ରାଉରକେଲା: ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ରାଉରକେଲା: ରାଉରକେଲା ପୁଲିସ ନିକଟରେ ଶୁକ୍ରବାର ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଜଗନ ସିଂହ ଓରଫ ପ୍ରେମଚାନ୍ଦ ମୁଣ୍ଡା(୨୩), ମଟୋ ବୁଡିଙ୍ଗ ଓରଫ ତେଜସ(୩୧), ସୁଶୀଳ ମୁଣ୍ଡା ଓରଫ ମୋଗା ଓ ଜଣେ ମିଲିସିଆ ଗୋମିଆ ମୁଣ୍ଡା ଓରଫ ଗୁମା(୩୫)।

ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ସଂପର୍କରେ ପୁଲିସ କହିଛି, ଅନମୋଲ ନାମରେ ଜଣେ ମାଓବାଦୀଙ୍କ ଦ୍ୱାରା ପ୍ରଲୋଭିତ ହୋଇ ଜଗନ ସିଂହ ୧୫ ବର୍ଷ ବୟସରେ ମାଓବାଦୀ ସଂଗଠନରେ ୨୦୧୦ରେ ସାମିଲ ହୋଇଥିଲା। ମାଓବାଦୀ ସଂଗଠନରେ ଯୋଗଦେବା ପରେ ସେ ସନ୍ଦୀପ ନାମରେ ଜଣେ ବରିଷ୍ଠ ମାଓବାଦୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ କୋଲହାନ, ସରଣ୍ଡା କ୍ୟାମ୍ପରେ ତାଲିମ ନେଇଥିଲା। ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବିଭିନ୍ନ ମାଓବାଦୀ ଘଟଣାରେ ଜଗନ ସାମିଲ ଥିଲା।

ସିପିଆଇ ମାଓବାଦୀ ସଂଗଠନରେ ମଟୁ ଜଣେ ମିଲିସିଆ ଭାବରେ ୨୦୦୯ରେ ଯୋଗ ଦେଇଥିଲା। ସେ ୨୦୧୦ରେ ପୁଲିସ ଦ୍ୱାରା ଗିରଫ ହୋଇଥିଲା। ଛୋଟାନଗର ଥାନା ଅନ୍ତର୍ଗତ ଜାମକୁଣ୍ଡିଆ ଲାଣ୍ଡମାଇନ ବିସ୍ଫୋରଣ ଘଟଣାରେ ମଟୁ ସଂଶ୍ଲିଷ୍ଟ ଥିଲା।

ମାଓବାଦୀ ଅନମୋଲ ଓରଫ ସମରଜୀତଙ୍କ ଦ୍ୱାରା ପ୍ରଭାବିତ ହୋଇ ସୁଶୀଲ ମୁଣ୍ଡା ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। କିନ୍ତୁ ପରେ ତାକୁ ଅବହେଳା ଓ ନିର୍ଯ୍ୟାତନା ଦିଆଯିବାରୁ ଦଳ ଛାଡ଼ିଥିଲା। ଗୋମିଆ ୨୦୦୮ ଠାରୁ ଜଣେ ମିଲିସିଆ ଭାବରେ କାମ କରୁଥିଲା କିନ୍ତୁ ପରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର