ସରପଞ୍ଚଙ୍କ ସ୍ବାମୀ ଓ ସହଯୋଗୀଙ୍କ ନାଁରେ ମାମଲା : ଚାଉଳ ଦେବାକୁ ଡାକି ଗଣଦୁଷ୍କର୍ମ

ରାଉରକେଲା : ମରିଗଲା ମାନବିକତା। ସୀମା ଟପିଗଲା ଶୋଷଣ। ଚାଉଳ ଦେବାକୁ ପଞ୍ଚାୟତ ଅଫିସକୁ ଡାକି ଜଣେ ନବ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ। ଏଭଳି ନିନ୍ଦନୀୟ ଘଟଣା ଘଟିଛି ରାଉରକେଲା ଝିରପାଣି ପଞ୍ଚାୟତ ଅଫିସରେ। ଗତ ୭ ତାରିଖରେ ଝିରପାଣି ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ସହଯୋଗୀ ଏଭଳି ଅମାନୁଷିକ କାଣ୍ଡ ଭିଆଇ ଥିବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ଝିରପାଣି ପୁଲିସ ଆଜି ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ପୀଡ଼ିତାଙ୍କର ଡାକ୍ତରମାଇନା କରାଯିବ ବୋଲି ଥାନା ଅଧିକାରୀ ରାଇସେନ୍‌ ମୁର୍ମୁ କହିଛନ୍ତି।

ପୁଲିସର କହିବାନୁଯାୟୀ, ପୀଡ଼ିତାଙ୍କ ପରିବାର ଝିରପାଣିରେ ରହନ୍ତି। ପ୍ରାୟ ପନ୍ଦର ଦିନ ତଳେ ତାଙ୍କର ବାହାଘର ହୋଇଥିଲା। ଗତ ୪ ତାରିଖରେ ସେ ଝିରପାଣି ପଞ୍ଚାୟତ ଅଫିସକୁ କଣ୍ଟ୍ରୋଲ ଚାଉଳ ଆସିଲା କି ନାହିଁ ସେ ପଚାରିବାରୁ ଯାଇଥିଲେ। ଚାଉଳ ବଣ୍ଟନ ଦାୟିତ୍ବରେ ଥିବା ରାମ ନାମକ ଜଣେ ବ୍ୟକ୍ତିକୁ ଚାଉଳ କେବେ ମିଳିବ ବୋଲି ସେ ପଚାରିଥିଲେ। ରାମ ୭ ତାରିଖରେ ଚାଉଳ ମିଳିବ ବୋଲି କହିବା ପରେ ନବବିବାହିତା ଜଣକ ସେଠାରୁ ଘରକୁ ଫେରି ଆସିଥିଲେ। ୭ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ଝିରପାଣି ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ଜଣେ ସହଯୋଗୀ ମହିଳାଙ୍କ ଘରେ ପହଞ୍ଚିଥିଲେ। ଆଉ ‘ଚାଉଳ ଆସି ଯାଇଛି, ଯାଇ ନେଇ ଆସ’ ବୋଲି କହି ଦୁହେଁ ପଞ୍ଚାୟତ ଅଫିସକୁ ଚାଲି ଆସିଥିଲେ। ସେମାନଙ୍କ କଥାରେ ବିଶ୍ବାସ କରି ମହିଳା ଜଣକ ପୂର୍ବାହ୍ନ ପ୍ରାୟ ୧୦ଟାରେ ପଞ୍ଚାୟତ ଅଫିସରେ ଏକାକୀ ପହଞ୍ଚିଥିଲେ। ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀ ପୀଡ଼ିତାଙ୍କୁ ଏକାକି ଦେଖି ଉପର ମହଲାରେ ଚାଉଳ ଦିଆଯାଉଛି କହି ଡାକି ନେଇଥିଲେ। ମହିଳା ଜଣକ ଉପର ମହଲା ଘର ଭିତରକୁ ପଶିବା ମାତ୍ରେ ଦୁହେଁ ଭିତର ପଟୁ କବାଟ ବନ୍ଦ କରି ବଳପୂର୍ବକ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ପୀଡ଼ିତା ସେଠାରୁ ଘରକୁ ଫେରି ଲୋକଲଜ୍ଜାରୁ କାହାକୁ କିଛି ନ କହି ଚୁପ୍‌ ରହିଥିଲେ। ତେବେ ଆଜି ସକାଳେ ପରିବାର ଲୋକଙ୍କ ଆଗରେ ସେ ସମସ୍ତ କଥା କହିବା ପରେ ପରିବାର ଲୋକ ପୀଡ଼ିତାଙ୍କୁ ନେଇ ଝିରପାଣି ଥାନାରେ ପହଞ୍ଚି ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କ ନାଁରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର