ସରକାରୀ ଗାଡ଼ିରୁ ନର୍ସଙ୍କୁ ଅପହରଣ

ଝାଡ଼ଖଣ୍ଡରୁ ଉଦ୍ଧାର କଲା ପୁଲିସ, ଅପହର୍ତା ଭୁବନେଶ୍ୱରର ଯୁବକ ଗିରଫ

ରାଉରକେଲା/ ବୀରମିତ୍ରପୁର  : ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନାରେ କାମ କରୁଥିବା ଜଣେ ଷ୍ଟାଫ୍‌ ନର୍ସ(୨୫)ଙ୍କୁ ଆଜି ଅପରାହ୍‌ଣରେ ସରକାରୀ ଗାଡ଼ିରୁ ଭୁବନେଶ୍ୱରର ଜଣେ ଯୁବକ ଅପହରଣ କରିନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତରମାନଙ୍କ ସହିତ ସରକାରୀ ଗାଡ଼ିରେ ଫେରୁଥିବା ବେଳେ ତାଙ୍କୁ ଯୁବକ ଜଣକ ବଳପୂର୍ବକ ଅନ୍ୟ ଏକ ଗାଡ଼ିରେ ବସାଇ ଝାଡ଼ଖଣ୍ଡକୁ ନେଇ ଯାଉଥିଲେ। ତେବେ ରାଏବଗା, ବୀରମିତ୍ରପୁର ଓ ଝାଡ଼ଖଣ୍ଡ ପୁଲିସର ଉଦ୍ୟମ ଯୋଗୁଁ ଅପହରଣକାରୀ ଧରାପଡ଼ିବା ସହ ଅପହୃତା ଷ୍ଟାଫ୍‌ନର୍ସଙ୍କୁ ଉଦ୍ଧାର କରାଯାଇଛି। ଅପହରଣକାରୀ ଯୁବକଙ୍କ ନାମ ସୌରଭ କୁମାର ସାହୁ (୨୬)। ସେ ଭୁବନେଶ୍ୱର ରସୁଲଗଡ଼ର ବାସିନ୍ଦା। ପ୍ରେମରେ ବିଫଳ ହୋଇ ସେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।

ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନାରେ ରାଏବଗା କୃଷ୍ଣଗଡ଼ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୁଆରମୁଣ୍ଡା ସିଏଚ୍‌ସି ଡାକ୍ତର, ସମ୍ପୃକ୍ତ ଷ୍ଟାଫ୍‌ ନର୍ସଙ୍କ ସହିତ ଅନ୍ୟ କର୍ମଚାରୀ ଏକ ବଲେରୋ (ଓଡି ୦୫ଏମ୍‌ ୦୫୩୯)ରେ କୁଆରମୁଣ୍ଡାରୁ ରାଏବଗା ଆସିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ସାରି ଅପରାହ୍‌ଣ ପ୍ରାୟ ସାଢ଼େ ୧ଟା ବେଳେ ସେମାନେ କୁଆରମୁଣ୍ଡା ଫେରୁଥିଲେ। ରାଏବଗା ଥାନା ଅନ୍ତର୍ଗତ ପୋଖରାପୋଷ ଓ ପ୍ରତାପପୁର ମଝିରେ ଏକ ନିଛାଟିଆ ସ୍ଥାନରେ ହଠାତ୍‌ ପଛପଟୁ ଏକ ଧଳା ରଂଗର ଓ୍ଵାଗନର (ନମ୍ବର ଓଆର ୦୨ଏଟି ୫୭୨୧) ତାଙ୍କ ଗାଡ଼ିକୁ ଓଭରଟେକ୍‌ କରି ରାସ୍ତା ଅବରୋଧ କରି ରହି ଯାଇଥିଲା। ଓ୍ଵାଗନର ଭିତରୁ ଚାଳକ ବାହାରି ଆସି ଷ୍ଟାଫ୍‌ ନର୍ସ୍‌ଙ୍କୁ ଜୋର୍‌ଜବରଦସ୍ତ ବଲେରୋ ଭିତରୁ ଉଠାଇ ନେଇ ଓ୍ଵାଗନର୍‌ରେ ବସାଇଥିଲେ। ତାଙ୍କୁ ରକ୍ଷା କରିବା ପାଇଁ ଯୁବତୀ ଜଣକ ଚିତ୍କାର କରିଥିଲେ ମଧ୍ୟ ପିଏଲ୍‌ଏଫ୍‌ଆଇ ଭୟରେ କେହି ତାଙ୍କୁ ସହାୟତା କରି ନ ଥିଲେ।

ତାଙ୍କୁ ଗାଡ଼ିରେ ବସାଇ ଓ୍ଵାଗନର ଚାଳକ ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ବଲେରୋ ଚାଳକ ବୀରମିତ୍ରପୁର ଥାନା ପୁଲିସକୁ ଟେଲିଫୋନ କରିଥିଲେ। ପୁଲିସ ଦଳ ଚାଇନା ଟାଉନ୍‌ ଛକରେ ଓ୍ଵାଗନରକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ନିର୍ଦେଶ ନ ମାନି ଓ୍ଵାଗନରଟି ଦ୍ରୁତ ଗତିରେ ଝାଡ଼ଖଣ୍ଡ ଆଡ଼କୁ ଚାଲିଯାଇଥିଲା। ଏହାଦେଖି ବୀରମିତ୍ରପୁର ପୁଲିସ ଝାଡ଼ଖଣ୍ଡ ସୀମାରେ ଥିବା ବାଉଁଶଯୋର ଥାନାକୁ ଖବର ଦେଇଥିଲା। ଝାଡ଼ଖଣ୍ଡ ପୁଲିସ ବାଉଁଶଯୋର ଥାନା ଆଗରେ ଗାଡ଼ିକୁ ଅଟକାଇକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଝାଡ଼ଖଣ୍ଡ ପୁଲିସ ଦଳ ଗାଡ଼ିର ପିଛା କରି ଖମଣଦାଣ୍ଡ ନିକଟରେ ଗାଡ଼ିକୁ କାବୁ କରିବା ସହ ଷ୍ଟାଫ୍‌ ନର୍ସଙ୍କୁ ଉଦ୍ଧାର କରିଥିଲେ। ପରେ ଝାଡ଼ଖଣ୍ଡ ପୁଲିସ ସେମାନଙ୍କୁ ବୀରମିତ୍ରପୁର ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଜଣଙ୍କ ବୟାନ ରେକର୍ଡ ହୋଇଥିଲା।

ଅପହରଣକାରୀ ଯୁବକ ସୌରଭଙ୍କ ବୟାନ ଅନୁସାରେ, ପାଠ ପଢ଼ିବା ସମୟରେ ୨୦୧୩ ମସିହାରେ ସେହି ନର୍ସଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଷ୍ଟାଫ୍‌ ନର୍ସ ଭାବେ କୁଆରମୁଣ୍ଡାରେ ଚାକିରି ପାଇବା ପରେ ସେ ଆଉ ତାଙ୍କ ସହିତ ସମ୍ପର୍କ ରଖି ନ ଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ଗାଡ଼ିରୁ ଠେଲି ଦେଇ ତାଙ୍କୁ ଜୀବନରୁ ମାରିବା ପାଇଁ ସେ ଏହି ଅପହରଣ କରିଥିଲା। ତେବେ ଏଭଳି ଅଭିଯୋଗକୁ ଷ୍ଟାଫ୍‌ ନର୍ସ ଜଣକ ଅସ୍ୱୀକାର କରିଛନ୍ତି। ତାଙ୍କ ଏତଲାକ୍ରମେ ରାଏବଗା ପୁଲିସ କେଶ୍‌ ନମ୍ବର ୫୬/୨୦୧୭, ଭାରତୀୟ ପିଙ୍ଗଳ କୋଡ ଧାରା ୩୪୧, ୩୬୬, ୩୬୪, ୩୨୩, ୩୦୭, ୩୫୪,୩୫୩,୩୩୨ ଓ ୫୦୬ରେ ସୌରଭଙ୍କୁ ଗିରଫ କରି ତଦନ୍ତ କରୁଛି। ଅପହରଣରେ ବ୍ୟବହୃତ ଓ୍ଵାଗନର୍‌ ଗାଡ଼ିକୁ ଜବତ କରାଯାଇଛି।

ସମ୍ବନ୍ଧିତ ଖବର