ଢାବା ପଛରୁ ଶିଶୁ ଶ୍ରମିକର ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ହେମଗିର: ବସୁନ୍ଧରା ଖଣି ଗେଟ୍‌ ସମ୍ମୁଖ ବୁଡ଼ା ଢାବା ପଛ ଘାସବୁଦାର ଏକ ଶିଶୁ ଶ୍ରମିକର ଉଲଗ୍ନ ମୃତ ଦେହକୁ ହେମଗିର ପୁଲିସ ଉଦ୍ଧାର କରିଛି। ମୃତକର ଦେହ ସହ ଯୌନାଙ୍ଗ ବି ଫୁଲିଥିବା ଦେଖାଯାଇଛି। ପିନ୍ଧିଥିବା ପ୍ୟାଣ୍ଟଟି ଆଣ୍ଠୁ ତଳକୁ ଖସି ଯାଇଥିବା ବେଳେ ବେକରେ କଟାଦାଗ ରହିଛି। ସେହିପରି ଢାବା ଠାରୁ ୧୦ ମିଟର ଦୂରତାରେ ଶବଟି ପଡ଼ିଥିବା ବେଳେ କିଛି ଦୂରତାରେ ଚପଲ ପଡ଼ିଥିବାରୁ ତାକୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଆଲୋଚନା ହେଉଛି। ମୃତ ଶିଶୁର ନାମ ପ୍ରଶାନ୍ତ ପାଶଓ୍ଵାନ (୧୪)। ଘର ବିହାରର ସମସ୍ତିପୁରା ଜିଲ୍ଲାରେ ହୋଇଥିବା ବେଳେ ସେ ଛୋଟ ବେଳୁ ହିଁ ବୁଡ଼ାଢାବାରେ କାମ କରି ଆସୁଥିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଗତ ୧୦ ଦିନ ହେଲା ଢାବା ବନ୍ଦ ଥିବା ବେଳେ ଗତକାଲି ପ୍ରଶାନ୍ତ ନିଖୋଜ ଥିବା ନେଇ ଢାବା ମାଲିକଙ୍କ ପୁଅ ବିଦ୍ୟାଭୂଷଣ ସାହା ବଲିଙ୍ଗା ଫାଣ୍ଡିରେ ଏତଲା ଦେଇଥିଲେ। କିନ୍ତୁ ଢାବାରେ ଅନ୍ୟ କିଛି ଘଟିଥିବା ସନ୍ଦେହ ହୋଇଛି।
ଢାବା ପଛପଟ ଝରକା ତାରଜାଳି କଟା ଯାଇଥିବା ବେଳେ ଭିତରେ ଖାଇବା ଖଟରେ ମଦ ଗ୍ଲାସ, ହେଲମେଟ୍‌ ଓ ଶୀତଟୋପି ଥୁଆ ହୋଇଥିବା ଦେଖାଯାଇଛି। ସେହିପରି ଖଟରେ ଚପଲ, ଜୋତା ସହ ଏକାଧିକ ପାଦ ଚିହ୍ନ ପଡ଼ିଥିବା ସାଇଣ୍ଟିଫିକ୍‌ ଟିମ୍‌ର ନଜରକୁ ଆସିଛି। ମାଲିକଙ୍କ କହିବା ଅନୁସାରେ ଗତ ୧୦ ଦିନ ହେଲା ଢାବା ବନ୍ଦ ରହିଥିଲା, ହେଲେ ପ୍ରଶାନ୍ତ ଢାବାରେ ଏକାକୀ ରହୁଥିବା ବେଳେ ଗତ ନଭେମ୍ବର ୨୯ରୁ ନିଖୋଜ ହୋଇ ଯାଇଥିଲା।

ତେବେ ନିଖୋଜର ୭ ଦିନ ପରେ ଶବ ମିଳିବାର ଦିନକ ପୂର୍ବରୁ ମାଲିକ ଫାଣ୍ଡିରେ ଏତଲା ଦେବା ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଥିବା ଲୋକେ ଚର୍ଚ୍ଚା କରୁଛନ୍ତି। ପ୍ରଶାନ୍ତ ସହ କୌଣସି କାରଣରୁ ଗଣ୍ଡଗୋଳ ଅଥବା ଯୌନ ଶୋଷଣ ପରେ ହତ୍ୟା କରାଯାଇ ଥାଇପାରେ ବୋଲି କୁହାଯାଇଛି। ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଓ ବଲିଙ୍ଗା ଫାଣ୍ଡି ଅଧିକାରୀ ସରୋଜକାନ୍ତ ସାମଲ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏତଲାରେ ପ୍ରଶାନ୍ତର ବୟସ ୧୯ ବୋଲି ମାଲିକ ଦର୍ଶାଇଥିବା ବେଳେ ପ୍ରକୃତ ବୟସ ୧୪ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ତେବେ ଶିଶୁ ଶ୍ରମିକଙ୍କୁ ଢାବାରେ ନିୟୋଜିତ କରିବା ବେଆଇନ ଥିବା ବେଳେ ଜିଲ୍ଲା ପ୍ରଶାସନର ଅପ୍‌ରେସନ୍‌ ମୁସ୍କାନର ନଜର ପ୍ରଶାନ୍ତ ଉପରେ ପଡ଼ିଲାନି କିପରି ଓ ଶେଷକୁ ତା’ର ପ୍ରାଣ ଗଲା ବୋଲି ଲୋକେ ପ୍ରକାଶ କରିଛନ୍ତି। ବସୁନ୍ଧରା ଖଣି ଗେଟ ଏକ ବ୍ୟସ୍ତ ବହୁଳ ଅଞ୍ଚଳ ହୋଇଥିବା ବେଳେ ମାତ୍ର ୧୦ ମିଟର ଦୂରତାରେ ଶବ ଫୋପଡ଼ାଯିବା ଘଟଣା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ୨୦୧୨ରେ ଏହି ଢାବା ନିକଟସ୍ଥ ଅନ୍ୟ ଏକ ଢାବାରେ ଦିନ ଦ୍ୱିପ୍ରହରରେ ଛୁରି ଭୁସି ଜଣକୁ ହତ୍ୟା କରାଯାଇଥିବା ବେଳେ ୨୦୧୩ରେ ଖଣି ନିକଟ ସାରଙ୍ଗଝରିଆ ଜଙ୍ଗଲରୁ ଏକ ୮ ବର୍ଷର ଅଚିହ୍ନା ନାବାଳକର ମୃତ ଦେହ ଉଦ୍ଧାର ହୋଇଥିଲା। ଏଯାଏ ସେ ଘଟଣାର ପର୍ଦ୍ଦାଫାସ୍‌ କରି ପାରିନି ପୁଲିସ। ପ୍ରଶାନ୍ତର ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର