ସୁନ୍ଦରଗଡ଼: ବିପଦରେ ଗଜରାଜ, ୪ ବର୍ଷ ହେବ ଶୁଣ୍ଢ ସଂକ୍ରମିତ, ବନ ବିଭାଗ ନିଦାବିଷ୍ଣୁ

କୁତ୍ରା (ରାଜେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର-ବଡ଼ଗାଁ ବନାଞ୍ଚଳରେ ଗତ କିଛି ବର୍ଷ ହେବ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଜାରି ରହିଛି। କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ ବେଳେ ବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ହରାଉଛି। ଏହି ଦ୍ୱନ୍ଦ ମଧ୍ୟରେ ଏକ ଚାଞ୍ଚଲ୍ୟ ତଥ୍ୟ ସାମ୍ନାକୁ ଆସିଛି। ଏକ ଦନ୍ତା ହାତୀର ଶୁଣ୍ଢରେ ବଡ଼ ଘାତ ହେବାରୁ ବର୍ତ୍ତମାନ ସଂଘର୍ଷରେ ଜୀବନ ବିତାଉଛି। ପାଖାପାଖି ୪ ବର୍ଷ ହେବ ଶୁଣ୍ଢରେ ଘାତ ହୋଇଥିଲେ ମଧ୍ୟ ବନ ବିଭାଗର ଅଧିକାରୀ ଅଥବା କର୍ମଚାରୀମାନେ ହାତୀକୁ କିପରି ଠିକ କରିବେ ବ୍ୟବସ୍ଥା କରୁ ନାହାନ୍ତି।

ଶୁଣ୍ଢ ସଂକ୍ରମିତ ହେବା ପରେ ହନ୍ତା ପାଗଳ ପରି ଜଙ୍ଗଲରେ ବୁଲୁଛି। ହାତୀର ଚିକିତ୍ସା ନେଇ ବଡ଼ଗାଁ ରେଞ୍ଜ ଅଧିକାରୀଙ୍କୁ ପଚରାଯିବାରୁ ସେ କହିଛନ୍ତି, ୨ ବର୍ଷ ହେବ ଦନ୍ତାର ଶୁଣ୍ଡ ସଂକ୍ରମିତ ହୋଇଛି। ହାତୀର ଶୁଣ୍ଢରୁ ପାଇପ କଟି ଯାଇଛି। ଏଥି ଯୋଗୁଁ ତାକୁ ଖାଇବାରେ ଅସୁବିଧା ହେଉଛି। ସେହିପରି ସୁନ୍ଦରଗଡ଼ ଡିଏଫ୍‌ଓ କହିଛନ୍ତି, ହାତୀର ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ସାଇନଟିଫିକ୍‌ ଟିମ୍‌ର ସାହାଯ୍ୟ ନେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ହାତୀର ଶୁଣ୍ଢରେ ଘାତ ହେବାର କାରଣ

ପାଖା ପାଖି ୪ ବର୍ଷ ତଳେ ଝାଡ଼ଖଣ୍ଡର ସିମଡେଙ୍ଗା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାମ ଚାଲିଥିଲା। ଏହି ସମୟରେ ଏକ ଦନ୍ତା ହାତୀ ଜେସିବି ମେସିନ ସାମ୍ନାକୁ ଆସିଯାଇଥିଲା। କାର୍ଯ୍ୟରତ ଜେସିବି ଚାଳକ ଜୀବନରକ୍ଷା ପାଇଁ ‘ଜେସିବି’ର ବକେଟ୍‌ ଉପରକୁ ଟେକି ଦେଇଥିଲେ। ଏହା ପରେ ଦନ୍ତାହାତୀ ଜେସିବିକୁ ନିଜର ଶୁଣ୍ଢ ଦ୍ୱାରା ଭାଙ୍ଗିବାକୁ ଉଦ୍ୟମ କରିଥିଲା। ବହୁ ସମୟ ପର୍ଯ୍ୟନ୍ତ ଜେସିବିକୁ ଆକ୍ରମଣ କରିବା ପରେ ଶୁଣ୍ଢରୁ ରକ୍ତ ସ୍ରାବ ହେବାରୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଘାତ ହୋଇଥିଲା।

ମହିଳା ସମେତ ୨ ଜଣଙ୍କୁ ମାରିଥିଲା ଦନ୍ତା

ଘାତ ଯୋଗୁଁ ସଂଘର୍ଷ ଜୀବନ ବିତାଉଥିବା ଦନ୍ତା ତିନି ବର୍ଷ ତଳେ ପଞ୍ଚରା ଓରାମପଡ଼ାର ଜଣେ ମହିଳାଙ୍କୁ କଚାଡ଼ି ମାରିଦେଇଥିଲା। ସେହିପରି ଗତ ଜୁନ୍‌ ୨୧ରେ କଟଙ୍ଗ ଝରିଆ ଗ୍ରାମର ଲାଲଦେବ ସିଂଙ୍କ ଜୀବନ ନେଇଥିଲା। ଗୋଠ ଖଣ୍ଡିଆ ହାତୀ ପତ୍ରାପଡ଼ା ଜଙ୍ଗଲରେ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର