିବା ପରେ ଯାମିନୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ। ଯାମିନୀଙ୍କ ଦେହରେ କିରାସିନି ଢ଼ାଳି ସେ ନିଆଁ ଲଗାଇ ଦେଇଥିଲେ। ପତ୍ନୀ ଯାମିନୀଙ୍କୁ ବଂଚାଇବାକୁ ଯାଇ ଅବିନାଶ ମଧ୍ୟ ସାମାନ୍ୟ ପୋଡ଼ି ଯାଇଥିଲେ। ଯାମିନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତିକରା ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜାମସେଦପୁରର ଟାଟା ମେମୋରିଆଲ୍‌ ହସପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଶରୀରର ୯୫ ପ୍ରତିଶତରୁ ଊର୍ଧ୍ୱ ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଖବର ପାଇ ବାପା ଗୋପାଲ ଅଗ୍ରୱାଲ ଟିଏମ୍‌ଏଚ୍‌ରେ ପହଞ୍ଚିଥିଲେ। ମୁମୂର୍ଷୁ ଝିଅଠାରୁ ଏଭଳି କୁକର୍ମ ସଂପର୍କରେ ଜାଣିବା ପରେ ତାଙ୍କ ପରିବାର ଲୋକେ କ୍ରୋଧାନ୍ଵିତ ହୋଇ ଯାଇଛନ୍ତି।

ଘଟଣାସ୍ଥଳରେ ଜାମସେଦପୁରର ବିଷ୍ଣୁପୁର ଥାନା ପୁଲିସ୍‌ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିବା ସହ ରାମଗୋପାଲ ଖେମକାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଆଜି ରାଇରଙ୍ଗପୁର ଟାଉନ ଥାନାରେ ଯାମିନୀଙ୍କ ବାପା ଗୋପାଲ ଅଗ୍ରୱାଲ ଅଭିଯୋଗ କରିବା ପରେ ପୁଲିସ ଦଫା ୩୭୬, ୨୦୧, ୩୪ ଆଇପିସି, ୫୦୬ ମୂଳେ ମାମଲା ରୁଜୁ କରି ତଦନ୍ତ ଜାରି ରଖିିଛି।

ସମ୍ବନ୍ଧିତ ଖବର