ନାବାଳିକାକୁ ଅସଦାଚରଣ : ବ୍ୟାଙ୍କ କର୍ମଚାରୀ ପଡ଼ାରୁ ବାସନ୍ଦ

ସୁନ୍ଦରଗଡ଼: ଜଣେ ନାବାଳିକାକୁ ଅସଦାଚରଣ କରି ସୁନ୍ଦରଗଡ଼ ସହରର ଜଣେ ବ୍ୟାଙ୍କ କର୍ମଚାରୀ ନିଜ ପଡ଼ାରୁ ବାସନ୍ଦ ହୋଇଛନ୍ତି। ଏଭଳି ଖରାପ କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ପଡ଼ାର ସମସ୍ତ ସାମୂହିକ କାର୍ଯ୍ୟକ୍ରମ, ପୂଜାର୍ଚ୍ଚନା, ମନ୍ଦିର ପ୍ରବେଶରୁ ବାରଣ କରାଯାଇଥିବା ଚର୍ଚାର ବିଷୟ ହୋଇଛି।
ସୁନ୍ଦରଗଡ଼ ପୌରାପାଳିକା ଅନ୍ତର୍ଗତ ଏକ କଲୋନିରେ ସହରର ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଉଚ୍ଚପଦରେ କାର୍ଯ୍ୟରତ ଅଭିଯୁକ୍ତ (୫୯)ଙ୍କ ଘରକୁ ଲାଗି ନାବାଳିକା ଓ ତାଙ୍କ ପରିବାର ରହନ୍ତି। ପ୍ରାୟ ୩ ମାସ ପୂର୍ବେ ନାବାଳିକାଙ୍କ ମା’ ଅସୁସ୍ଥ ହେବାରୁ ତାଙ୍କୁ ସ୍ୱାମୀ ହସ୍ପିଟାଲ ନେଇଥିଲେ। ପିତା-ମାତାଙ୍କ ଅନୁପସ୍ଥିତର ଫାଇଦା ଉଠାଇ ବ୍ୟାଙ୍କ କର୍ମଚାରୀ ଜଣକ ନାତୁଣୀ ବୟସର ଏହିି ଝିଅକୁ ବାରମ୍ବାର ଅସଦାଚରଣ କରିଥିଲେ। ଭୟ ତଥା ଲୋକଲଜ୍ଜାରେ ନାବାଳିକା ମୁହଁ ଖୋଲୁନଥିଲେ। ଗତ ଏପ୍ରିଲ ୨୦ ତାରିଖ ରାତି ପ୍ରାୟ ୯ଟା ବେଳେ ନାବାଳିକା ମା’ଙ୍କ ସହ ଭୋଜି ଖାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ପଛ ପଟୁ ନାବାଳିକାର ବେଣୀକୁ ଭିଡ଼ି ଦେଇ ଚାଲିଯାଇଥିଲା। ବ୍ୟାଙ୍କ କର୍ମଚାରୀଙ୍କର ଏଭଳି ଆଚରଣରେ ବ୍ୟଥିତ ନାବାଳିକା ସେଦିନ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲା। ଗତ ୧୬ ତାରିଖରେ ଏ ସମ୍ପର୍କରେ ପଡ଼ା/କଲୋନିରେ ବୈଠକ ବସି ଅଭିଯୁକ୍ତଙ୍କୁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ପରେ ଆପୋଷ ବୁଝାମଣା ହୋଇଥିଲା। ତେବେ ନାତିନାତୁଣୀ ଦେଖିସାରିଥିବା ବ୍ୟାଙ୍କ କର୍ମଚାରୀକୁ ପଡ଼ା/କଲୋନିର ସମସ୍ତ ସାମୂହିକ କାର୍ଯ୍ୟରୁ ବାସନ୍ଦ କରିବାକୁ ଶେଷରେ ସଭାରେ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର