ରୁକୁଡ଼ା ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକାଠି

ବଣାଇଁଗଡ଼ : ବହୁ ପ୍ରତୀକ୍ଷିତ ରୁକୁଡା ମଧ୍ୟମ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁଣ୍ଡିଆ ବ୍ଲକ୍‌ର ଶିବନାଥପୁର ଠାରେ ଉଦ୍‌ଘାଟନ କରିଛନ୍ତି। ମୂଷାପୋଷଠାରେ ରୁକୁଡା ନାଳ ଉପରେ ପ୍ରାୟ ୨୯୬.୯୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଯୋଗୁଁ ବଣାଇଁ ବ୍ଳକ୍‌ର ୫୭ଟି ଗ୍ରାମର ପ୍ରାୟ ୪ ହଜାର ୬ଶହ ୨୪ହେକ୍ଟର ଏବଂ ଗୁରୁଣ୍ଡିଆ ବ୍ଳକର ୧୭ଟି ଗ୍ରାମର ୧୧ଶହ ୨୬ ହେକ୍ଟର ଚାଷ ଜମି ଖରିଫ ଋତୁରେ ଜଳସେଚିତ ହୋଇପାରିବ। ଏଥି ସହ ମୁଖ୍ୟମନ୍ତ୍ରୀ ବଣାଇଁଗଡ଼ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରାୟ ୪ଶହ କୋଟିରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳର ଅନ୍ୟ ୩୦ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।

ବିମାନରେ ଭୁବନେଶ୍ୱରରୁ ଆସି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ରାଉରକେଲା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବା ପରେ ସେଠାରେ ପ୍ରସ୍ତୁତ ଥିବା ହେଲିକପ୍ଟରରେ ଗୁରୁଣ୍ଡିଆ ବ୍ଲକ୍‌ ଅନ୍ତର୍ଗତ ସାନ ଶିବନାଥପୁରକୁ ଯାଇଥିଲେ। ସେଠାରେ ରୁକୁଡ଼ା ମଧ୍ୟମ ସେଚ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରକାଶଥାଉକି, ପ୍ରାୟ ୩୪ ବର୍ଷ ପୂର୍ବେ ୧୯୮୪ ମସିହାରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରୁକୁଡ଼ା ମଧ୍ୟମ ସେଚ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେତେବେଳେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ଥିଲା ମାତ୍ର ୮ କୋଟି ଟଙ୍କା। ୧୯୯୨ ମସିହାରେ ଏହି ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ମିଳିଥିଲା। କିନ୍ତୁ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ମୂଷାପୋଷ, କଟୁରୀଧୂଆ, ବନ୍ଧାଭୂଇଁ ସମେତ ୫ଟି ଗ୍ରାମର ଲୋକେ ଏହାକୁ ବିରୋଧ କରିବାରୁ ନିର୍ମାଣ ବିଳମ୍ବିତ ହୋଇଥିଲା। ୨୦୧୧ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇ ଚଳିତ ବର୍ଷ ସମ୍ପୂର୍ଣ୍ଣ ହୋଇଥିଲା।

ସମ୍ବନ୍ଧିତ ଖବର