ଲାଞ୍ଚୁଆ କିରାଣିଙ୍କୁ ବର୍ଷେ ଜେଲ୍‌

ସୁନ୍ଦରଗଡ଼: ଡ୍ରାଇଭିଂ ଲାଇସେନ୍ସ କରାଦେବା ଆଳରେ ୨ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାଉରକେଲା ପରିବହନ କାର୍ଯ୍ୟାଳୟର ପୂର୍ବତନ କିରାଣି ତଥା ଏବେକାର କୁଆରମୁଣ୍ଡା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସଞ୍ଜିତ କୁମାର ରାୟଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସାକ୍ଷୀଙ୍କ ବୟାନ, ପାରିପାର୍ଶ୍ୱିକ ପରିସ୍ଥିତିକୁ ବିଚାର କରି ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ ଆର୍‌.କେ. ସାହୁ ଏହି ଶୁଣାଣି କରିଛନ୍ତି। ଏହା ସହିତ ୧୫ ହଜାର ଆର୍ଥିକ ଦଣ୍ଡାଦେଶ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅତିରିକ୍ତ ୨ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।
ସୁନ୍ଦରଗଡ଼ ଡେଙ୍ଗିଭାଡିର ସ୍ଥାୟୀ ବାସିନ୍ଦା ତଥା ବର୍ତ୍ତମାନ ଉଦିତନଗର ରେଭେନ୍ୟୁ କଲୋନିରେ ରହୁଥିବା ସଞ୍ଜିତ ରାଉରକେଲା ପରିବହନ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ସେକ୍‌ସନରେ କାର୍ଯ୍ୟରତ ଥିଲେ। ବ୍ରାହ୍ମଣୀତରଙ୍ଗ ଥାନା ଝାଡ଼ତରଙ୍ଗ ଗ୍ରାମର ଅନାମ ଲାକ୍ରା ଗତ ୨୦୦୨ ମସିହା ଫେବ୍ରୁଆରି ୧୫ ତାରିଖ ଦିନ ଡିଏଲ୍‌ କରିବାକୁ ପରିବହନ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ସେତେବେଳେ ବିଭାଗରେ ଥିବା କିରାଣି ସଞ୍ଜିତ ତାଙ୍କୁ ୨ଶହ ଟଙ୍କା ଲାଞ୍ଚ ଦେଲେ ଡିଏଲ୍‌ ମିଳିବ ବୋଲି କହିଥିଲେ। ଅଭିଯୋଗକାରୀ ଯେତେ କାକୁତି ମିନତି ହେଲେ ସୁଦ୍ଧା ସଞ୍ଜିତ ନ ଶୁଣିବାରୁ ଦିନକ ପରେ ଅର୍ଥାତ ୧୬ ତାରିଖ ଦିନ ଅନାମ ଟଙ୍କା ଦେବେ ବୋଲି ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସଞ୍ଜିତ ୨ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିନେଇଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଧର୍ମେଶ କୁମାର ପଟେଲ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର