ଟାଙ୍କିରୁ ଗଳୁଛି ପାଣି, ଗାଁ ଲୋକେ ଆତଙ୍କିତ

ବୀରମିତ୍ରପୁର: ନିର୍ମାଣର ୬ ମାସ ଯାଇନି। କିନ୍ତୁ ଓଭରହେଡ଼ ପାଣି ଟାଙ୍କିରୁ ଅନବରତ ପାଣି ଝରୁଛି। ଯାହାକି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଏହିପରି ଅବସ୍ଥା ଦେଖିବାକୁ ମିଳିଛି କୁଆରମୁଣ୍ଡା ବ୍ଲକର ଦଲକି ପଞ୍ଚାୟତରେ। ଦଲକି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆର୍‌ଡବ୍ଲୁଏସ୍‌ଏସ୍‌) ପକ୍ଷରୁ ନିର୍ମିତ ହୋଇଥିବା ଏହି ଓଭରହେଡ ପାଣି ଟାଙ୍କିର ଅବସ୍ଥା ଏଭଳି ହୋଇଛି। ବିଭାଗ ପକ୍ଷରୁ ୨୦ ଲକ୍ଷ ବ୍ୟୟରେ ଗତ ଜୁଲାଇ ମାସରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା। ପ୍ରାୟ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କିର ଶୁଭାରମ୍ଭ ହେବା ଦିନ ଠାରୁ ଟାଙ୍କିର ତଳ ଏବଂ ଚାରିପଟୁ ପାଣି ଝରିବା ଆରମ୍ଭ କରିଥିଲା। ଟାଙ୍କି ଭୁଶୁଡ଼ି ପଡ଼ିବା ଆଶଙ୍କାରେ ଏବେ ଟାଙ୍କିରେ ଅଧାରୁ କମ୍‌ ପାଣି ଭର୍ତ୍ତି କରାଯାଉଛି। ଯଦି ଟାଙ୍କି ରେ ୫୦ ହଜାର ଲିଟର ପାଣି ଭର୍ତ୍ତି କରାଯାଏ ତେବେ ତାହା ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହେବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ନିର୍ମାଣ ସମୟରେ ବିଭାଗ ପକ୍ଷରୁ ସଠିକ୍‌ ତଦାରଖ କରାଯାଇ ନଥିବାରୁ ନିମ୍ନମାନର କାର୍ଯ୍ୟ ହୋଇଥିଲାବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର