ବିଜେଡ଼ି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ

ଭୁବନେଶ୍ବର: ବିଜେଡ଼ିରେ ଯୋଗଦେେଲେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ରାହୁଲଙ୍କ ଗସ୍ତ ଦିନରେ ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଯୋଗଶେ ସିଂ । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର ହଜାର ହଜାର ସମର୍ଥକମାନେ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ବିଜେଡ଼ି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟକ ।

ଗୋଟିଏ ପଟେ ରାଉରକେଲାରେ ଆଜି ସମାବେଶ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ଆଉ ସେତିକି ବେଳେ ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଯୋଗଦେଲେ ବିଧାୟକ ପଦ ଓ କଂଗ୍ରେସ ଦଳ ଛାଡିଥିବା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ରାଜନେତାଙ୍କର ଦଳବଦଳ ଜାରି ରହିଛି । ଏହି କ୍ରମରେ ବିଜେଡ଼ିରେ ମଧ୍ୟ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ତେବେ ବିଜେଡ଼ିରେ ଯୋଗଦେବା ପରେ ଦଳ ଆହୁରି ମଜଭୁତ ହେବ ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସକୁ ଝଟକା ଲାଗିବ । କାରଣ ଗତ କିଛି ଦିନ ତଳେ କଂଗ୍ରେସର ଟାଣୁଆ ନେତା ତଥା ଝାରସୁଗୁଡ଼ା ବିଧାୟକ ବିଜେଡ଼ିରେ ଯୋଗଦେଇଥିଲେ । ନିର୍ବାଚନକୁ ଦୃଷ୍ଟିରେ ରଖିଲେ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟରେ କଂଗ୍ରେସ ସ୍ଥିତି ଟଳମଳ ହେଉଛି । ହେଲେ ବିଜେଡ଼ି କିନ୍ତୁ ସ୍ଥିତି ସୁଦୃଢ଼ କରିବାରେ ଲାଗିଛି ।

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ଜନ କଲ୍ୟାଣ କାର୍ଯ୍ୟକ୍ରମ ଆଦିରେ ପ୍ରଭାବିତ ହୋଇ ସେ ଏହି ପଦକ୍ଷେପ ନେଉଥିବା ପୂର୍ବରୁ କହିଥିଲେ। ସୂଚନାଯୋଗ୍ୟ, ନବୀନଙ୍କ ସପକ୍ଷରେ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିଲା । ଯୋଗେଶ ଏଥିରେ କ୍ଷୁବ୍ଧ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରିବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।

ସମ୍ବନ୍ଧିତ ଖବର