ମାତୃହନ୍ତା ପୁଅ ଗିରଫ:‘ମା’ର ଚାପ ସହି ନପାରି ମାରିଦେଲି’

ରାଉରକେଲା: ‘ମାସେ ତଳେ ୧୨ ବର୍ଷର ସାନ ଝିଅ ମରିଗଲା, ସ୍ତ୍ରୀ ପିଲା ଛାଡ଼ି ପଳାଇଲେ। ମା’ର ଭାର ମୋତେ ଲଦି ଦେଇ ଭାଇଭଉଣୀମାନେ ଦୂରେଇ ଗଲେ। ଏପରିକି ୧୫ ଦିନ ତଳେ ଗୋଡ଼ ଭାଙ୍ଗି ମା’ ଶଯ୍ୟାଶାୟୀ ହୋଇପଡ଼ିଥିଲେ ବି କେହି ପାଖ ମାଡ଼ିଲେ ନାହିଁ। ତେଣୁ ଦହଗଞ୍ଜ ହୋଇ ଶଯ୍ୟାରେ ପଡ଼ିବା ଅପେକ୍ଷା ମରିଯିବା ଭଲ ଭାବି ମା’କୁ ମାରିଦେଲି।’ ସେକ୍ଟର-୭ ଥାନା ବିଦ୍ୟାନଗରୀ ବସ୍ତିରେ ଗତ ୧୭ ତାରିଖ ରାତିରେ ମା’ ବୁଇ ପଞ୍ଚଭାୟାକୁ ହତ୍ୟା କରି ଫେରାର ଥିବା ସାନ ପୁଅ ସନ୍ତୋଷ ଓରଫ୍‌ ଶିବୁ ଆଜି ଧରାପଡ଼ିବା ପରେ ପୁଲିସ ସମ୍ମୁଖରେ ଏଭଳି ବୟାନ ଦେଇଛି।

ପୁଲିସ କହିବା ଅନୁସାରେ ଘଟଣା ଦିନ ମଦ ନିଶାରେ ଚୁର ଥିବା ସନ୍ତୋଷ ବସ୍ତିରେ ରହୁଥିବା ବିବାହିତା ବଡ଼ ଭଉଣୀ ସୁଶୀଳାଙ୍କ ଘରକୁ ଯାଇ ଝଗଡ଼ା କରି ଫେରିବା ପରେ ଖଟରେ ପଡ଼ିଥିବା ମା’କୁ ଏକ ଭଙ୍ଗା ଦର୍ପଣ କାଚରେ ଆକ୍ରମଣ କରିଥିଲେ। ଖଟରୁ ଉଠି ପାରୁ ନଥିବା ମା’ଙ୍କ ବେକ ଓ ମୁହଁକୁ କାଚରେ ବାରମ୍ବାର ଆଘାତ କରିବା ସହିତ ବେକରେ ଲୁଗା ଗୁଡ଼ାଇ ହତ୍ୟା କରିଥିଲା। ଏହା ପରେ ମୃତଦେହକୁ ତାଲା ମାରି ଚାଲି ଯାଇଥିଲା। ଭଗବତୀପାଲି ବସ୍ତିରେ ରହୁଥିବା ବଡ଼ ପୁଅ ଚିତ୍ତରଞ୍ଜନଙ୍କ ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଆଜି ସେକ୍ଟର-୧୮ ବସ୍ତିରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ ତାକୁ ଗିରଫ କରିଛି। ନିଶା କବଳରେ ପଡ଼ିଥିବା ସନ୍ତୋଷର ସାମାନ୍ୟ ମାନସିକ ବିକୃତି ଥିବା ପୁଲିସ କହିଛି।

ସୂଚନାଯୋଗ୍ୟ, ବିଦ୍ୟାନଗରୀ ବସ୍ତିର ଗୋପୀ ପଞ୍ଚଭାୟା ଆର୍‌ଏସ୍‌ପି କର୍ମଚାରୀ ଭାବେ ଗତ ୨୦୦୭ରେ ଅବସର ନେବା ପରେ ପିଏଫ୍‌ ଓ ଗ୍ରାଚ୍ୟୁଟି ବାବଦକୁ ପ୍ରାୟ ୧୫ ଲକ୍ଷ ଟଙ୍କା ପାଇଥିଲେ। ବିବାହିତା ଝିଅ ସୁଶୀଳା ଓ ପରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦେଇ ଅବଶିଷ୍ଟ ଟଙ୍କା ପୁଅ ଚିତ୍ତରଞ୍ଜନ ଓ ସନ୍ତୋଷଙ୍କ ମଧ୍ୟରେ ଭାଗ କରି ଦେଇଥିଲେ। ୨୦୦୮ରେ ତାଙ୍କ ମୃତ୍ୟୁ ପରେ ମା’ ସାନପୁଅ ସନ୍ତୋଷ ପାଖରେ ରହିବାକୁ ପସନ୍ଦ କରିଥିଲେ। ଏପଟେ ଯିଏ ଯାହା ସଂସାରରେ ବ୍ୟସ୍ତ ଥିବା ବେଳେ ସନ୍ତୋଷ ରାଉରକେଲା ମହାନଗର ନିଗମରେ କିଛି ମାସ କାମ କରି ଛାଡ଼ି ଦେବା ପରେ ବେକାର ହୋଇ ଘୂରି ବୁଲୁଥିଲା। ହତାଶବୋଧରେ ଥିବାରୁ ସେ ଜଲ୍‌ଦି ମଦ ନିଶାରେ ପଡ଼ିଗଲା।

ସଦା ନିଶାରେ ଚୁର୍‌ ରହୁଥିବାରୁ ଘର ଓ ସାହି ପଡ଼ିଶାଙ୍କ ସହ ଝଗଡ଼ା, ମାଡ଼ପିଟ କରିବା ତା’ର କୁଅଭ୍ୟାସରେ ପରିଣତ ହୋଇଥିଲା। ମଦରେ ମାତିଲେ ଘରେ ଥିବା ବୃଦ୍ଧା ମା’ ଓ ପତ୍ନୀଙ୍କୁ ବି ମାଡ଼ପିଟ କରୁଥିଲା। ଏପରିକି ବାପାଙ୍କ ଟଙ୍କା ସବୁ ଝିଅମାନଙ୍କୁ ଦେଇଛି କହି ମା’ ଉପରକୁ ହାତ ଉଠାଇବାକୁ ବି ପଛାଉ ନଥିଲା। ସନ୍ତୋଷର ଅତ୍ୟାଚାରରେ ପରିବାର ଲୋକେ ଦୂରେଇ ଯାଇଥିବା ବେଳେ ଅତିଷ୍ଠ ପତ୍ନୀ ସାବିତ୍ରୀ ମାସେ ତଳେ ପୁଅ-ଝିଅଙ୍କୁ ନେଇ ବାପ ଘରକୁ ଚାଲି ଯାଇଥିଲେ। ତେବେ ୧୮ ତାରିଖ ପରଠୁଁ ୨ ଦିନ ଧରି ଘର କବାଟ ନଖୋଲିବାରୁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଭଗବତୀପାଲିରେ ରହୁଥିବା ବଡ଼ ପୁଅ ଚିତ୍ତରଞ୍ଜନଙ୍କୁ ସେମାନେ ଖବର ଦେଇଥିଲେ। ଚିତ୍ତରଞ୍ଜନ ଆସି ତାଲା ଭାଙ୍ଗିବା ପରେ ମା’ ମରି ପଡ଼ିଥିବା ଦେଖିବାକୁ ପାଇ ପୁଲିସକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର