୪ ନକଲି ଆର୍‌ଟିଓ ଗିରଫ, ଗାଡ଼ି ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିଲେ

ରାଉରକେଲା/କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଆର୍‌ଟିଓ କର୍ମଚାରୀ କହି ଗାଡ଼ି ମୋଟର ଠାରୁ ଅର୍ଥ ଆଦାୟ କରୁଥିବା ବେଳେ ୪ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ନଗଦ ୧୦ ହଜାର ୨ଶହ ଟଙ୍କା, ଏକ ‌‌‌‌େସ୍କ୍ରାପିଓ ଗାଡ଼ି, ଫରେଷ୍ଟ ଲୋଗୋ ସହିତ ଦୁଇହଳ ଖାକି ୟୁନିଫର୍ମ, ଜବତ କରାଯାଇଛି। କୋଇଡ଼ା ପୁଲିସ ଭାରତୀୟ ପିଙ୍ଗଳ କୋଡ ଧାରା ୩୮୪/୪୧୯/୪୨୦/୩୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

କୋଇଡ଼ା ଖଣି ଅଞ୍ଚଳକୁ ବିଭିନ୍ନ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଟ୍ରକ୍‌ ଚଳାଚଳ କରୁଛି। ଆଧିକାଂଶ ମାଲବାହୀ ଗାଡ଼ି ଓଭରଲୋଡ ନେଉଛନ୍ତି। ତେଣୁ ଗାଡ଼ି ମୋଟର ଯାଞ୍ଚକୁ ସବୁ ଟ୍ରକ୍‌ ଚାଳକଙ୍କ ଭୟ। ଯାଞ୍ଚ ବେଳେ ହାତଗୁଞ୍ଜା ଦେଇ ସେମାନେ ଖସି ପଳାଇ ଯିବାକୁ ଉଦ୍ୟମ କରନ୍ତି। ଏହାର ଫାଇଦା ଉଠାଉଥିଲେ କୋଇଡ଼ା ଅଞ୍ଚଳ ୪ ଜଣ ଯୁବକ। ସେମାନେ ଏକ ନକଲି ଆର୍‌ଟିଓ ଚଢଉ ଟିମ୍‌ ଗଠନ କରି ଗାଡ଼ି ମୋଟର ଯାଞ୍ଚ ଆଳରେ ଚାଳକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଏହି ନକଲି ଟିମ୍‌ରେ କୋଇଡ଼ା ଫରେଷ୍ଟ ଅଫିସର ଗାର୍ଡନର ତଥା ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ବେନସରିଆ ଗ୍ରାମର କୁଞ୍ଜ ବିହାରୀ ଦାଶଙ୍କ ପୁଅ ଶମ୍ଭୁନାଥ ଦାସ(୩୦), କୋଇଡ଼ା ଇନ୍ଦ୍ର ପବ୍ଲିକ୍‌ ସ୍କୁଲ୍‌ର ଶିକ୍ଷକ ତଥା କଟକ ଜିଲ୍ଲା ବଡମ୍ବା ଗ୍ରାମର ଲିଙ୍ଗରାଜ ପଣ୍ଡାଙ୍କ ପୁଅ ଲକ୍ଷ୍ମୀଧର ପଣ୍ଡା (୩୯) କୋଇଡା ନିଉ ଗାର୍ଡନ କଲୋନିରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ନୟାପାଲ୍ଲୀର ରଘୁନାଥ ରାଉତରାୟଙ୍କ ପୁଅ ବସନ୍ତ କୁମାର ରାଉତରାୟ ଏବଂ କୋଇଡାର ଓଏମ୍‌ଏମ୍‌ ଛକରେ ରହୁଥିବା ଯାଜପୁର ଜିଲ୍ଲା ସୁଜନପୁରର ରଂଜନ କୁମାର ଓଝା (୨୪) ରହି ଗାଡ଼ି ଗୁଡ଼ିକଠାରୁ ଟଙ୍କା ଆଦାୟ କରୁଥିଲେ। ଗତ ୬ ତାରିଖ ରାତିରେ ସେମାନେ ନିଜକୁ ଆର୍‌ଟିଓ କର୍ମଚାରୀ କହି ରେଙ୍ଗାଲବେଡା ଏନ୍ଏଚ୍‌ ଉପରେ ଗାଡ଼ ମୋଟର ଯାଞ୍ଚ କରିଥିଲେ।

ଏ ସମ୍ପର୍କରେ ଖବରପାଇ କୋଇଡା ପୁଲିସ ଏକ ମାମଲା ରୁଜୁ କରି ସ୍କ୍ରୋପିଓ ନମ୍ବର ଓଡ଼ି ୦୯ଏ୨୨୫୨କୁ ଜବତ କରିବା ସହ ସମସ୍ତଙ୍କ ଗିରଫ କରିଛି।

ସମ୍ବନ୍ଧିତ ଖବର