ଉଗ୍ରବାଦୀଙ୍କୁ ସଫା କରିବାକୁ ହେଲେ ମିଳିତ ସହଯୋଗ ଦରକାର: ଏସ୍‌ପି ସିଂହ

ସୁନ୍ଦରଗଡ଼: ଯେତେ ଦିନ ପର୍ଯ୍ୟନ୍ତ ଏକାଠି ହୋଇ କାମ କରା ନଯାଇଛି, ସେପର୍ଯ୍ୟନ୍ତ ଉଗ୍ରବାଦୀମାନଙ୍କୁ ହଟାଇବା ସହଜ ନୁହେଁ ବୋଲି ଏସ୍‌ପି ରାଜୀବ ରଞ୍ଜନ ସିଂହ କହିଛନ୍ତି। ସେ କହିଛନ୍ତି, ଝାରଖଣ୍ଡରୁ ଫେରାର ହେଉଥିବା ଉଗ୍ରବାଦୀ ସୀମାନ୍ତ ଗୁମଲା ଅଥବା ଓଡ଼ିଶାରେ ନିଜର ବିସ୍ତାର ଲାଭ କରୁଛନ୍ତି। ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଏହି ବୈଠକ ଡକାଯାଇଛି। ଦିନେଶ ଗୋପ ଓ ତା’ର ସମର୍ଥକଙ୍କୁ ସଫା କରାଯାଇପାରିବ ବୋଲି ସିଂହ କହିଛନ୍ତି। ତେଣୁ ଉଗ୍ରବାଦୀଙ୍କୁ ସଫା କରିବାକୁ ହେଲେ ମିଳିତ ସହଯୋଗ ଦରକାର ବୋଲି ସିଂହ କହିଛନ୍ତି।

ରାଜୀବ ରଞ୍ଜନ ସିଂହଙ୍କ ନେତୃତ୍ୱରେ ଝାରଖଣ୍ଡର ସମଡେଗାରେ ଅନୁଷ୍ଠିତ ଓଡ଼ିଶା-ଝାରଖଣ୍ଡ ପୁଲିସ ବୈଠକରେ ସୁନ୍ଦରଗଡ଼ ଏସ୍‌ପି ପିନାକ ମିଶ୍ର, ଗୁମଲା ଏସ୍‌ପି ଚନ୍ଦନ ଝାଙ୍କ ସହିତ ଉଭୟ ରାଜ୍ୟର ଏଏସ୍‌ପି ଓ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଏସ୍‌ପି ପିନାକ ମିଶ୍ର କହିଛନ୍ତି, ନିକଟରେ ୩ଜଣ ଉଗ୍ରବାଦୀଙ୍କୁ ନିହତ କରାଯାଇଥିବା ବେଳେ ୧୩ଜଣଙ୍କୁ ଗିରଫ କରାଯାଇଛି। ଏହି ବୈଠକ ଯୋଗୁଁ ପୁଲିସକୁ ଆଗାମୀ ଦିନରେ ବଡ଼ ସଫଳତା ମିଳିବ ବୋଲି ମିଶ୍ର କହିଛନ୍ତି।

ସୁନ୍ଦରଗଡ଼ ପୁଲିସର ସଫଳତା
ପିପୁଲ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ପୁଲିସ ରବିବାର ୭ଜଣଙ୍କୁ ଗିରଫ କରିବା ପରେ ସୋମବାର ପୁଣି ଥରେ ପିଏଲଏଫ୍‌ଆଇର ୬ଜଣ ସଦସ୍ୟଙ୍କୁ ଗିରଫ କରିଛି। ପୁଲିସ ଅଧୀକ୍ଷକ ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର ପୁଲିସ ଓ କୁଆରମୁଣ୍ଡା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପିଏଲ୍‌ଏଫ୍‌ଆଇର ୧୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ପିଏଲ୍‌ଏଫ୍‌ଆଇର ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଉଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀକୁ ମଧ୍ୟ ପୁଲିସ ଗିରଫ କରିଛି।

ଗିରଫ ହୋଇଥିବା ପିଏଲ୍‌ଏଫ୍‌ଆଇ ସଦସ୍ୟ
ବଡ଼ବିଲରୁ ଅବସରପ୍ରାପ୍ତ ଆର୍ମି କ୍ୟାପଟେନ୍‌ ଯଦୁମଣି ପାତ୍ର, କୁଆାଁରମୁଣ୍ଡା ଥାନାର କାଦେବାହାଲରୁ ସନ୍ଦୀପ ଏକ୍କା, ଜାମବାହାଲରୁ ବୁତରୁ ଖଡ଼ିଆ, ଗୋବିରାରୁ ରିବା ଖାଲକୋ, ବୀରମିତ୍ରପୁର ଥାନା ଅନ୍ତର୍ଗତ ଗାନ୍ଧୀରୋଡ଼ରୁ ସୁରଜ ସାହୁ ଓ କୁଲୁ ଓରଫ ବିଶାଳ ଠାକୁର ଗିରଫ ହୋଇଛନ୍ତି।

ପିଏଲ୍‌ଏଫ୍‌ଆଇ ଜୋନାଲ୍‌ କମିଟି ସଭ୍ୟ ଅର୍ଜୁନ ରାଣା ଏବଂ କୋଇଡ଼ା ବଡ଼ବିଲ୍‌ ଏରିଆ କମାଣ୍ଡର ସୂର୍ଯ୍ୟାଙ୍କ ସମେତ ୭ ଜଣ ରବିବାର ପୁଲିସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ଗୋଟିଏ କାରବାଇନ୍‌, ତିନି ବନ୍ଧୁକ, ଦୁଇଟି ପିସ୍ତଲ୍‌ ସମେତ ୫୦ ରାଉଣ୍ଡ ଗୁଳି ଜବତ ହୋଇଛି। ଏହି ସଂଗଠନ ସହ ସମ୍ପୃକ୍ତ ସୁନ୍ଦରଗଡ଼ ଜିଲ୍ଲାର ୧୦ରୁ ଅଧିକ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ଚଢ଼ଉ ଚାଲିଛି। ବଛା ବଛା ସଦସ୍ୟ ଧରାପଡ଼ିଥିବାରୁ ପୁଲିସର ଏହି ଚଢ଼ଉ ପିଏଲ୍‌ଏଫ୍‌ଆଇ ସଂଗଠନ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି।

ସମ୍ବନ୍ଧିତ ଖବର