ବନ ବିଭାଗର ଚଢ଼ଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ତୁଲସିକାନି ପଞ୍ଚାୟତ ତାଳବାହାଲ ଗାଁ ରାଜେଶ ନାଗଙ୍କ ଘରେ ବନବିଭାଗ ଚଢ଼ଉ କରି ଶହେ ସିଫ୍ଟ ଚୋରା କାଠ ଜବତ କରିଛି। ଜବତ କାଠର ମୂଲ୍ୟ ଦେଢ଼ଲକ୍ଷରୁ ଅଧିକ ହେବ ବୋଲି ଅତିରିକ୍ତ ବନ ସଂରକ୍ଷକ ଅଜୟ କୁମାର ସାହୁ ପ୍ରକାଶ କରିଛନ୍ତି। ରାଜେଶ ଦୀର୍ଘ ଦିନ ଧରି ଚୋରା କାଠ କାରବାର ଚଲାଇ ଆସୁଥିବା ବନବିଭାଗ ପାଖରେ ଖବର ଥିଲା। ଗତକାଲି ରାଜେଶ ଚାଲାଣ ପାଇଁ ନିଜ ଘରେ ବହୁ ମୂଲ୍ୟବାନ କାଠ ରଖିଥିବା ସୂଚନା ମିଳିଥିଲା।

ସୂଚନା ଆଧାରରେ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ବନ ସଂରକ୍ଷକ ଅଜୟ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜେଶଙ୍କ ଘରେ ଚଢ଼ଉ କରି ଶହେ ସିଫ୍ଟ ଚୋରା କାଠ ଜବତ କରିଥିଲେ। ଚଢ଼ଉ ପୂର୍ବରୁ ରାଜେଶ ଫେରାର ହୋଇ ଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ବିଶ୍ରା ଅଞ୍ଚଳର କିଛି କାଠ ମାଫିଆମାନେ ନିୟମିତ ଭାବେ ଜଙ୍ଗଲରୁ ଗଛ କାଟି ରାଉରକେଲାକୁ ଚାଲାଣ କରୁଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର