କୁଚିଣ୍ଡାକୁ ସିଟି ବସ୍‌ ଚଳାଚଳ ବିବାଦ: ଘରୋଇ ବସ୍‌ ବନ୍ଦ କରିବାକୁ ମାଲିକଙ୍କ ଧମକ

ସମ୍ବଲପୁର: କୁଚିଣ୍ଡାକୁ ସିଟି ବସ୍‌ ଚଳାଚଳକୁ ସମ୍ବଲପୁର ଘରୋଇ ବସ୍‌ ମାଲିକ ସଂଘ ତୀବ୍ର ବିରୋଧ କରିଛି। ଏଥି ସହିତ ସରକାରଙ୍କ ନିୟମ ମୁତାବକ ଇଣ୍ଟରସିଟି ବସ୍‌ ଚଳାଚଳ କରାନଗଲେ ସମ୍ବଲପୁର ଜିଲ୍ଲାରେ ଘରୋଇ ବସ୍‌ ସେବା ବନ୍ଦ କରିଦେବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଗତ ୨୧ ମାର୍ଚ ୨୦୧୭ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟୁନ ୬୫ ପ୍ରତିଶତ ବସ୍‌ ସହରାଂଚଳ ମଧ୍ୟରେ(ଇଣ୍ଟ୍ରା ସିଟି) ଏବଂ ୩୫ ପ୍ରତିଶତ ବସ୍‌ ଦୁଇ ସହର ମଧ୍ୟରେ(ଇଣ୍ଟରସିଟି) ଚଳାଇବାକୁ ନିଷ୍ପତ୍ତି ହୋଇଥିଲା। ଏବେ ପଶ୍ଚିମ ଓଡ଼ିଶା ସହରାଂଚଳ ପରିବହନ ସେବା ଲିଃ (ଡବ୍ଲ୍ୟୁଓୟୁଟିଏସ୍‌ଏଲ୍‌) ପକ୍ଷରୁ ୩୨ଟି ବସ୍‌ ପରିଚାଳିତ ହେଉଛି। ସେଥିରୁ ୧୯ଟି ବସ୍‌ ଇଣ୍ଟର ସିଟି ସେବା ଯୋଗାଉଛି। ଏଥିରୁ ସମ୍ବଲପୁରରୁ ୯ଟି ବରଗଡ଼, ୮ଟି ଝାରସୁଗୁଡ଼ା ଓ ୨ଟି ବସ୍‌ ଲଇଡ଼ା ମଧ୍ୟରେ ଚଳାଚଳ କରୁଛି। ଯାହାକି ସର୍ବମୋଟ ବସ୍‌ର ୫୯.୩୭ ପ୍ରତିଶତ ଅଟେ। ଏବେ ପୁଣି ୧୨ଟି ନୂଆ ବସ୍‌ ଅଣାଯାଇଛି। ତେଣୁ ଉପରୋକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ପୁରୁଣା ଇଣ୍ଟରସିଟି ବସ୍‌ ଚଳାଚଳ ବ୍ୟବସ୍ଥିତ କରିବା ଦାବିରେ ବସ୍‌ ମାଲିକ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟିଛନ୍ତି। ବୈଠକର ନିଷ୍ପତ୍ତି ଉଲ୍ଲଂଘନ କରି ନୂଆ ରୁଟ୍‌ରେ ପୁଣି ଇଣ୍ଟରସିଟି ବସ୍‌ ଚଳାଇବାକୁ ଅନୁମତି ଦିଆଗଲେ ଜିଲ୍ଲାରେ ଘରୋଇ ବସ୍‌ ସେବାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ଲିଖିତ ଭାବେ କୁହାଯାଇଛି। ସଂଘର ସଭାପତି ସୁବ୍ରତ ପାଣିଗ୍ରାହୀ, ସଂପାଦକ ରାଜେନ୍ଦ୍ର କର, କୋଷାଧ୍ୟକ୍ଷ ତୁଷାରକାନ୍ତ ମିଶ୍ର, ସରୋଜ ପାତ୍ର ପ୍ରମୁଖଙ୍କ ସମେତ ବହୁ ବସ୍‌ ମାଲିକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଘରୋଇ ବସ୍‌ ମାଲିକ ସଂଘର ବିରୋଧ ସତ୍ୱେ କୁଚିଣ୍ଡାକୁ ସିଟି ବସ୍‌ ଚଳାଇବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏହାକୁ ନେଇ ଘରୋଇ ବସ୍‌ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର