ସମ୍ପତ୍ତି ଲୋଭରେ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା

ଛେଣ୍ଡ ଡବଲ୍‌ ମର୍ଡରର ପର୍ଦ୍ଦାଫାସ

ରାଉରକେଲା : ଛେଣ୍ଡ କଳିଙ୍ଗ ବିହାର କୋ-ଅପରେଟିଭ୍‌ କଲୋନି ଡବଲ୍‌ ମର୍ଡରର ମୁଖ୍ୟ ଅଭିଯୁକ୍ତ ବ୍ରଜ କିଶୋର ସାହୁ ପୁଲିସ ହାତରେ ଧରାପଡ଼ିଛି। ସମ୍ପତ୍ତି ଲୋଭରେ ଦ୍ୱିତୀୟ ସ୍ୱାମୀ ବ୍ରଜ ହିଁ ଶିକ୍ଷୟିତ୍ରୀ ଇଷ୍ଟର ଲେଙ୍କାଙ୍କ ତଣ୍ଟି କାଟି ହତ୍ୟା କରିଛି। ଏପରିକି ଧରାପଡ଼ିଯିବା ଆଶଙ୍କାରେ ନିଜ ଭାଣିଜୀକୁ ମଧ୍ୟ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ବ୍ରଜ ପୁଲିସ ଆଗରେ ସ୍ୱୀକାର କରିଛି।

ପୁଲିସ ସୂଚନାନୁଯାୟୀ, ବେଦବ୍ୟାସ ନିକଟ ଫାର୍ସାଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଇଷ୍ଟରଙ୍କୁ ଟେମ୍ପୋ ଚାଳକ ବ୍ରଜ ପ୍ରତ୍ୟହ ନେବା ଆଣିବା କରୁଥିଲା। ଏହା ଭିତରେ ସ୍ୱାମୀଙ୍କ ସହିତ ବିବାହ ବିଚ୍ଛେଦ ହେବା ପରେ ଇଷ୍ଟରଙ୍କ ସହିତ ବ୍ରଜର ପ୍ରେମ ସମ୍ପର୍କ ଗଢ଼ିି ଉଠିଥିଲା। ତେବେ ଇଷ୍ଟରଙ୍କ ସ୍ୱାମୀଙ୍କ ନିଧନ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ଚଳିବା ସହ ଇଷ୍ଟର ଦ୍ୱିତୀୟ ବିବାହ କରିଥିବା ଅନେକଙ୍କୁ କହିଥିଲେ। ବେଦବ୍ୟାସ କଲେଜରେ ଯୁକ୍ତ ଦୁଇ ପଢୁଥିବା ବ୍ରଜଙ୍କ ଭାଣିଜୀ ମଧୁସ୍ମିତା(୧୭)ଙ୍କୁ ଆଣି ଇଷ୍ଟର କଳିଙ୍ଗ ବିହାର ଘରେ ରଖିଥିଲେ।

ଏକାଠି ରହୁଥିଲେ ବି କିଛି ମାସ ହେଲା ସେମାନଙ୍କର ଭଲ ସମ୍ପର୍କ ନଥିଲା। ବ୍ରଜ ବେପାର ପାଇଁ ଇଷ୍ଟରଙ୍କ ଠାରୁ ଅଧିକ ଟଙ୍କା ଆଶା କରୁଥିଲା। କିନ୍ତୁ ଇଷ୍ଟର ତାଙ୍କୁ ଟଙ୍କା ନଦେଇ ନିଜ ପ୍ରଥମ ସ୍ୱାମୀଙ୍କ ଔରସରୁ ଜାତ ପୁଅ ଓ ଝିଅଙ୍କ ପଛରେ ଟଙ୍କା ଖର୍ଚ୍ଚ କରୁଥିଲେ। ଏହାକୁ ନେଇ ବ୍ରଜ ଓ ଇଷ୍ଟରଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଏପରିକି ବ୍ରଜକୁ ଘରୁ ବାହାରି ଯିବାକୁ ଇଷ୍ଟର ଧମକ ଦେଉଥିଲେ। ଏଥିରେ ବ୍ୟଥିତ ହୋଇ ବ୍ରଜ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ସେପ୍ଟେମ୍ବର ୨୫ ତାରିଖ ରାତି ପ୍ରାୟ ସାଢ଼େ ୧୨ଟାରେ ବ୍ରଜ ଲୁଚାଇ ରଖିଥିବା ଏକ ଲୁହା ରଡ଼ରେ ଶୋଇଥିବା ଇଷ୍ଟରଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଚିତ୍କାର କରି ଇଷ୍ଟର ନିଦରୁ ଉଠିବା କ୍ଷଣି ଛୁରୀରେ ବ୍ରଜ ତାଙ୍କ ବେକ କାଟି ଦେଇଥିଲା। ଶବ୍ଦ ଶୁଣି ମଧୁସ୍ମିତା ନିଦରୁ ଉଠିଯିବାରୁ ବ୍ରଜ ତା’ର ମୁଣ୍ଡକୁ ପ୍ରହାର କରିବା ସହ ବେକକୁ ଚାପି ଧରି ଶ୍ୱାସରୁଦ୍ଧ କରି ମାରିଥିଲା। ହତ୍ୟାକାଣ୍ଡ ପରେ ଘର ଗ୍ରୀଲ୍‌କୁ ଭିତର ପଟୁ ତାଲା ପକାଇ ଫେରାର୍‌ ହୋଇଯାଇଥିଲା। ସେ ରାଉରକେଲାରୁ ଝାଡ଼ଖଣ୍ଡର ରାଞ୍ଚିକୁ ଚାଲି ଯାଇଥିଲେ। ସେଠାରୁ ପୁଣି ରାଉରକେଲା ଆସୁଥିବା ବେଳେ ବେଦବ୍ୟାସ ଠାରେ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର