ନିରଞ୍ଜନ ଓ ବଦ୍ରିଙ୍କ ନାମାଙ୍କନ ଦାଖଲ ଆଜି

ଆନନ୍ଦପୁର: ରାଜ୍ୟର ଚର୍ଚ୍ଚିତ ନିର୍ବାଚନମଣ୍ତଳୀ ଘସିପୁରା ବିଧାନସଭା କ୍ଷେତ୍ରରୁ ଆସନ୍ତାକାଲି ମଙ୍ଗଳବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦଳର ନେତାମାନେ ନିଜର ସମର୍ଥକମାନଙ୍କୁ ଶୋଭାଯାତ୍ରାରେ ସାମିଲ କରିବାପାଇଁ ବିଶେଷ ତତ୍ପରତା ପ୍ରକାଶ କରିଛନ୍ତି। ବିଜେଡିରୁ ଟିକଟ ପାଇଥିବା ବଦ୍ରି ନାରାୟଣ ପାତ୍ର ଦିନ ୧୧ଟାରୁ ନିଜର ସମର୍ଥକଙ୍କ ଗହଣରେ ଆନନ୍ଦପୁର ବ୍ରିଜ୍‌ ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଦିନ ଗୋଟାଏ ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ବଦ୍ରିଙ୍କୁ ବିଜେଡି ପକ୍ଷରୁ ତୃତୀୟ ଥରପାଇଁ ଟିକଟ ମିଳିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଆସନ୍ତାକାଲି ଶୋଭାଯାତ୍ରାରେ ନିର୍ବାଚନମଣ୍ତଳୀର କର୍ମକର୍ତ୍ତାଙ୍କ ସମେତ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେବାନେଇ ଘସିପୁରା ବ୍ଲକ ବିଜେଡି ସଭାପତି ବଳରାମ ସାହୁ ସୂଚନା ଦେଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଅଦ୍ୟାବଧି ବିଧିବଦ୍ଧଭାବେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ନିର୍ବାଚନମଣ୍ତଳୀର ସମସ୍ତ ପୁରୁଖା କର୍ମୀଙ୍କୁ ସୂଚନା ଦିଆଯାଇଥିବା ନେଇ ଜିଲ୍ଲା କଂଗ୍ରେସ ଉପସଭାପତି ସୁବ୍ରତ କୁମାର ଚକ୍ର ସୂଚନା ଦେଇଛନ୍ତି। ଦିନ ୧୨ଟାରୁ ଶୈଲଙ୍ଗ ଛକରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାପରେ ଆନନ୍ଦପୁର ବଡ଼ଦାଣ୍ତରେ ଏକ ପଥପ୍ରାନ୍ତ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ଏଠାରେ ପ୍ରାର୍ଥୀ ହେଉଥିବାରୁ କଂଗ୍ରେସ କର୍ମୀ ମହଲରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର