ଡକାୟତଙ୍କ କବଳରୁ ୧୦୮ ବି ବର୍ତ୍ତିଲାନି – ଚାଳକଙ୍କୁ ମାଡ଼ମାରି ଲୁଟ୍, ଚାବି ନେଇ ପଳାଇଲେ

ପ୍ରସବ ଯନ୍ତ୍ରଣାରେ ୪ ଘଣ୍ଟା ଛଟପଟ ହେଲେ ପ୍ରସୂତି - ୪ ମାସ ହେଲା ଆତଙ୍କ, ପୁଲିସ ଅସହାୟ

ଗୁରୁଣ୍ଡିଆ: ସୁନ୍ଦଗରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍‌ସ୍ଥ ନରେନ୍ଦ୍ର – କଲୁଙ୍ଗା ପୂର୍ତ୍ତବିଭାଗ ରାସ୍ତା ଏବେ ଡକାୟତଙ୍କ କବ୍‌ଜାରେ। ରାତି ହେଲେ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। ଏହି ରାସ୍ତାରେ ଗତ ୩ ମାସ ଭିତରେ ଅନେକ ଡକାୟତି ଘଟଣା ଘଟିଥିବା ବେଳେ ପୁଲିସ ଲୁଟେରାଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ‌ହୋଇନାହିଁ। ତେଣୁ ଡକାୟତଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି। ଏପରିକି ଆମ୍ବୁଲାନ୍ସ ଗାଡ଼ି ତାଙ୍କ ଆକ୍ରମଣରୁ ଛାଡ଼ ପାଇନି। ଗତକାଲି ରାତିରେ ଡକାୟତମାନଙ୍କର ଏଭଳି ଏକ ଅମାନବୀୟ କାଣ୍ଡ ଗୁରୁଣ୍ଡିଆ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପ୍ରସବ ଯନ୍ତ୍ରଣାରେ ଜର୍ଜରିତ ଜଣେ ମହିଳାଙ୍କୁ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଲୁଟେରାମାନେ ଲୁଟ୍ କରିବା ସହ ୪ ଘଣ୍ଟା ଧରି ଅଟକାଇଛନ୍ତି।
ଗତକାଲି ରାତିରେ ଗୁରୁଣ୍ଡିଆ ମା’ ଗୃହରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖୁଣ୍ଟଗାଁର ୧୦୮ ଆମ୍ବୁଲାନ୍ସରେ ରାଉରକେଲା ନିଆ ଯାଉଥିଲା। ରାତି ପ୍ରାୟ ୧୨ଟା ବେଳେ ଆମ୍ବୁଲାନ୍ସଟି ବେଣୁଆମ୍‌ ଅତିକ୍ରମ କରୁଥିବା ବେଳେ ରାସ୍ତାରେ ପଥର ପଡ଼ିଥିବା ଦେଖି ଚାଳକ ଗାଡି ଅଟକାଇଥିଲେ। ସେହି ଭିତରେ ଜଙ୍ଗଲ ଭିତରୁ ୪ ଜଣ ଡକାୟତ ବାହାରିଆସି ଆମ୍ବୁଲାନ୍ସ ଚାଳକ ଓ ରୋଗୀଙ୍କ ଆଟେଡାଣ୍ଟଙ୍କୁ ମାଡ଼ମାରି ଟଙ୍କା ମାଗିଥିଲେ। ସରକାରୀ ହସ୍ପିଟାଲ ଯାଉଥିବାରୁ ସେମାନଙ୍କ ପାଖରେ ଟଙ୍କା ନ ଥିବା ଉଭୟ କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଚାଳକଙ୍କ ଠାରୁ ଡକାୟତମାନେ ଆମ୍ବୁଲାନ୍ସ ଚାବି ଏବଂ ‌ସେମାନଙ୍କ ପାଖରେ ଥିବା ମୋଟ୍ ପ୍ରାୟ ୪/୫ଶହ ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏସବୁ ଚାଲିଥିବା ସମୟରେ ପ୍ରସବ ଯନ୍ତ୍ରଣା ବଢିବାରୁ ମହିଳା ଜଣକ ଆମ୍ବୁଲାନ୍ସ ଭିତରେ ବିକଳରେ ଚିତ୍କାର କରୁଥିଲେ ବି ଡକାୟତଙ୍କ ପଥର ହୃଦୟ ତରଳି ନ ଥିଲା। ସେମାନେ ଆମ୍ବୁଲାନ୍ସ ଚାବି ନେଇ ପଳାଇଥିଲେ। ସେମାନେ ପଳାଇବା ପରେ ବି ମୋବାଇଲ୍‌ ବିନା ତୁରନ୍ତ କାହାରିକୁ ଖବର ପଠାଇବା ସମ୍ଭବ ନ ଥିଲା। ତେଣୁ ଗର୍ଭବତୀଙ୍କୁ ଧରି ଆ‌ମ୍ବୁଲାନ୍ସ ସେହି ଜଙ୍ଗଲ ରାସ୍ତାରେ ପ୍ରାୟ ୪ ଘଣ୍ଟା ଅଟକି ରହିଲା। ମହିଳା ଜଣକ ଭୟଙ୍କର ଗର୍ଭ ଯନ୍ତ୍ରଣାରେ ଡହଳବିକଳ ହେଉଥିଲେ। ତେବେ ମହିଳାଙ୍କ ଚିତ୍କାର ଶୁଣି ନିକଟସ୍ଥ ଗ୍ରାମର କେତେଜଣ ଲୋକ ରାତି ପ୍ରାୟ ୪ଟା ବେଳେ ସେଠାରେ ପହଞ୍ଚି ବିରକେରାସ୍ଥିତ ୧୦୮ ଆମ୍ବୁଲାନ୍ସକୁ ଟେଲିଫୋନ୍‌ କରି ଡାକିଥିଲେ। ବିରକେରା ୧୦୮ ଗାଡି ମହିଳାଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ୍‌ ଯାଇଥିଲା।
ଉଲ୍ଲେଖନୀୟ ଯେ ଚାନ୍ଦିପୋଷ ଥାନା ଅଧିନରେ ଆସୁଥିବା ଏହି ଇଲାକାର ଆଇନ୍ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡି ଯାଉଛି। କିଛି ଦିନ ପୂର୍ବେ ସର୍ବଶିକ୍ଷା ଅଭିଯାନର କର୍ମଚାରୀମାନଙ୍କ ଗାଡ଼ିକୁ ସେଠାରେ ଅଟକାଇ ଡକାୟତମାନେ ସେମାନଙ୍କଠାରୁ ଏଟିଏମ୍‌ କାର୍ଡ ନେଇ ରାଉରକେଲା ଯାଇ ସେଠା ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିଲେ। ତା’ପରେ ଘଟଣାସ୍ଥଳକୁ ଫେରି ସେଠାରେ ଜଗିଥିବା ସାଥୀଙ୍କୁ ନେଇ କର୍ମଚାରୀଙ୍କ ବୋଲେରୋ ଗାଡ଼ିରେ ପଳାଇଥିଲେ। ସେହି ଇଲାକାରେ ନିୟମିତ ଗାଡି ଅଟକାଇ ଲୁଟ୍ ହେଉଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୁଲିସକୁ ସଫଳତା ମିଳିନାହିଁ। ତାମଡା ଠାରେ ଏକ ଫାଣ୍ଡି ସ୍ଥାପନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର