ଏକତରଫା ପ୍ରେମ : ହତାଶ ପ୍ରେମିକର ଆକ୍ରମଣ, ଯୁବତୀ ଗୁରୁତର

ରାଉରକେଲା : ଏକତରଫା ପ୍ରେମରେ ହତାଶ ପ୍ରେମିକ ଆଜି ବିଶ୍ରା ରାଜରାସ୍ତାରେ ଉନ୍ମତ୍ତ କାଣ୍ଡ ଘଟାଇଛି। ପ୍ରେମ ପ୍ରତ୍ୟାଖ୍ୟାନ କରିଥିବା ଯୁବତୀଙ୍କୁ ସେ ଧାନକଟା ଦା’ରେ ମରଣାନ୍ତକ ଆକ୍ରମଣ କରିଥିଲେ ମଧ୍ୟ ସୌଭାଗ୍ୟବଶତଃ ଯୁବତୀ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏପଟେ ଆକ୍ରମଣ ପରେ ଫେରାର ହେବାକୁ ଚେଷ୍ଟା କରୁଥିବା ହତାଶ ପ୍ରେମିକକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ପୁଲିସ ହତାଶ ପ୍ରେମିକକୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ନୂଆଗାଁ ବ୍ଲକ ପତ୍ରାପାଲିର ଶ୍ୟାମ ସୁନ୍ଦର ଧନଓ୍ଵାର (୨୫) ନିଜ ଗାଁର ୨୨ ବର୍ଷୀୟ ସୁସ୍ମିତା (ଛଦ୍ମନାମ)ଙ୍କୁ କିଛି ଦିନ ହେଲା ଏକତରଫା ପ୍ରେମ ନିବେଦନ କରି ଆସୁଥିଲା। ସୁସ୍ମିତା ତାହାକୁ ପ୍ରତ୍ୟାଖ୍ୟାନ କରି ଶ୍ୟାମ ସୁନ୍ଦରଠାରୁ ’ଠାରୁ ଦୂରେଇ ରହୁଥିଲେ। ତଥାପି ଶ୍ୟାମ ସୁନ୍ଦର ସୁସ୍ମିତାଙ୍କ ପିଛା ଛାଡ଼ୁ ନଥିଲା। ତେବେ ପ୍ରେମ ନିବେଦନକୁ ସେ ଏଡ଼ାଇ ଯାଉଥିବାରୁ ଶ୍ୟାମ ମୁଣ୍ଡରେ ସଇତାନ ସବାର ହୋଇଥିଲା। ଆଜି ସୁସ୍ମିତା କୌଣସି କାମରେ ଗାଁରୁ ଏକ ବସ୍‌ରେ ବିଶ୍ରା ଆସୁଥିବା ଦେଖି ସେ ବାଇକ୍‌ରେ ପିଛା କରିଥିଲା। ବିଶ୍ରା ଚେକ୍‌ ଗେଟ୍‌ରେ ସୁସ୍ମିତା ବସ୍‌ରୁ ଓହ୍ଲେଇବା କ୍ଷଣି ଶ୍ୟାମସୁନ୍ଦର ପାଖରେ ରଖିଥିବା ଦା’ରେ ଅତର୍କିତ ଆକ୍ରମଣ କରିଥିଲା।

ସୁସ୍ମିତା ପ୍ରତିରୋଧ କରିଥିଲେ ବି ତାଙ୍କ କପାଳ ଓ ହାତରେ ଗଭୀର କ୍ଷତ ହୋଇଛି। ଉପସ୍ଥିତ ଲୋକେ ଉନ୍ମତ୍ତ ଶ୍ୟାମସୁନ୍ଦରଙ୍କ କବଳରୁ ସୁସ୍ମିତାକୁ ରକ୍ଷା କରିବାରୁ ସେ ବର୍ତ୍ତିଯାଇଥିଲେ। ଲୋକେ ତାଙ୍କୁ ବିଶ୍ରା ମେଡିକାଲ ପଠାଇଥିଲେ। ଅନ୍ୟପଟେ ଆକ୍ରମଣ ପରେ ଫେରାର ହେବାକୁ ଚେଷ୍ଟା କରୁଥିବା ଶ୍ୟାମସୁନ୍ଦରକୁ ଲୋକେ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ପହଞ୍ଚି ଶ୍ୟାମକୁ ନିଜ ହେପାଜତକୁ ନେଇଥିଲେ। ସୁସ୍ମିତାଙ୍କ ପରିବାର ଲୋକେ ଆସି ବିଶ୍ରା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର