ମଦ ବେପାରୀଙ୍କୁ ଗୁଳି ମାଡ଼

ବଡ଼ଗାଁ : ଆଜି ସନ୍ଧ୍ୟାରେ ବଡ଼ଗାଁ ଥାନା ଚଲନାମୁଣ୍ତା ଗାଁର ମଦ ବେପାରୀ ନିରଞ୍ଜନ ଡନ୍‌ସେନା (୩୯)ଙ୍କୁ ଗୁଳି ମାଡ଼ ହୋଇଛି। ଦୁଇ ଜଣ ଅଜ୍ଞାତ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଗୁଳି ମାରି ଫେରାର୍‌ ହୋଇ ଯାଇଛନ୍ତି। ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ର ନିର୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ବି ପୂର୍ବ ଶତ୍ରୁତା‌ କିମ୍ବା ଚିଟ୍‌ଫଣ୍ଡ ମାମଲାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ବଡ଼ଗାଁ ଷ୍ଟେଟବ୍ୟାଙ୍କ ଛକ ନିକଟରେ ବିଦେଶୀ ମଦର କୁଚିଆ କାରବାର କରୁଥିବା ନିରଞ୍ଜନ ଓରଫ ନିରନ ଆଜି ସନ୍ଧ୍ୟା ୭ଟାରେ ଚଲନାମୁଣ୍ତାସ୍ଥିତ ନିଜ ଘର ସମ୍ମୁଖରେ ଠିଆ ହୋଇଥିଲେ। ଏହି ସମୟରେ ଏକ ବାଇକ୍‌ରେ ୨ ଜଣ ଅଜ୍ଞାତ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନଙ୍କ ସହ କୌଣସି କଥାକୁ ନେଇ ନିରନଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଅତର୍କିତ ଭାବେ ନିରଞ୍ଜନଙ୍କ ଉପରକୁ ଜଣେ ଦୁର୍ବୃତ୍ତ ୧ ରାଉଣ୍ତ ଗୁଳିମାଡ଼ କରିଥିଲା। ଗୁଳିଟି ନିରନଙ୍କ ବାମ ଆଣ୍ଠୁକୁ ଭେଦ କରି ଯାଇଥିଲା। ଚିତ୍କାର କରି ନିରନ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ବାଇକ୍‌ରେ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ବଡ଼ଗାଁ ଥାନାଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କୁ ପଚରା ଯିବାରେ ସେ ଅପରାଧୀମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର