ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର ଘଟଣା:ମାନସିକ ବିକୃତ କୁମାରୀ ମା’ର ଅବାଞ୍ଛିତ ସନ୍ତାନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ବିଷ୍ଣୁଡିହି ଗାଁ ନିକଟ ଜଙ୍ଗଲରୁ ଗତ ୭ ତାରିଖ ଭୋର୍‌ ୪ଟାରେ ଉଦ୍ଧାର ସଦ୍ୟଜାତ ଶିଶୁ କନ୍ୟା ଜଣେ ମାନସିକ ବିକୃତ କୁମାରୀ ମା’ର ଅବାଞ୍ଛିତ ସନ୍ତାନ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ଦୁଃସ୍ଥିତିରୁ ଅନୈତିକ ଫାଇଦା ଉଠାଇ କେହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାରୁ ସେ ଅବାଞ୍ଛିତ ଗର୍ଭଧାରଣ କରି ଶେଷରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଲୋକ ଲଜ୍ଜା ଭୟରେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୁପ୍ତରେ ନବଜାତକୁ ଜଙ୍ଗଲ ପଦଦେଶରେ ଥିବା ଏକ ଶୁଖିଲା ନାଳରେ ଦରପୋତା ଅବସ୍ଥାରେ ଛାଡ଼ି ଆସିଥିଲେ। ନବଜାତକୁ ସେମାନେ ମାରି ନଦେଇ ବଞ୍ଚିବା ଅବସ୍ଥାରେ ଛାଡ଼ି ଆସିଥିବାରୁ ସୌଭାଗ୍ୟକ୍ରମେ ଗାଁ ଲୋକଙ୍କ ଦ୍ୱାରା ଶିଶୁ କନ୍ୟାଟି ଜୀବନ୍ତ ଉଦ୍ଧାର ହୋଇଥିଲା। ଘଟଣା ପରେ ପରେ ଟିକାୟତପାଲି ପୁଲିସ ତଦନ୍ତ କରି ଏ ସମ୍ପର୍କରେ ଅବଗତ ହୋଇଥିଲେ ହେଁ ଅସହାୟ କୁମାରୀ ମା’ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଅମାନବୀୟ ହେବ ବୋଲି ପୁଲିସ୍‌ ଦ୍ୱନ୍ଦ୍ୱରେ ପଡ଼ିଛି। ତେଣୁ ତଦନ୍ତକୁ ଆଗକୁ ନେବାକୁ ଟିକାୟତପାଲି ପୁଲିସ୍‌ ଚାହୁଁ ନଥିବା ଆଲୋଚନା ହେଉଛି।
ଏପଟେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ନବଜାତଙ୍କ ଯତ୍ନ ପାଇଁ ଥିବା ସ୍ୱତନ୍ତ୍ର ଶାଖା (ଏସ୍‌ଏନ୍‌ସିୟୁ))ରେ ଉଦ୍ଧାର ଶିଶୁକନ୍ୟାର ଚିକିତ୍ସା ଚାଲିଛି। ଅପରିପକ୍ୱ ଅବସ୍ଥାରେ ଭୂମିଷ୍ଠ ଏହି ଶିଶୁର ସ୍ୱାସ୍ଥ୍ୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଥିଲେ ମଧ୍ୟ ମା’ ଛେଉଣ୍ଡ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି। ଏବେ ସେ ଟିକିଏ ଟିକିଏ କ୍ଷୀର ପିଇବା ଆରମ୍ଭ କରିଛି। ଶିଶୁକୁ ସମ୍ପୂର୍ଣ୍ଣ ଯତ୍ନରେ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଛି ମାସ ରଖିବାକୁ ପଡ଼ିବ ଶିଶୁ ବିଶେଷଜ୍ଞ ଡ. ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ସ୍ଥାନୀୟ ଚାଇଲ୍ଡ କେୟାର ୟୁନିଟ ‘ଦିଶା’ରେ ରଖିବାକୁ ଏହାର କର୍ମକର୍ତ୍ତା ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ, ବିଷ୍ଣୁଡିହି ଗାଁ ଲୋକେ ୭ ତାରିଖ ଭୋରରେ ଶୌଚ ପାଇଁ ଯାଇଥିବା ବେଳେ ଜଙ୍ଗଲ ନାଳରେ କ୍ରନ୍ଦନରତ ନବଜାତ ଶିଶୁଟିକୁ ଦରପୋତା ଅବସ୍ଥାରେ ଦେଖିଥିଲେ। ଶିଶୁଟିର ବେକ ଯାଏ ମାଟିରେ ପୋତାଯାଇଥିଲା ଓ ମୁହଁକୁ ପତରରେ ଢ଼ଙ୍କା ଯାଇଥିଲା। ବାଲି ଆଡ଼େଇ ସେମାନେ ଶିଶୁକୁ ଉଦ୍ଧାର କରିବା ବେଳେ ତା’ ଦେହରେ ଜଙ୍ଗଲି ଉଈ ଚରୁଥିବା ଦେଖିଥିଲେ। ତାକୁ ଝାଡ଼ିଝୁଡ଼ି ସେମାନେ ଗାଁକୁ ନେଇ ଆସିଥିଲେ। ସ୍ଥାନୀୟ ଆଶା କର୍ମୀ ଖବର ପାଇବା ମାତ୍ରେ ଶିଶୁକୁ ବଣାଇଁ ହସ୍ପିଟାଲକୁ ଆଣିଥିଲେ। ଉତ୍ତମ ଚିକିତ୍ସା ପାଇଁ ସେଦିନ ମଧ୍ୟାହ୍ନରେ ଶିଶୁଟିକୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର