ସ୍କୁଲ୍‌ ଭିତରେ ପଶି ବନ୍ଧୁକ ମୁନରେ ପ୍ରଧାନ ଶିକ୍ଷକଙ୍କୁ ୨ ଲକ୍ଷ ଟଙ୍କାର ଦାଦାବଟି ମାଗିଲେ ମାଓବାଦୀ

ସୁନ୍ଦରଗଡ଼: ଦିନକୁ ଦିନ ମାଓମାଦୀଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ରାଜଗାଙ୍ଗପୁର ଥାନାର ଲାଞ୍ଜିବେର୍ଣ୍ଣା ଫାଣ୍ଡି ଅନ୍ତର୍ଗତ ତରକେରା ହାଇସ୍କୁଲ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ୍‌ ପରିସର ଭିତରକୁ ଗୁରୁବାର ଅପରାହ୍ନ ପ୍ରାୟ ଅଢେଇଟା ବେଳେ ୨ ଜଣ ଦୁର୍ବୃତ୍ତ ପଶି ଆସିଥିଲେ। ଦୁର୍ବୃତ୍ତମାନେ ହାତରେ ବନ୍ଧୁକ ଧରିଥିଲେ। ସେମାନେ ବନ୍ଧୁକ ମୁନରେ ପ୍ରଧାନ ଶିକ୍ଷକ ଲୋକନାଥ ପ୍ରଧାନଙ୍କୁ ୨ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। କେବଳ ସେତିକି ନୁହେଁ, ପ୍ରଧାନ ଶିକ୍ଷକ ଯଦି ୫ ଦିନ ମଧ୍ୟରେ ୨ ଲକ୍ଷ ଟଙ୍କା ନ ଦିଅନ୍ତି ସେମାନେ ତାଙ୍କୁ ଜୀବନରୁ ମାରି ଦେବା ଧମକ ମଧ୍ୟ ଦେଇଥିଲେ। ସେମାନେ ମାଓବାଦୀ ବୋଲି ପ୍ରଧାନ ଶିକ୍ଷକ ଜଣକ ଅନୁମାନ କରୁଛନ୍ତି। ଧମକ ଦେଇ ଯାଇଥିବା ଦୁର୍ବୃତ୍ତ ଦ୍ୱୟ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବାରୁ ସେମାନେ ମାଓବାଦୀ ହୋଇପାରନ୍ତି ବୋଲି ପ୍ର୍ରଧାନ ଶିକ୍ଷକ ଲୋକନାଥ ପ୍ରଧାନ ସନ୍ଦେହ କରୁଛନ୍ତି। ଲୋକନାଥ ଏ ସଂପର୍କରେ ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର