ଜେଏମ୍‌ଏମ୍‌ ଫେରିଲେ ଜର୍ଜ

ରାଉରକେଲା : ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ୩୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସହ ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚା (ଜେଏମ୍‌ଏମ୍‌)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ରାଞ୍ଚି ଠାରେ ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ଉତ୍ସବରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଜର୍ଜଙ୍କ ସହ ଜେଏମ୍‌ଏମ୍‌ରେ ସାମଲ ହୋଇଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ ବୀରମିତ୍ରପୁରର ପୂର୍ବତନ ନଗରପାଳ ଶଶୀ ସାଗର, ବୀରମିତ୍ରପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ସାହିଦ ଅହମ୍ମଦ, ବିଶ୍ରା କପଟମୁଣ୍ଡା ସରପଞ୍ଚ ଦେବା ଓରାମ, କୁଆରମୁଣ୍ଡା ରାଏବଗା ସରପଞ୍ଚ ଫିରନୁସ୍‌ ବାହାଲା, କପଟମୁଣ୍ଡା ସମିତି ସଭ୍ୟ ସୁଜିତ ଲାକ୍ରା ଅଛନ୍ତି।

ଜର୍ଜଙ୍କୁ ସ୍ୱାଗତ କରି ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ କହିଥିଲେ, ତାଙ୍କ ଘରବାହୁଡ଼ାର ପ୍ରଭାବ କେବଳ ସୁନ୍ଦରଗଡ଼ ରାଜନୀତିରେ ସୀମିତ ରହିବ ନାହିଁ, ବରଂ ସମଗ୍ର ଓଡ଼ିଶାରେ ସେ ଆଦିବାସୀ-ମୂଳବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ସଂଗଠନକୁ ବିସ୍ତାର କରିବେ। ଜର୍ଜ ତିର୍କୀ କହିଛନ୍ତି ଯେ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ସେ ବହୁ ଦଳ ଦେଖିଛନ୍ତି ସତ, ମାତ୍ର ଆଦିବାସୀ-ମୂଳବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଜେଏମ୍‌ଏମ୍‌ର ବିକଳ୍ପ କେବେ ଦେଖିନାହାନ୍ତି। ପୁରୁଣା ଦଳକୁ ଫେରି ସେ ଅତ୍ୟନ୍ତ ଖୁସି। ଆଗାମୀ ବିଧାନସଭା ନିର୍ବାଚନରେ ଜେଏମ୍‌ଏମ୍‌ ଓଡ଼ିଶା ରାଜନୀତିରେ ପଟ ପରିବର୍ତ୍ତନ ଓ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଜେଏମ୍‌ଏମ୍‌ରେ ଯୋଗ ଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ଜର୍ଜ ତିର୍କୀ ଓ ତାଙ୍କ ସମର୍ଥକମାନେ ବୀରମିତ୍ରପୁର, ସିମଡେଗା ହୋଇ ରାଞ୍ଚି ଯାଇଥିଲେ। ଗତକାଲି ରାତି ୮ଟାରେ ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନ୍‌ଙ୍କ ବାସଗୃହ ପରିସରରେ ଏହି ମିଶ୍ରଣ ପର୍ବ ହେବାର କାର୍ଯ୍ୟକ୍ରମ ଥିଲା। ଧାନବାଦ ଗସ୍ତରେ ଥିବା ଶିବୁ ସୋରେନ୍‌ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଗତ ରାତିର କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଆଜି ମଧ୍ୟାହ୍ନ ସାଢେ ୧୨ଟା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବାସଗୃହ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର