ବିଶ୍ୱାସରେ ବିଷ: ହସ୍ପିଟାଲରେ ଦାଦାଙ୍କ ମୃତ୍ୟୁ, ଭାତ ହାଣ୍ଡିରେ ବିଷ ଦେଇଥିବା ପୁତୁରା ଗିରଫ

ସୁଧୁରୁଛି ବଡ଼ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା

ସୁନ୍ଦରଗଡ଼: ବିଶ୍ୱାସରେ ବିଷ ଦେଲା ନିଜ ରକ୍ତ। ଘର କାମରେ ଥକି ପଡ଼ିଥିବା ଦମ୍ପତ୍ତି ଅଜାଣତରେ ବିଷାକ୍ତ ‘ଭାତ’କୁ ଖାଇ ଦୁର୍ଘଟଣାର ଶିକାର ହୋଇଥିଲେ। ପୁରୁଷ ଜଣକ ଜାଣି ନଥିଲେ ଯେ, ଏହି ମଧ୍ୟାହ୍ନ ଭୋଜନ ହେବ ତାଙ୍କ ପାଇଁ ଶେଷ ଖାଦ୍ୟ। ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ମହିଳା ଜଣକ ବଞ୍ଚି ଯାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅଞ୍ଚଳରେ ପୁତୁରା ଗିରଫ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି। ପାରିବାରକ କଳହରୁ ସୃଷ୍ଟି ହତ୍ୟାକାଣ୍ଡ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ପୁତୁରା ଗାନ୍ଧୀ ଆପଟ ପୁଲିସ ଆଗରେ ଶୁକ୍ରବାର ଅତୀତର ଘଟଣାବଳୀ ସ୍ୱୀକାର କରିଛି।

ଗୁଣିଗାରେଡି ସନ୍ଦେହ

ଗୋଟିଏ ମାସ ପୂର୍ବରୁ ଭାଲୁମୁଣ୍ଡା ଗ୍ରାମର ସୁଶୀଲା ଆପର୍ଟ(୬୫)ଙ୍କ ମୃତ୍ୟୁ ହୋଇଥିଲା। ଗୁଣିଗାରେଡି ଯୋଗୁଁ ସୁଶୀଲାଙ୍କ ମୃତ୍ୟୁ ହୋଇଥିଲା ବୋଲି ସୁରେନ୍ଦ୍ରଙ୍କ ପରିବାର ପକ୍ଷରୁ ସନ୍ଦେହ କରାଯାଇଥିଲା। ଏ ନେଇ ଦୁଇ ଭାଇ ସଦାନନ୍ଦ ଆପଟ ଓ ସୁରେନ୍ଦ୍ର ଆପଟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୁରେନ୍ଦ୍ରର ପୁଅ ଗାନ୍ଧୀ ଆପଟ ନିଜର ବଡ଼ ମା’ ଯାମିନୀଙ୍କ ଉପରେ ସନ୍ଦେହ କରିଥିଲା। ଜେଜେ ମା’ଙ୍କ ମୃତ୍ୟୁର ପ୍ରତିଷୋଧ ନେବା ପାଇଁ ସେ ସଦାନନ୍ଦ ଓ ଯାମିନୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଭାତ ହାଣ୍ଡିରେ ବିଷ ମିଶାଇ ଦେଇଥିଲା।

ପଚରାଉଚରା ବେଳେ ଘଟଣା ପ୍ରଘଟ

ଗାନ୍ଧୀ ଆପର୍ଟ ଗିରଫ ହେବା ପରେ ପୁଲିସ ଆଗରେ ସତ କଥା କହିଛି। ଯୋଜନା ମୁତାବକ ଗାନ୍ଧୀ ଗତ ବୁଧବାର ସଦାନନ୍ଦ ଓ ଯାମିନୀ ଘରେ ନ ଥିବା ବେଳେ, ଘର ଛାତ ପଟେ ଯାଇ କୌଶଳ କ୍ରମେ ଭାତ ହାଣ୍ଡିରେ ବିଷ ମିଶାଇ ଦେଇଥିଲା। ସଦାନନ୍ଦ ଓ ଯାମିନୀ ମଧ୍ୟାହ୍ନରେ ବାହାର କାମ ସାରି ଘରକୁ ଫେରିଥିଲେ। ଭୋଜନ ପରେ ଅପରାହ୍ନ ୨ଟାରେ ସଦାନନ୍ଦ ନିକଟସ୍ଥ ସାପ୍ତାହିକ ବଜାର ଯିବାକୁ ବାହାରି ଥିଲେ। ବଜାର ଯିବା ବେଳେ ସେ ରାସ୍ତାରେ ଗଡ଼ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଘରକୁ ଅଣାଯାଇଥିଲା। ଏତେ ଯାମିନୀ ମଧ୍ୟ ଘରେ ବାନ୍ତି କରି ଘର ଚଟାଣରେ ପଡ଼ିଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସଦାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଯାମିନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି।

ସମ୍ବନ୍ଧିତ ଖବର